କିରା ଶାସନରେ ନିଶା ନିବାରଣ ଅଭିଯାନର ଦିବସ ବ୍ୟାପୀ ପଦଯାତ୍ରା: ମଦ ମୁକ୍ତ ଅଞ୍ଚଳ ପାଇଁ ଦାବୀ
ସମ୍ବଲପୁର (ମଣିଭଦ୍ରା ଖବର)
ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜି କୁଚିଣ୍ଡା ବ୍ଲକ୍ ଅନ୍ତର୍ଗତ କୁଟୁରାଚୁଆଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ କିରାଶାସନ ଗ୍ରାମରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ଅବିଭକ୍ତ ସମ୍ବଲପୁର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଦିନ ବ୍ୟାପୀ ନିଶା ମୁକ୍ତ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ପ୍ରକାଶ ଥାଉ କି, ନିକଟରେ ସାତକମା ଗ୍ରାମରେ ନିଶା ଶକ୍ତ ହୋଇ ବାଇକ୍ ଚଳାଉ ଥିବା ବେଳେ ଏହି ଗ୍ରାମ ଜଣେ ନାବାଳକ ଆରୋହୀ ଆଲୋକ ବାରିକ ଅନ୍ୟ ଜଣେ ଆରୋହୀଙ୍କ ସହ ମୃତ୍ୟୁ ବରଣ କରିଥିବାରୁ ଗାଁ ରେ ଶୋକର ଲହରୀ ବ୍ୟାପିବା ସହ ଗ୍ରାମବାସୀଙ୍କୁ ଅଧିକ ନିଶା ବିରୋଧୀ କରି ଦେଇଛି । ପଦଯାତ୍ରା ପୂର୍ବରୁ ନିଶା ନିବାରଣ ଅଭିଯାନ କୁଚିଣ୍ଡା ଉପଖଣ୍ଡ ସଭାପତି କରୁଣା କର କିସାନଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭାରେ ଜିଲ୍ଲା ସଭାପତି ଶ୍ରୀ ନାୟକ ସମଗ୍ର ଜିଲ୍ଲାକୁ ନିଶା ମୁକ୍ତ କରିବା ପୂର୍ବରୁ ଗ୍ରାମେ ଗ୍ରାମେ ରଚନାତ୍ମକ କାର୍ଯ୍ୟକ୍ରମ ସହ ନିଶା ବିରୋଧୀ ଆନ୍ଦୋଳନ ହେବ ବୋଲି ଘୋଷଣା କରିଥିଲେ । ଏହି ସଭାରେ ସ୍ବର୍ଗତ ବାରିକଙ୍କ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ସମିତି ସଭ୍ୟା ଯଶୋବନ୍ତ ଭୋଇ, ସୈରେନ୍ଦ୍ରି ସେଠ, ରେବତୀ ନାଏକ, ସୁଲତା କଣ୍ଟା, ରୀନା ଭଞ୍ଜ, ଚନ୍ଦ୍ରିକା ପ୍ରଧାନ, ମାମିନା ଶେଉଳ, କୁମୁଦ ବନ୍ଧୁ ବାଗ, ପୂର୍ଣ୍ଣ ଚନ୍ଦ୍ର ଚିଲ, ଦିଲେଶ୍ୱର ବାର୍ଲା, ଶୁଭ୍ର କାନ୍ତି ଖଟେଇ, ରୀତା ନାଏକ, ମିନାକ୍ଷୀ ସିଂ ଓ ଲଳିତ ଶେଠ୍ ଙ୍କ ନେତୃତ୍ୱରେ ଗ୍ରାମର ପ୍ରତ୍ୟେକ ସାହିକୁ ଏକ ବିରାଟ ପଦଯାତ୍ରା ଯାଇ ନିଶାମୁକ୍ତ ପାଇଁ ବିଭିନ୍ନ ସ୍ଲୋଗାନ ଦେବା ଓ ପଥପ୍ରାନ୍ତ ସଭା ମାଧ୍ୟମରେ ନିଶାମୁକ୍ତ ଗ୍ରାମ ହେବା ଯାଏ କାର୍ଯ୍ୟ କରିବାକୁ ଜନ ସହଯୋଗ କାମନା କରିଥିଲେ। କବି ରାଜେନ୍ଦ୍ର କୁମାର ମହାପାତ୍ର ପଥପ୍ରାନ୍ତ ସଭା ମାନଙ୍କରେ ନିଶା ବିରୋଧୀ କବିତା ଓ ସଙ୍ଗୀତ ଗାନକରି ଜନ ସହଯୋଗ କାମନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଅଭିଯାନର ବ୍ଲକ ଆବାହକ ମିତ୍ର ଭାନୁ ପ୍ରଧାନ ବ୍ଲକ ବ୍ୟାପୀ ନିଶା ବିରୋଧି ଆନ୍ଦୋଳନର ବିବରଣୀ ପ୍ରଦାନ କରିଥିଲେ ।ଏହି ଆନ୍ଦୋଳନରେ ସ୍ଥାନୀୟ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ତପସ୍ଵିନୀ ପଧାନ, ମନ୍ଦାକିନି ପଧାନ, ସେବତୀ ପାଞ୍ଚ ଭାୟା ପ୍ରମୁଖ ଶତାଧିକ ସଂଖ୍ୟାରେ ଆଖପାଖ ଗ୍ରାମର ସାମାଜିକ କର୍ମୀ ଗଣ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق