କଟକ (ମାନସ କୁମାର ସାହୁ) ଏ ମାସ ବି ମିଳିବନି ନୂଆ ରାସନ କାର୍ଡ- ମାସ ପରେ ମାସ ବିତୁଛି; ମାତ୍ର ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟା ଯାଇ ପାରୁନାହିଁ। ଏହାକୁ ନେଇ ଚାଲିଥିବା ଛକାପଞ୍ଝାରୁ ନଜର ହଟାଇବା ପାଇଁ ଯୋଗାଣମନ୍ତ୍ରୀ ଅଯୋଗ୍ୟ ହିତାଧିକାରୀଙ୍କୁ ବାହାନା କରିଛନ୍ତି। ପ୍ରତି ବ୍ଲକ୍ରେ ଅନେକ ଅଯୋଗ୍ୟ ହିତାଧିକାରୀ ଥିବା ଉଲ୍ଲେଖ କରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି। ରାଜ୍ୟରେ ବିଜେପି ସରକାର ଆସିବା ପରେ ଯୋଗାଣ ବିଭାଗରେ ଇ-କେୱାଇସି ଆତଙ୍କ ସୃଷ୍ଟି ହୋଇଛି। ଅଯୋଗ୍ୟଙ୍କୁ ବାଦ ଦେବା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଅସୁବିଧାରେ ପକାଯାଉଥିବା ଅଭିଯୋଗ ହୋଇଛି । ପ୍ରଥମେ ସେପ୍ଟେମ୍ବର, ତାପରେ ନଭେମ୍ବର ଓ ଶେଷରେ ଜାନୁଆରୀ ମାସରେ ନୂଆ ରାସନ କାର୍ଡ ଦିଆଯିବ ବୋଲି ମନ୍ତ୍ରୀ କହିଲେ। ମାତ୍ର ଇ-କେୱାଇସି ପେଞ୍ଚ ପୁଣି ସମସ୍ୟା ସୃଷ୍ଟି କରିଛି।
ଏହି ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ ପ୍ରତି ବ୍ଲକ୍ରେ ୨୦୦ରୁ ୩୦୦ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। ସରକାରୀ ଚାକିରି କରି ମଧ୍ୟ ଅନେକ ଲୋକ ରାସନ କାର୍ଡ ହାତେଇଛନ୍ତି। ଆୟକରଦାତା ବି ରାସନ ନେଉଛନ୍ତି।
ସେମାନଙ୍କୁ ଫେରାଇ ଦେବା ପାଇଁ ପୁଣି ଥରେ ଅପିଲ କରାଯାଉଛି। ସରେଣ୍ଡର କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି। ଜାନୁଆରୀ ୩୧ରେ ଇ-କେୱାଇସି ଶେଷ ହେବ। ତା’ ପୂର୍ବରୁ ସରେଣ୍ଡର କରନ୍ତୁ। ଯେଉଁମାନେ ସରକାରୀ ଚାକିରି କରି ମଧ୍ୟ ରାସନ କାର୍ଡ ହାତେଇଛନ୍ତି, ସେମାନେ ମଧ୍ୟ ସମୟ ଥାଉ ଥାଉ ସରେଣ୍ଡର କରନ୍ତୁ। ଇ-କେୱାଇସି ସଂପୂର୍ଣ୍ଣ ଶେଷ ହେବା ପରେ ଆବେଦନ ପୋର୍ଟାଲ ଖୋଲିବ। ପ୍ରାୟ ୪୧ ଲକ୍ଷ ଏବେ ବି ଆବେଦନ କରିନାହାନ୍ତି। ଯୋଗ୍ୟ ହିତାଧିକାରୀ ଆଦୌ କଟିବେ ନାହିଁ। ଆମ ପାଖକୁ ତଥ୍ୟ ଆସିଛି, ପ୍ରାୟ ୪ ଲକ୍ଷ ହିତାଧିକାରୀ ଏମିତି ଅଛନ୍ତି ଯେଉଁମାନେ କି ଆୟକର ଦେଉଛନ୍ତି। ତେଣୁ ଅଧିକାରୀମାନଙ୍କୁ ଏହାର ରିପୋର୍ଟ ଦେବାକୁ କୁହାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ମଣିଭଦ୍ରା ଖବର, କଟକ
Post a Comment