BREAKING
Loading...
:

କେ.ସି. ହାଇସ୍କୁଲ ସରକାରୀକରଣ ପାଇଁ ଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା*

 *କେ.ସି. ହାଇସ୍କୁଲ ସରକାରୀକରଣ ପାଇଁ ଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା*

ବ୍ରହ୍ମପୁର (ମଣିଭଦ୍ରା ଖବର)

ସହରର ଐତିହ୍ୟ ସମ୍ପନ୍ନ ବିଦ୍ୟାଳୟ ତଥା ଓଡ଼ିଶାର ଦ୍ଵିତୀୟ ପୁରାତନ ହାଇସ୍କୁଲ 'କେ. ସି. ହାଇସ୍କୁଲ, ଗୋସାଣି ନୁଆଁଗାଁ' ସମେତ କେ. ସି. ବାଳିକା ହାଇସ୍କୁଲ ଓ କେ. ସି. ଟାଉନ ହାଇସ୍କୁଲର ସରକାରୀକରଣ ସମ୍ପର୍କରେ ଓଡ଼ିଆ ଭାଷା ଆନ୍ଦୋଳନ ତଥା ସଂସ୍କାରବାଦୀର ପ୍ରତିଷ୍ଠାତା ସଭାପତି ଭାଷା ତପସ୍ବୀ ଶ୍ରୀ 

ତ୍ରିନାଥ ମହାରଣାଙ୍କ ନେତୃତ୍ୱରେ ପୁରାତନ ଛାତ୍ର ରବିନାରାୟଣ ସାବତ, କୃଷ୍ଣ ଚନ୍ଦ୍ର ସାହୁ,ଭାଷା ଆନ୍ଦୋଳନ ସମ୍ପାଦକ ହରେକୃଷ୍ଣ ପଣ୍ଡା, ହେମନ୍ତ ନାୟକ ପ୍ରମୁଖ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କୁ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହରେ ସ୍ମାରକ ପତ୍ର ପ୍ରଦାନ କରି ଆଲୋଚନା କରିଥିଲେ। ଶ୍ରୀଯୁକ୍ତ ମହାରଣା ମାନ୍ୟବର ମନ୍ତ୍ରୀଙ୍କୁ ଜଣାଇଥିଲେଯେ, କେ ସି ହାଇସ୍କୁଲ ୧୬୮ ବର୍ଷ ପୂର୍ବେ ଜିଲ୍ଲା ବୋର୍ଡ ହାଇସ୍କୁଲ ଭାବେ ସ୍ଥାପିତ ହୋଇଥିଲା।  ବର୍ତ୍ତମାନର ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟ ମଧ୍ୟ ସେତେବେଳେ ବ୍ରିଟିଶ ମାଡ୍ରାସ ସରକାର ସ୍ଥାପନ କରିଥିଲେ। କିନ୍ତୁ ୧୮୯୨ ବେଳକୁ ସରକାରୀ ଅନୁଦାନ ହ୍ରାସ ଯୋଗୁଁ ଏହି ଅନୁଷ୍ଠାନ ଗୁଡିକ ବନ୍ଦ ହେବା ଅବସ୍ଥାକୁ ଆସିଯାଇଥିଲା। ସହରର ବୁଦ୍ଧିଜୀବୀ ମାନେ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦାରାଜଙ୍କୁ ଅନୁଷ୍ଠାନ ସୁରକ୍ଷା ପାଇଁ ନିବେଦନ କଲେ। ମହାରାଜା ନିଜ ରାଜକୋଷରୁ  କର୍ମଚାରୀ ମାନଙ୍କ ଦରମା ବାବଦକୁ ମାସିକ ଟ ୨୦୦ ଲେଖାଏଁ ସାହାଯ୍ୟ ଦେଲେ। ଅନୁଷ୍ଠାନ ଗୁଡିକର ଉନ୍ନତି ପାଇଁ ସେ ୧୮୯୬ ରୁ ୧୯୦୨ ମଧ୍ୟରେ ତିନୋଟି କିସ୍ତିରେ ଚାରି ଲକ୍ଷ ଟଙ୍କା ଦେବା ସହ ଅନ୍ୟ ରାଜା ମହାରାଜାଙ୍କ ଠାରୁ ମଧ୍ୟ ଦାନ ସଂଗ୍ରହ କଲେ। ୧୮୯୭ ରେ ତତ୍କାଳୀନ ଜିଲ୍ଲାପାଳ ଅନୁଷ୍ଠାନ ଗୁଡିକର ନାମ ହରିହରଙ୍କ ନାମରେ ରଖିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ମହାରାଜା ଖଲ୍ଲିକୋଟ ନାମରେ ଅନୁଷ୍ଠାନ ଗୁଡିକର ନାମ ରଖିବା ପାଇଁ କହିଲେ ଓ ତାହା କାର୍ଯ୍ୟକାରୀ ହେଲା।

କେ ସି ହାଇସ୍କୁଲରେ ପୂର୍ବତନ ରାଷ୍ଟ୍ରପତି, ସୁପ୍ରିମ କୋର୍ଟର ବିଚାରପତି, ହାଇକୋର୍ଟ ମୁଖ୍ୟ ବିଚାରପତି, ଓଡିଶା ପ୍ରଦେଶ ଗଠନ ଆନ୍ଦୋଳନର ଅନେକ ସାରଥୀ, ସ୍ୱାଧୀନତା ସଂଗ୍ରାମୀ, ଡାକ୍ତର, ଇଞ୍ଜିନିଅର, ମନ୍ତ୍ରୀ, ବିଧାୟକ ଗଢ଼ା ହୋଇଛନ୍ତି। ଏହି ବିଦ୍ୟାଳୟ ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟ ସାମନାରୁ ୧୯୫୯ ରେ ଶିକ୍ଷା ମନ୍ତ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ଓ ଖଲ୍ଲିକୋଟ ମହାରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଆଲୋଚନା କ୍ରମେ ଗୋସାଣି ନୁଆଁଗାଁର ସରକାରୀ ଯାଗାରେ ବର୍ତ୍ତମାନ ରହିଥିବା କୋଠା ନିର୍ମାଣ କରାଯାଇ ସ୍ଥାନାନ୍ତରିତ ହୋଇଥିଲା ଓ ୧୯୭୪ରେ ପୂର୍ଣ୍ଣ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟ ପାଲଟି ଥିଲା।

କେ ସି ହାଇସ୍କୁଲ, କେ ସି ବାଳିକା ହାଇସ୍କୁଲ ଓ କେ ସି ଟାଉନ ହାଇସ୍କୁଲ ର ଦୁର୍ଭାଗ୍ୟ ଆରମ୍ଭ ହେଲା ୧୯୯୪ ରୁ। ସେତେବେଳେ ଓଡିଶା ସରକାର ସବୁ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ  ସରକାରୀ ଘୋଷଣା କଲେ । ଏହାଫଳରେ ୧୯୮୨ ପୂର୍ବର ପ୍ରାୟ ସବୁ ସ୍କୁଲ ସରକାରୀ ହେଲା। କିନ୍ତୁ ସେତେବେଳେ କେ ସି ମ୍ୟାନେଜମେଣ୍ଟ ଟ୍ରଷ୍ଟର ସଭାପତି ପୂର୍ବତନ ଖଲ୍ଲିକୋଟ/ କବିସୂର୍ଯ୍ୟନଗର ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଵୀ ଏହି ତିନୋଟି ବିଦ୍ୟାଳୟ ସରକାରଙ୍କୁ ହସ୍ତାନ୍ତର କଲେ ନାହିଁ। ଫଳରେ ବିଦ୍ୟାଳୟ ବିଭିନ୍ନ ଅନୁଦାନରୁ ବଞ୍ଚିତ ହେଲା। ଶିକ୍ଷକ ମାନେ ମଧ୍ୟ ଅନେକ ଆର୍ଥିକ କ୍ଷତି ସହିଲେ।  ସରକାର ଆଉ ଶିକ୍ଷକ ନିଯୁକ୍ତି କଲେ ନାହିଁ। ୧୯୯୭ ରୁ ପୁରାତନ ଛାତ୍ର ସଙ୍ଗଠନ, ଶିକ୍ଷକ କଲ୍ୟାଣ ପରିଷଦ ଓ ଜନ ସାଧାରଣ ଏଵଂ ପରବର୍ତ୍ତୀ ସମୟରେ ସଂସ୍କାରବାଦୀ ସଂଗଠନ ସରକାରୀ କରିବା ପାଇଁ ଦାବୀ, ଧାରଣା ଓ ଆନ୍ଦୋଳନ କରି ଆସୁଛନ୍ତି। ତେବେ ଟ୍ରଷ୍ଟ ସଭାପତିଙ୍କ ଚାପ ଆଗରେ ସରକାର ମୁଣ୍ଡ ନୂଆଉ ଥିଲେ। ବିଡମ୍ବନର ବିଷୟ ଜନସାଧାରଣଙ୍କ ଦାବୀ ଯୋଗୁଁ ଏହି ତିନୋଟି ବିଦ୍ୟାଳୟ ସରକାରୀ କରିବା ପାଇଁ ୨୦୧୭ରେ କ୍ୟାବିନେଟ ନିଷ୍ପତି ହୋଇଥିଲା ଓ ପରିଚାଳନା କମିଟି ମଧ୍ୟ ହସ୍ତାନ୍ତରର ନିଷ୍ପତି ଗ୍ରହଣ କରିଥିଲା। କିନ୍ତୁ ସଭାପତି ମନ ବଦଳାଇ ପୁଣି ବିଭାଗ ଉପରେ ଚାପ ପକାଇବା ସହ ବ୍ୟବସାୟ କରଣ ଉଦ୍ଦେଶ୍ୟରେ କେ ସି ହାଇସ୍କୁଲ ହତାରେ ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ କେ  ସି ପବ୍ଲିକ ସ୍କୁଲ ନାମରେ ଖୋଲିଦେଲେ। 

ପୂର୍ବ ସରକାର ନାହାଁନ୍ତି। ପରିଚାଳନା କମିଟି ଦୀର୍ଘ ବର୍ଷରୁ ନବୀକରଣ ନହୋଇ ଶକ୍ତିହୀନ। ସେ ସଭାପତି ଇହ ଧାମରୁ ବିଦାୟ ନେଲେଣି। ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେଉଥିବା ଜନପ୍ରିୟ ସରକାର ଏବେ ଶାସନରେ। ଜଣେ ବିଚାରଵନ୍ତ ନେତାଙ୍କ ଦାୟିତ୍ୱରେ ଶିକ୍ଷା ବିଭାଗ। ଏସବୁ ଦର୍ଶାଇ ଶ୍ରୀ ମହାରଣା ବିଦ୍ୟାଳୟ ଗୁଡିକୁ ଯଥାଶୀଘ୍ର ସରକାରୀ କରିବା ସହ ଅନଧିକାର ଭାବେ କେ ସି ହାଇସ୍କୁଲ ଜବରଦଖଲ କରି ଚାଲିଥିବା ପବ୍ଲିକ ସ୍କୁଲ ବନ୍ଦ କରି ସ୍ୱୀକୃତି ପ୍ରତ୍ୟାହାର ପାଇଁ ଦାବୀ କରିଥିଲେ ଓ ଐତିହ୍ୟ ମାନ୍ୟତା ପ୍ରାପ୍ତ ବିଦ୍ୟାଳୟର ପୂର୍ବ ସୁନାମ, ଓ ଗୌରବ ଫେରାଇ ଆଣିବା ସହ ବିଦ୍ୟାଳୟକୁ ପୂର୍ବ ପରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରିବାକୁ ଅନୁରୋଧ କରିଥିଲେ। ଦୁଇମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ଜନସାଧାରଣ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଜଣାଇଥିଲେ। ତେବେ ମାନ୍ୟବର ମନ୍ତ୍ରୀ eଶ୍ରୀଯୁକ୍ତ ଗଣ୍ଡ, ଯଥାଶୀଘ୍ର ଏହାର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶୃତି ଦେଇଥିଲେ। ଆଲୋଚନା ବେଳେ ଓଡିଶା ଖାଦ୍ୟ ନିଗମ ସଦସ୍ୟା ଶ୍ରୀମତୀ ବବିତା ପାତ୍ର, ସମାଜସେବୀ ସନତ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ। ଆଲୋଚନା ସକାରାତ୍ମକ ହୋଇଥିବାରୁ ଓ ମାନ୍ୟବର ମନ୍ତ୍ରୀ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣର ପ୍ରତିଶୃତି ଦେଇଥିବାରୁ ସମସ୍ତେ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS