୩ ବର୍ଷ ବିତିଗଲା,ଗଣିଆ ଆଦର୍ଶ ବିଦ୍ୟାଳୟରେ ପିଲାଙ୍କୁ ମିଳିନି ଡ୍ରେସ
ଗଣିଆ (ମଣିଭଦ୍ରା ଖବର) ଗରୀବ ନିରିହ ତଥା ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ ପାଇଁ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଏଠାରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ରହିବା,ଖାଇବା ସହିତ ପିଲାମାନଙ୍କୁ ସ୍ବତନ୍ତ୍ର ପୋଷାକ ପ୍ରଦାନ କରାଯାଉଛି । କିନ୍ତୁ ଗଣିଆ ପାଇଁ ଏହି ନିୟମ ଗୁଡିକ ପାଳନ ହୋଇପାରିନାହିଁ । ଗଣିଆରେ ଗତ ୩ ବର୍ଷ ଧରି ଆଦର୍ଶ ବିଦ୍ୟାଳୟ ଚାଲୁ ରହିଛି । ଏଠାରେ ୬ଷ୍ଠ ଶ୍ରେଣୀ ଠାରୁ ୮ମ ଶ୍ରେଣୀ ପର୍ଯ୍ୟାୟ ପ୍ରାୟ ୨୨୭ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁଛନ୍ତି । ଗଣିଆ ଠାରୁ ଦୂର ଏକ ନିକାଞ୍ଚନ ତଥା ଯାତାୟାତ ନଥିବା ସ୍ଥାନରେ ଉକ୍ତ ବିଦ୍ୟାଳୟ ଖୋଲା ଯାଇଥିବାରୁ ଛାତ୍ର ଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ଝିଅ ପିଲାଙ୍କ ପାଇଁ ହଷ୍ଟେଲ ନିର୍ମାଣ ସରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହେଉନଥିବାରୁ ସେମାନେ ନିଜେ ଗାଡି ଭଡ଼ା କରି ଯିବା ଆସିବା କରୁଛନ୍ତି । ଅଭିଭାବକ ମାନଙ୍କୁ ଗାଡି ଭଡ଼ା,ଟ୍ଯୁସନ ଖର୍ଚ୍ଚ ବାବଦକୁ ମାସକୁ ୩ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବା ବେଳେ ୩ ବର୍ଷ ହେଲାଣି ଡ୍ରେସ୍ ମଧ୍ୟ ନିଜେ କିଣୁଛନ୍ତି । ଆଦର୍ଶ ବିଦ୍ୟାଳୟରେ ସମସ୍ତ ସରକାରୀ ସୁବିଧା ସୁଯୋଗ ମିଳୁଥିଲେ ମଧ୍ୟ ଗଣିଆରେ ପିଲାମାନେ ଏଥିରୁ ବଞ୍ଚିତ ହେଉଛନ୍ତି । ଫଳରେ ଅନେକ ଛାତ୍ର ଛାତ୍ରୀ ଏହି ବିଦ୍ୟାଳୟରୁ ମୁହଁ ଫେରାଇ ନେଉଛନ୍ତି । ଏ ସମ୍ପର୍କରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ପଚାରିବାରୁ ବ୍ଳକ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଡ୍ରେସ୍ ସମ୍ପର୍କରେ ସେ ଜଣାଇଛନ୍ତି । ଅଧା ପିଲାଙ୍କ ପାଇଁ ଡ୍ରେସ୍ ଦେବାକୁ ସେମାନେ କହୁଥିବା ବେଳେ ଆମେ ମନା କଲୁ ବୋଲି ଅଧ୍ୟକ୍ଷ ମତବ୍ୟକ୍ତ କରିଛନ୍ତି । ତେବେ ଶିକ୍ଷା ବିଭାଗର ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଭିଭାବକ ମହଲରେ ଦାବୀ ହେଉଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment