BREAKING
Loading...
:

ଠକେଇ ଅଭିଯୋଗରେ ଜଣେ ଗିରଫ

 ଠକେଇ ଅଭିଯୋଗରେ ଜଣେ ଗିରଫ 

ଭୁବନେଶ୍ଵର (ମଣିଭଦ୍ରା ଖବର) ନିଜକୁ  ଟ୍ରାଇ ଏବଂ ମୁମ୍ବାଇ ସାଇବର କ୍ରାଇମ ଡିଭିଜନ ପୋଲିସ କର୍ମଚାରୀର ପରିଚୟ ଦେଇ ଗିରଫ କରିବାର ଧମକ ଦେବା ସହ ଜଣେ ବ୍ୟକ୍ତିଙ୍କ ଠାରୁ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କା ଠକିବାର ଅଭିଯୋଗରେ କ୍ରାଇମବ୍ରାଞ୍ଚ ଜଣେ  ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି  ତେଲେଙ୍ଗାନା ନିଜାମାବାଦର ଅବଦୁଲ ସଲିମ (୩୩) । ପୋଲିସ ଅଭିଯୁକ୍ତ ଠାରୁ ମୋବାଇଲ ଫୋନ, ୩ଟି ସିମ କାର୍ଡ, ସାଉଦି ଆରବର ସିମକାର୍ଡ, ପାସବୁକ, ପାସପୋର୍ଟ, ଆଧାର କାର୍ଡ, ପାନ କାର୍ଡ, ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ ଜବତ କରିଛି । ଅଭିଯୁକ୍ତ ସଲିମ ନାମରେ ସାରା ଦେଶରେ ୧୩ରୁ ଅଧିକ ମାମଲାରେ ସମ୍ପୃକ୍ତି  ଥିବା ତଦନ୍ତରେ ପୋଲିସ ଜାଣିବାକୁ ପାଇଛି । 

ବ୍ରହ୍ମପୁରରେ ରହୁଥିବା ଜଣେ ବରିଷ୍ଠ ନାଗରିକ ଏହି ଡିଜିଟାଲ ଗିରଫ ଭଳି ଠକାମୀର ଶିକାର ହୋଇଥିଲେ ।  ଠକମାନେ ନିଜକୁ ଟ୍ରାଇ ଏବଂ ମୁମ୍ବାଇ ସାଇବର କ୍ରାଇମ ଡିଭିଜନର ପୋଲିସ କର୍ମଚାରୀ ବୋଲି ପରିଚୟ ଦେବା ସହ ତାଙ୍କ ଆଧାରକାର୍ଡରେ  ଲିଙ୍କ ହୋଇଥିବା ଏକ ଅଜଣା ମୋବାଇଲ ନମ୍ବର ସମ୍ପର୍କରେ ପଚାରିଥିଲେ ।  ସେହି ମୋବାଇଲ ନମ୍ବରଟି ବେଆଇନ ଅସ୍ତ୍ରଶସ୍ତ୍ର ଏବଂ  ଡ୍ରଗ୍ସ ଭଳି ମାରାତ୍ମକ ଜିନିଷ  କିଣିବାରେ  ବ୍ୟବହୃତ ହୋଇଛି ବୋଲି ପ୍ରଥମେ ଭୟଭୀତ କରିଥିଲେ । ଏହା ବ୍ୟତୀତ ଉକ୍ତ ନମ୍ବରରୁ ମହାରାଷ୍ଟ୍ରର ଅନେକ ବ୍ୟକ୍ତିଙ୍କୁ ଧମକ ପୂର୍ଣ୍ଣ କଲ୍ ଯାଇଥିବା କଥା ସମ୍ପର୍କରେ ମଧ୍ୟ ଠକମାନେ ଉଲ୍ଲେଖ କରିଥିଲେ । ଏଥିନିମନ୍ତେ ତାଙ୍କୁ ୩ ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହେବ ବୋଲି କହିବା ସହ  ଠକ ମାନେ ତାଙ୍କୁ whatsapp ଜରିଆରେ ଭିଡିଓ କଲ କରି ଅଟକ ରଖିଥିଲେ ।  ଅଭିଯୋଗକାରୀ ଜଣକ ମାନସିକ ଅବସାଦର ସମ୍ମୁଖୀନ ହୋଇଥିଲେ । ଯାଞ୍ଚ ପାଇଁ ତାଙ୍କର ସମସ୍ତ ଟଙ୍କାକୁ ଅଭିଯୁକ୍ତର ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ କହିଥିଲେ । ଏହାସହ ଯାଞ୍ଚ ସମାପ୍ତ ହେବାପରେ ସମ୍ପୂର୍ଣ ଟଙ୍କା ତାଙ୍କ ଆକାଉଣ୍ଟକୁ  ଫେରାଇ ଦିଆଯିବ ବୋଲି ଅଭିଯୁକ୍ତ କହିଥିଲେ । ସେହି ଅନୁଯାୟୀ  ଅଭିଯୋଗକାରୀ ବରିଷ୍ଠ ନାଗରିକ ଠକର  ଆକାଉଣ୍ଟକୁ  ଦୁଇଥରରେ ୧  କୋଟି ଟଙ୍କା ଜମା  କରିଥିଲେ । 

ପରେ ସେ ଠକାମୀର ଶିକାର ହୋଇଛନ୍ତି ବୋଲି ଜାଣିବା ପରେ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ସଲିମକୁ ଗିରଫ କରିଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୭  ମସିହାରେ ଅଭିଯୁକ୍ତ ସଲିମ ୯  ମାସ ପାଇଁ  ଏବଂ ୨୦୨୪ ରେ ମଧ୍ୟ ସାଉଦି ଆରବ ଯାଇଥିଲା ବୋଲି ପୋଲିସ ତଦନ୍ତରେ ଜାଣିବାକୁ ପାଇଛି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS