*୨୦୨୪ରେ ଭାରତ ଅତ୍ୟଧିକ ପାଣିପାଗଜନିତ ପରିସ୍ଥିତିର ସମ୍ମୁଖୀନ: ୯ ମାସରେ ୨୫୫ ଦିନ ପ୍ରଭାବିତ, ୩୨୩୮ ମୃତ*
୨୦୨୪ ମସିହାରେ ଭାରତ ଅତ୍ୟଧିକ ପାଣିପାଗଜନିତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଚଳିତ ବର୍ଷର ପ୍ରଥମ ୯ ମାସ (୨୭୪ ଦିନ)ରୁ ୨୫୫ ଦିନ (୯୩%) ଗ୍ରୀଷ୍ମ ଓ ଶୀତ ଲହରି, ବାତ୍ୟା, ବଜ୍ରପାତ, ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୩,୨୩୮ ଜଣଙ୍କ ଜୀବନ ଯିବା, ୩.୨ ନିୟୁତ ହେକ୍ଟର ଫସଲ ପ୍ରଭାବିତ ହେବା ସହ ୨୩୫,୮୬୨ଟି ଘର ଓ କୋଠା ନଷ୍ଟ ହୋଇଛି। ଏଥି ସହ ପ୍ରାୟ ୯,୪୫୭ ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଥିବା ଶୁକ୍ରବାର ପ୍ରକାଶିତ ‘ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନ୍ଭିରନମେଣ୍ଟ’ (ସିଏସ୍ଇ) ରିପୋର୍ଟରେ କୁହାଯାଇଛି। ନଭେମ୍ବର ୧୧ରୁ ୨୨ ପର୍ଯ୍ୟନ୍ତ ଆଜରବାଇଜାନର ବାକୁଠାରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ବା କନଫରେନ୍ସ ଅଫ୍ ଦି ପାର୍ଟିଜ୍ (ସିଓପି୨୯)ର କିଛି ଦିନ ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ତଥ୍ୟ ଆଧାରରେ ‘କ୍ଲାଇମେଟ୍ ଇଣ୍ଡିଆ ୨୦୨୪: ଆନ୍ ଆସେସ୍ମେଣ୍ଟ ଅଫ୍ ଏକ୍ସଟ୍ରିମ୍ ୱେଦର ଇଭେଣ୍ଟସ୍’ ଶୀର୍ଷକ ଏହି ରିପୋର୍ଟ ପ୍ରକାଶ ପାଇଛି। ୨୦୨୩ର ପ୍ରଥମ ୯ ମାସ ମଧ୍ୟରେ ୨୭୪ ଦିନ ମଧ୍ୟରୁ ୨୫୫ ଦିନରେ ଅତ୍ୟଧିକ ପାଣିପାଗଜନିତ ଘଟଣା ରେକର୍ଡ କରାଯାଇଥିଲା।
ସିଏସ୍ଇ ମହାନିର୍ଦ୍ଦେଶକ ସୁନୀତା ନାରାୟଣ କହିଛନ୍ତି ଯେ ୨୦୨୪ରେ ରେକର୍ଡ ଭାଙ୍ଗିଥିବା ପରିସଂଖ୍ୟାନ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ପ୍ରତିଫଳିତ କରୁଛି। ପ୍ରତି ଶତାବ୍ଦୀରେ ଥରେ ଘଟୁଥିବା ଘଟଣା ଏବେ ପ୍ରତି ପାଞ୍ଚ ବର୍ଷରେ କିମ୍ବା ତା’ଠାରୁ କମ୍ ସମୟରେ ଘଟୁଛି। ଏହା ସବୁଠାରୁ ଅସୁରକ୍ଷିତ ଜନସଂଖ୍ୟାକୁ ଅଧିକ ପ୍ରଭାବିତ କରୁଛି। ୧୯୦୧ ପରଠାରୁ ଜାନୁଆରି ୨୦୨୪ ଭାରତର ନବମ ଶୁଖିଲା ମାସ ଥିଲା। ଗତ ୧୨୩ ବର୍ଷ ମଧ୍ୟରେ ଫେବ୍ରୁଆରିରେ ଦ୍ୱିତୀୟ ସର୍ବାଧିକ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ମେ ମାସରେ ଚତୁର୍ଥ ସର୍ବୋଚ୍ଚ ହାରାହାରି ତାପମାତ୍ରା ରେକର୍ଡ କରାଯାଇଛି। ୧୯୦୧ ପରଠାରୁ ସର୍ବାଧିକ ସର୍ବନିମ୍ନ ତାପମାତ୍ରା ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ରେକର୍ଡ କରାଯାଇଛି।
ଚଳିତବର୍ଷ ଆସାମରେ ୧୨୨ ଦିନ ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ରେକର୍ଡ କରାଯାଇଛି, ଯେଉଁଥିରେ ରାଜ୍ୟର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେବା ସହ ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ସମଗ୍ର ଦେଶରେ ବନ୍ୟା ଯୋଗୁଁ ୧୩୭୬ ଜଣଙ୍କ ଜୀବନ ଯାଇଛି। ମଧ୍ୟପ୍ରଦେଶରେ ୨୭୪ ଦିନ ମଧ୍ୟରୁ ୧୭୬ ଦିନ ଖରାପ ପାଗ ଅନୁଭୂତ ହୋଇଥିଲା, ଯାହା କି ଦେଶରେ ସର୍ବାଧିକ। କେରଳରେ ସର୍ବାଧିକ ୫୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମଧ୍ୟପ୍ରଦେଶରେ ୩୫୩ ଓ ଆସାମରେ ୨୫୬ ଜଣଙ୍କ ମୃତ୍ୟୁ ହୋଇଛି। ଆନ୍ଧ୍ରପ୍ରଦେଶରେ ଅଧିକାଂଶ ଘର କ୍ଷତିଗ୍ରସ୍ତ ହୋଇଛି (୮୫,୮୦୬)। ମହାରାଷ୍ଟ୍ର ୧୪୨ ଦିନ ଚରମ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା ଏବଂ ସମଗ୍ର ଦେଶର ୬୦ ପ୍ରତିଶତ ଫସଲ କ୍ଷତି ଏହି ରାଜ୍ୟରେ ହୋଇଥିଲା। ତା’ ପଛକୁ ଫସଲ କ୍ଷତିରେ ମଧ୍ୟପ୍ରଦେଶର ସ୍ଥାନ ରହିଛି। ଏହି ରିପୋର୍ଟର ସହ-ଲେଖକ ରାଜିତ ସେନଗୁପ୍ତା କହିଛନ୍ତି ଯେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ୨୧୦ ଜଣଙ୍କ ଜୀବନ ଯାଇଛି। ପାଣିପାଗ ଜନିତ କ୍ଷୟକ୍ଷତି ପାଇଁ ଦୃଢ଼ କ୍ଷତିପୂରଣ ବ୍ୟବସ୍ଥାର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଛି। ଏହି ସହାୟତା ବିନା କୃଷକମାନେ ଋଣଭାର ଓ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଉଛନ୍ତି ବୋଲି ସେନଗୁପ୍ତା କହିଛନ୍ତି।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା

إرسال تعليق