୬ ମାସ ହେବ ପାରିଶ୍ରମିକ ମିଳୁ ନଥିବାରୁ କାର୍ଯ୍ୟବନ୍ଦ କରିବାକୁ ଦାବୀପତ୍ର ପ୍ରଦାନ
ଗଣିଆ (ମଣିଭଦ୍ରା ଖବର) ମହିଳା ମାନଙ୍କୁ ସଶକ୍ତିକରଣ କରିବାକୁ ସରକାର ମିଶନ ଶକ୍ତି ଯୋଜନା ପ୍ରଣୟନ କଲେ । ଏହି ଯୋଜନାରେ ଗ୍ରାମପଞ୍ଚାୟତ ସ୍ତରରେ ଏମବିକେ, ସିଆରପି,କୃଷି ମିତ୍ର, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର ପଦବୀ ସୃଷ୍ଟି କରାଯାଇ ସେମାନଙ୍କୁ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିବାକୁ ଦାୟିତ୍ୱ ଦିଆଗଲା । କୁକୁଡ଼ା ଚିଆଁ ବାଣ୍ଟିବା ଠାରୁ ଆରମ୍ଭ କରି ସୁଭଦ୍ରା ଯୋଜନା ପର୍ଯ୍ୟନ୍ତ ବ୍ଳକର ଯାବତୀୟ କାର୍ଯ୍ୟକ୍ରମରେ ଏହି କର୍ମୀ ମାନଙ୍କୁ ଆଗଧାଡିରେ ଦେଖିବାକୁ ମିଳିଲା । କିନ୍ତୁ ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳିଲାନି । ଏପରିକି ଦୀର୍ଘ ୬ ମାସ ହେଲା ସେମାନେ ପାରିଶ୍ରମିକ ପାଇବାରୁ ବଞ୍ଚିତ ହୋଇଛନ୍ତି ।
ଫଳରେ ପାଞ୍ଚଗୋଟି କମ୍ୟୁନିଟି ଷ୍ଟାଫ (ବ୍ଳକ ସ୍ତରୀୟ ଜିପିଏଲ୍ ଏଫ୍ କର୍ମୀ ସଂଘ) ସଦସ୍ୟ ମାନେ ଏକତ୍ରିତ ହୋଇ ବିଡ଼ିଓଙ୍କ ଅନୁପସ୍ଥିତିରେ ବିପିଏମ କାଦମ୍ବିନୀ ନାୟକଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ସେମାନେ ଆସନ୍ତାକାଲି ଗୁରୁବାର ୨୫ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛନ୍ତି । ସେମାନଙ୍କର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ସେମାନେ ଏହି ଆନ୍ଦୋଳନ ଜାରି ରଖିବେ ବୋଲି ସଂଘର ସଭାନେତ୍ରୀ ଶୁକ୍ଳାରାଣୀ ଦାସ ପ୍ରକାଶ କରିଛନ୍ତି । ଏହାର ଏକକିତା ନକଲ ଜିଲ୍ଲାପାଳ,ମିଶନ ଶକ୍ତି ବିଭାଗର ସଚିବ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରିଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଗଣିଆ ବ୍ଳକର ସମସ୍ତ ଏମବିକେ, ସିଆରପି, କୃଷି ମିତ୍ର, ପ୍ରାଣୀ ମିତ୍ର ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment