BREAKING
Loading...
:

ପଦ୍ମଶ୍ରୀ ମୋହନ ନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ

 ପଦ୍ମଶ୍ରୀ ମୋହନ ନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ 

ଭୁବନେଶ୍ଵର (ମଣିଭଦ୍ରା ଖବର) ଜାତିଗତ ବିଦ୍ଵେଷ ଓ ଶୋଷଣରୁ ଦଳିତମାନଙ୍କ ମୁକ୍ତି ପାଇଁ ନିରବଚ୍ଛିନ୍ନ ଭାବେ ସଂଗ୍ରାମ କରିଆସିଥିବା ଓଡ଼ିଶାର ଜଣେ ପ୍ରମୁଖ ସମାଜ ସଂସ୍କାରକ ପଦ୍ମଶ୍ରୀ ମୋହନ ନାୟକଙ୍କ ଆଜି ମୃତ୍ୟୁ ବାର୍ଷିକୀ । ଜାତି ବ୍ୟବସ୍ଥାର ଉନ୍ମୁଳନ ପାଇଁ ଉଦ୍ୟମ କରିବା ସହ ସେ ଦଳିତ ପିଲାମାନେ ପାଠ ପଢିବା ପାଇଁ ସ୍ଵତନ୍ତ୍ର ସ୍କୁଲର ବ୍ୟବସ୍ଥା କରିଥିଲେ । ଉଚ୍ଚ ଜାତିର ବ୍ରାହ୍ମଣ ସେବାୟତ ବା ପଣ୍ଡାମାନଙ୍କ ଆଧିପତ୍ୟ ରହିଥିବା ପୁରୀର ଜଗନ୍ନାଥ ମନ୍ଦିରରେ ୧୯୪୮ ମସିହାରେ ତାଙ୍କ ନେତୃତ୍ୱରେ ଐତିହାସିକ ମନ୍ଦିର ପ୍ରବେଶ ଆନ୍ଦୋଳନ ସଂଗଠିତ ହୋଇଥିଲା । ଯଦିଓ ପୁରୀ ଗଜପତିଙ୍କ ସମେତ ଓଡ଼ିଶାର କେତେକ ରାଜା, ଜମିଦାର ଓ ମଠ ମହନ୍ତ ତଥା ଉଚ୍ଚ ଜାତିର ରୁଢିବାଦୀ ଲୋକମାନେ ଭୟଙ୍କର ଭାବେ ବିରୋଧ କରିଥିଲେ କିନ୍ତୁ ତାହା ସତ୍ବେ ଦଳିତଙ୍କ ମନ୍ଦିର ପ୍ରବେଶ ସମ୍ଭବ ହୋଇପାରିଥିଲା । ଏଠାରେ ଉଲ୍ଲେଖଯାଗ୍ୟ ଯେ ଏହି ଆନ୍ଦୋଳନ ପୂର୍ବରୁ ପୁରୀ ଜଗନ୍ନାଥ ମନ୍ଦିର ସମେତ ରାଜ୍ୟରେ ହିନ୍ଦୁ ମନ୍ଦିରମାନଙ୍କରେ ଦଳିତ ବା ଅସ୍ପୃଶ୍ୟ ଜାତିର ଲୋକଙ୍କ ପ୍ରବେଶ ଆଦୌ ସମ୍ଭବ ନଥିଲା । ହିନ୍ଦୁ ଧର୍ମର ଅନ୍ତର୍ଗତ ହୋଇଥିଲେ ମଧ୍ୟ ସେମାନେ ଉଚ୍ଚ ଜାତିର ବା ସବର୍ଣ୍ଣଙ୍କ ଭଳି ମନ୍ଦିର ଭିତରକୁ ପ୍ରବେଶ ଅଧିକାର ପାଇନଥିଲେ । କିନ୍ତୁ ୧୯୪୮ ମସିହାରେ ଦଳିତ ନେତା ପଦ୍ମଶ୍ରୀ ମୋହନ ନାୟକଙ୍କ ନେତୃତ୍ୱରେ ଦଳିତମାନଙ୍କ ଯେଉଁ ଜଗନ୍ନାଥ ମନ୍ଦିର ପ୍ରବେଶ ଆନ୍ଦୋଳନ ହେଲା, ତାରି ପରେ ଓଡିଶା ସରକାର ବାଧ୍ୟ ହୋଇ ଓଡିଶା ଟେମ୍ପୁଲ ଏଣ୍ଟ୍ରି ଆକ୍ଟ - 1948 ପ୍ରଣୟନ କରିଥିଲେ, ଯାରି ଫଳରେ ଓଡ଼ିଶାର ସବୁ ମନ୍ଦିରରେ ଜାତି ନିର୍ବିଶେଷରେ ସବୁ ହିନ୍ଦୁଙ୍କ ପ୍ରବେଶକୁ ଆଇନଗତ ଅନୁମତି ମିଳିଥିଲା । ଯଦିଓ ଆଜି ବି କେବଳ ପୁରୀ ଜଗନ୍ନାଥ ମନ୍ଦିର ଓ କିଛି ମନ୍ଦିରକୁ ଛାଡିଦେଲେ ଆମ ରାଜ୍ୟର ଅଧିକାଂଶ ମନ୍ଦିର ଭିତରକୁ ଦଳିତ ବା ଅସ୍ପୃଶ୍ୟମାନଙ୍କୁ ପ୍ରବେଶର ସୁଯୋଗ ଦିଆଯାଉନି । କିଛି ବର୍ଷ ତଳେ କେନ୍ଦ୍ରାପଡା ଜିଲ୍ଲାର କେରଡ଼ାଗଡ଼ ଜଗନ୍ନାଥ ମନ୍ଦିର ମଧ୍ୟରେ ଦଳିତମାନେ ପ୍ରବେଶ କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କଲାବେଳେ ଯେଉଁ ଭଳି ପ୍ରତିରୋଧ କରାଯାଇଥିଲା, ସେମାନେ ବାଧ୍ୟ ହୋଇ କୋର୍ଟର ଆଶ୍ରୟ ନେବାକୁ ପଡିଥିଲା । ଓଡ଼ିଶା ହାଇକୋର୍ଟ ଏହି ମାମଲାରେ ଦଳିତଙ୍କ ମନ୍ଦିର ପ୍ରବେଶ ସପକ୍ଷରେ ରାୟ ଦେଇଥିଲେ । ଆଶ୍ଚର୍ଯ୍ୟର କଥା, ରାଜ୍ୟର ଜାତି ନିର୍ବିଶେଷରେ ସବୁ ହିନ୍ଦୁଙ୍କ ମନ୍ଦିର ପ୍ରବେଶର ଅଧିକାର ପାଇଁ ଆଇନ ତିଆରି ହେବାର ଏତେ ବର୍ଷ ପରେ ବି ରାଜ୍ୟର ବିଭିନ୍ନ ଗାଁରେ ଦଳିତଙ୍କ ମନ୍ଦିର ପ୍ରବେଶକୁ ନେଇ ଉତ୍ତେଜନା ଓ ହିଂସାର ଖବର ଲଗାତାର ମିଳୁଛି ।

ସମାଜ ସଂସ୍କାରକ ମୋହନ ନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

Previous Post Next Post
Header ADS