ବିଧାନ ସଭା ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିବେ ଶିକ୍ଷକ ସଂଘ।
ବଲାଙ୍ଗୀର/ସଇଁତଲା( ମଣିଭଦ୍ରା ଖବର)
ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଣଦେଖା କରାଯିବାକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ସ୍ଥିତିରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଆଶିଷ ସିଂ ଭୋଇଙ୍କ ସଭାପତିତ୍ୱରେ ସ୍ଥାନୀୟ ବିବେକାନନ୍ଦ ପାଠାଗାର ପରିସରରେ ଆସନ୍ତା ୨୭ ତାରିଖରେ ବିଧାନସଭା ଘେରାଉ ଏବଂ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାର ପ୍ରାଥମିକ ଶିକ୍ଷକଙ୍କୁ ଉପେକ୍ଷା କରିବା ସହ ରାଜ୍ୟରେ ଗୁଣାତ୍ମକ ଶିକ୍ଷା ନାଁରେ ତାଲିମପ୍ରାପ୍ତ ଉଚ୍ଚଶିକ୍ଷିତ ଯୁବକ ଯୁବତୀଙ୍କୁ ଶୋଷଣ କରୁଛନ୍ତି । ୨୦୦୧ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ୧୫୦୦ ଟଙ୍କାରେ ଶିକ୍ଷା ସହାୟକଙ୍କୁ ନିୟୋଜିତ କରାଯାଇ ଥିଲା । ଆଉ ଏବେ ରାଜ୍ୟ ସରକାର ସମସ୍ତ ବିଭାଗରୁ ଠିକା ନିଯୁକ୍ତି ପ୍ରଥା ଉଚ୍ଛେଦ କରିଥିବାବେଳେ ପ୍ରାଥମିକ ଶିକ୍ଷାକୁ ବାଦ ଦେଇଛନ୍ତି । ପୁଣି ୨୦୧୩ ମସିହାରୁ ଠିକା ଚୁକ୍ତିରେ ନିଯୁକ୍ତ କର୍ମଚାରୀଙ୍କ ୬ ବର୍ଷର ଠିକା କାର୍ଯ୍ୟକାଳକୁ ୬ଟି ଇନକ୍ରିମେଣ୍ଟ ଦେଇ ଗଣନା କରିଥିବାବେଳେ ୨୦୦୧ ମସିହାରୁ ନିଯୁକ୍ତ ପ୍ରାଥମିକ ଶିକ୍ଷକଙ୍କୁ ୬ଟି ଇନକ୍ରିମେଣ୍ଟ ଦିଆଯାଇ ନାହିଁ କିମ୍ବା ସେମାନଙ୍କୁ ଠିକା କାର୍ଯ୍ୟକାଳକୁ ଗଣନା କରାଯାଇ ନଥିବାରୁ ଅସନ୍ତୋଷ ଦେଖା ଦେଇଛି । ସବୁ କର୍ମଚାରୀଙ୍କ ଭଳି ପ୍ରାଥମିକ ଶିକ୍ଷକଙ୍କ ୬ ବର୍ଷର ଠିକା କାର୍ଯ୍ୟକାଳକୁ ଇନକ୍ରିମେଣ୍ଟ ଦେଇ ଗଣନା କରିବା ଓ ସମସ୍ତ ପୁରୁଣା ପେନସନ ପ୍ରଦାନ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ତେବେ ରାଜ୍ୟ ସରକାରଙ୍କୁ ବାରମ୍ବାର ଦାବି କରାଯାଉ ଥିବାବେଳେ ଏହାର କୌଣସି ସୁଫଳ ମିଳୁ ନଥିବାରୁ ଆସନ୍ତା ୧୯ରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ୨୭ରେ ବିଧାନସଭା ଘେରାଉ କରାଯିବ ବୋଲି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସନ୍ତୋଷ ଗୁପ୍ତା, ପ୍ରଦୀପ ପଣ୍ଡା, ଦିଲ୍ଲୀପ ବଗର୍ତ୍ତି, ହୀରଣ୍ମୟୀ ପୃଷେଠ, ସରୋଜ ବେହେରା, ଆଦିତ୍ୟ ରଣା, ନିରଞ୍ଜନ ମାଝୀ, ସୁଧାଂଶୁ ସିଂ ଭୋଇ, ପ୍ରଭୁଦତ୍ତ ସାହୁ, ସୁଦାମ ସ୍ୱାଇଁ, ମନୋଜ ସାହୁ ଓ ହରେକୃଷ୍ଣ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର
Post a Comment