୪୩ବର୍ଷ ମଧ୍ୟରେ ରାସ୍ତା ଟିଏ ହେଲାନି ସ୍କୁଲକୁ
ଦଶପଲ୍ଲା (ମଣିଭଦ୍ରା ଖବର)୧୯୮୦-୮୧ ମସିହାରେ ଗ୍ରାମାଞ୍ଚଳରେ ଥିବା ଅଶିକ୍ଷାର ଅନ୍ଧକାରକୁ ଦୂରେଇ ଶିକ୍ଷାର ଆଲୋକ ବର୍ତ୍ତିକା ଜାଳିବା ଉଦ୍ଦେଶ୍ୟରେ ତତ୍କାଳୀନ ବିଧାୟକ ସ୍ବର୍ଗତ ହରିହର କରଣଙ୍କ ପ୍ରଚେଷ୍ଟାରେ ସ୍ଥାପିତ ହୋଇଥିଲା ନିଜ୍ ଗମ୍ଭାରୀଖୋଲ ଗ୍ରାମରେ ନିମ୍ନପ୍ରାଥମିକ ବିଦ୍ୟାଳୟ ଟିଏ। ଗ୍ରାମଟି ଦଶପଲ୍ଲା ବ୍ଳକ୍ ନଛିପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ ।ଦଶପଲ୍ଲା ବ୍ଲକ୍ କାର୍ଯ୍ୟାଳୟ ଠାରୁ ମାତ୍ର ୧୧କିଲୋମିଟର ଏବଂ ବିଇଓଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୧୨କିଲୋମିଟର ଦୂରରେ ଅବସ୍ଥିତ ଗମ୍ଭାରୀଖୋଲ ବିଦ୍ୟାଳୟ । କାଳକ୍ରମେ ବିଦ୍ୟାଳୟଟି ନିମ୍ନ ପ୍ରାଥମିକରୁ ପ୍ରାଥମିକ (୧ମରୁ ୫ମ ଶ୍ରେଣୀ) ବିଦ୍ୟାଳୟରେ ପରିଣତ ହୋଇଛି । ଏହା ମଧ୍ୟରେ ରୌପ୍ଯ ଜୟନ୍ତୀ ପାଳନ କରି ୪୩ବର୍ଷ ଅତିକ୍ରମ କଲାଣି। କିନ୍ତୁ ମୁଖ୍ୟ ରାସ୍ତା ଠାରୁ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ଟିକିଏ ନିର୍ମାଣ କରାଯାଇ ପାରିନାହିଁ । ଛୋଟଛୋଟ ପିଲାମାନେ ଆସିବା ବେଳକୁ ବୁଦବୁଦିକିଆ ଜଙ୍ଗଲରୁ ସାପ, ବିଛା, ଗୋଧି ବାହାରିବା ସମ୍ଭାବନା ରହିଛି ।ବିଶେଷତଃ ବର୍ଷା ଦିନରେ ବେଶି ଭୟ। ପ୍ରଧାନ ଶିକ୍ଷକ ସୁରେଶ କୁମାର ରଣା ବହୁବାର ଜଣାଇ ନୂଆ ସ୍କୁଲ ଘର କରେଇଲେ। କିନ୍ତୁ ରାସ୍ତା ହେଇନି।ଏବେ ସେ ଜୁଲାଇ୩୧ରେ ଅବସର ନେଲେ । ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ସେ ନିବେଦନ କରିଛନ୍ତି ତୁରନ୍ତ ସ୍କୁଲ ରାସ୍ତା ତିଆରି କରିବାକୁ । ଦେଖାଯାଉ କେବେ ପିଲାଙ୍କ ଭାଗ୍ୟ ବଦଳୁଚି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment