ବ୍ରାହ୍ମଣ ମହାସଂଘ ତରଫରୁ ପ୍ରଥମ କଳା ମହୋତ୍ସବ ଅନୁଷ୍ଠିତ
ଭୁବନେଶ୍ୱର (ମଣିଭଦ୍ରା ଖବର) ବ୍ରାହ୍ମଣ ମହାସଂଘ ତରଫରୁ ପ୍ରଥମ କଳା ମହୋତ୍ସବ ଆଜି ସଂଧ୍ୟା ୫ ଘଟିକା ସମୟରେ ଅନ ଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଚିତ୍ତରଞ୍ଜନ ମିଶ୍ରଙ୍କ ଧର୍ମପତ୍ନୀ ସ୍ବର୍ଗତ ଜ୍ୟୋସ୍ନା ରାଣୀ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଜଣାପଡ଼ିଛି । ଏହି ପ୍ରତିଯୋଗିତାରେ ପୁରାତନ ଭଜନ ସଙ୍ଗୀତ ଗାନ, ଶ୍ରୀମଦ୍ଭାଗବଦ୍ ଗୀତା ପାଠ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ୬୧ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେଥିମଧ୍ୟରୁ ଗୀତା ପାଠ ପାଇଁ ୩୦ ଜଣ, ଚିତ୍ରାଙ୍କନ ପାଇଁ ୧୭ ଜଣ ଏବଂ ସଙ୍ଗୀତ ପ୍ରତିଯୋଗିତା ପାଇଁ ୧୪ ଜଣ ଉପସ୍ଥିତ ଥିଲେ । ଗୀତାପାଠ ପ୍ରତିଯୋଗିତା ପାଇଁ ଉପସ୍ଥାପକ ଭାବେ ଇ ଜିତେଶ କୁମାର ଦାଶ, ଚିତ୍ରାଙ୍କନ ପାଇଁ ପ୍ରିୟବ୍ରତ ଷଡ଼ଙ୍ଗୀ, ସଙ୍ଗୀତ ଗାନ ପାଇଁ ସାନୁଜ ରାମ ମିଶ୍ର ସୁନ୍ଦର ଉପସ୍ଥାପନା କରି ମନୋରଞ୍ଜନ କରିଥିଲେ । ସେହିପରି ଗୀତାପାଠରେ ବିଚାରକ ଭାବେ ରାଷ୍ଟ୍ରୀୟ ସଙ୍ଗୀତ ବିଶ୍ଵ ବିଦ୍ୟାଳୟ, ତିରୁପତି ପଣ୍ଡିତ ଦୁର୍ଗାଶରଣ ରଥ,ପୁରୀର ବୈଦିକ ଆଚାର୍ଯ୍ୟ ପଣ୍ଡିତ ଜଗନ୍ନାଥ ରଥ ଯୋଗ ଦେଇଥିବା ବେଳେ ସଙ୍ଗୀତରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ତଥା କଳା ଶିକ୍ଷକ ଦେବୀ ପ୍ରସାଦ ଦାଶ, ସଙ୍ଗୀତ ନିର୍ଦ୍ଦେଶକ ତଥା ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଇ ଲକ୍ଷ୍ମୀପ୍ରସାଦ ମହାପାତ୍ର ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ବରିଷ୍ଠ ବାଲୁକାଶିଳ୍ପୀ ପ୍ରଫୁଲ୍ଲ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ବ୍ରାହ୍ମଣ ମହାସଂଘ ଓଡ଼ିଶାର ଏଭଳି ନିଆରା ପ୍ରୟାସକୁ ଅଭିଭାବକ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି । ସୂଦୁର ଢେଙ୍କାନାଳ ଠାରୁ ଆରମ୍ଭ କରି ଭଦ୍ରକ, ଯାଜପୁର, ପୁରୀ,ନୟାଗଡ ଭଳି ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରି ନିଜର ପରାକାଷ୍ଠା ପ୍ରତିପାଦନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଘର ସଭାପତି ଚିତ୍ତରଞ୍ଜନ ମିଶ୍ର, ରାଜ୍ୟ ସଂଯୋଜକ ପ୍ରିୟବ୍ରତ ଷଡ଼ଙ୍ଗୀ, ସମ୍ପାଦକ ସୈମ୍ୟରଞ୍ଜନ ମହାପାତ୍ର, କୋଷାଧ୍ୟକ୍ଷ ସରୋଜ କୁମାର ଦାଶ ପ୍ରମୁଖ ସଂପୂର୍ଣ୍ଣ ସହଯୋଗ କରିଥିଲେ । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରାଯିବ ବୋଲି ସମ୍ପାଦକ ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment