BREAKING
Loading...
:

୨୯ ବର୍ଷ ହେଲା ସିବିଆଇ ମାଲଖାନାରେ ଗୋପାଳଜୀ

 


୨୯ ବର୍ଷ ହେଲା ସିବିଆଇ ମାଲଖାନାରେ ଗୋପାଳଜୀ

୧୯୮୩ରେ ଗୋପାଳଜୀ ମନ୍ଦିରରୁ ୧୨ଟି ମୂର୍ତ୍ତି ଚୋରି ହୋଇଥିଲା

ଦିଲ୍ଲୀରେ ସିବିଆଇ ସମସ୍ତ  ମୂର୍ତ୍ତି ଜବତ କରିଥିଲା 

ଏଯାଏଁ ସୋନପୁର ଲେଉଟି ନାହାନ୍ତି ମୂର୍ତ୍ତି l 

ସୁବର୍ଣ୍ଣପୁର ( ମଣିଭଦ୍ରା ଖବର)କିଛି ଦିନ ପୂର୍ବର ଭୁବନେଶ୍ୱର ଟଙ୍କପାଣି ମନ୍ଦିରରୁ ୮ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି ହେବା ପରେ ରାଜ୍ୟରେ ମୂର୍ତ୍ତି ଚୋରି ରୋକା ଯାଇ ପାରିନାହିଁ ବୋଲି ପୁଣି ଥରେ ସ୍ପଷ୍ଟ ହୋଇଗଲା । ୧୧ ବର୍ଷରେ ରାଜ୍ୟରୁ ୪୦୦ରୁ ଅଧିକଟି ମୂର୍ତ୍ତି ଚୋରି ନେଇ ମାମଲା ଦରଜ ହୋଇଥିଲେ ମଧ୍ୟ ଏହି କ୍ଷେତ୍ରରେ ବିଶେଷ ସଫଳତା ମିଳିନାହିଁ । ଅନ୍ୟପକ୍ଷରେ ସୋନପୁର ଗୋପାଳଜୀ ମନ୍ଦିରରୁ ଚୋରି ହୋଇଥିବା ସମସ୍ତ ୧୨ଟି ପ୍ରାଚୀନ ମୂର୍ତ୍ତି  ଜବତ ହେବା ଘଟଣାକୁ ୨୯ ବର୍ଷ ହୋଇ ଯାଇଥିଲେ ମଧ୍ୟ ଏଯାଏଁ ସୋନପୁର ଫେରି ନାହାନ୍ତି ଏହି ସବୁ ପ୍ରାଚୀନ ମୂର୍ତ୍ତି । ୧୯୯୩ରେ ଦିଲ୍ଲୀରୁ ସମସ୍ତ ମୂର୍ତ୍ତି ସିବିଆଇ ଜବତ କରିଥିଲେ ମଧ୍ୟ ଗୋପାଳଜୀ ମନ୍ଦିରକୁ ଏହି ମୂର୍ତ୍ତି ନଫେରି ସିବିଆଇ ମାଲଖାନାରେ ପଡି ରହିଛି । 

୧୯୮୩ ମସିହାରେ ରାଜବାଟୀ ସମ୍ମୁଖ ବଡ ଗୋପାଳଜୀ ମନ୍ଦିରରୁ ୧୨ଟି ପ୍ରାଚୀନ ମୂର୍ତ୍ତି ଚୋରିି ହୋଇଥିଲା । ଚୋରି ଘଟଣାକୁ ଦୀର୍ଘ ୩୭ ବର୍ଷ ବିତି ଯାଇଥିଲେ ମଧ୍ୟ ବଡ ଗୋପାଳଜୀ ମନ୍ଦିରର ୧୨ଟି ମୂର୍ତ୍ତି ବସିଥିବା ସେହି ସ୍ଥାନ ସବୁ ଆଜି ବି ଖାଁ ଖାଁ ଲାଗୁଛିା ଏପରିକି ୭ ଅଗଷ୍ଟ ୨୦୦୯ରେ ଗୋପାଳଜୀ ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟକୁ ମୂର୍ତ୍ତି ଫେରାଇ, ପୂର୍ବ ସ୍ଥାନରେ ପୁନଃ ସ୍ଥାପିତ କରି ପୂଜା ବିଧି କରିବା ପାଇଁ ଭୁବନେଶ୍ୱର ସ୍ୱତନ୍ତ୍ର ସିଜେଏମ୍ ସିବିଆଇ କୋର୍ଟ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଥିଲେ । ହେଲେ ଆଜି ଯାଏଁ ସେହି ୧୨ଟି ଦୁର୍ଲଭ ପିତ୍ତଳ ମୂର୍ତ୍ତି ସିବିଆଇ ମାଲଖାନାରେ ରହିଛନ୍ତି । ଏପଟେ ସୋନପୁରରେ ଭକ୍ତଙ୍କ ମହଲରେ କ୍ଷୋଭ ପ୍ରକାଶ ପାଇଛି ।

ଦିଲ୍ଲୀ ସିବିଆଇ ଦ୍ୱାରା ସମସ୍ତ ୧୨ଟି ଚୋରି ମୁର୍ତ୍ତୀ ଜବତ ହେଲା ପରେ ପୁରା ଘଟଣା ଉପରୁ ପର୍ଦ୍ଦା ହଟି ଥିଲା । ୧୦ ଅକ୍ଟୋବର ୧୯୯୩ରେ ଦିଲ୍ଲୀ ଚାନ୍ଦିନି ଚୌକର ଫତେପୁରୀ ନିକଟରୁ ସିବିଆଇ ଦ୍ୱାରା ଜବତ ହୋଇଥିଲା ଗୋପାଳଜୀ ମନ୍ଦିରରୁ ଚୋରି ହୋଇଥିବା ସମସ୍ତ ୧୨ଟି ମୂର୍ତ୍ତି । ୨ଟି ସୁଟ୍‌୍‌କେସରେ ସିଲ୍ଡ ହୋଇଥିବା ଅବସ୍ଥାରେ କଣ୍ଟାବାଞ୍ଜିର ପରମାନନ୍ଦ ଅଗ୍ରୱାଲ ଏବଂ ପୁଅ ରମେଶ ଅଗ୍ରୱାଲଙ୍କ ଠାରୁ ଏହି ମୂର୍ତ୍ତି ଜବତ କରିଥିଲେ ସିବିଆଇ ଡିଏସ୍‌୍‌ପି ମାହାର ସିଂହ । ବିନିକାର ରତନ ଜାନି ନାମକ ଜଣେ ବ୍ୟକ୍ତି ୧୨ ମେ୧୯୮୩ରେ ବଡ ଗୋପାଳଜୀ ମନ୍ଦିରର ତାଲା ଭାଙ୍ଗି ୧୨ଟି ପିତ୍ତଳ ମୂର୍ତ୍ତୀ ଚୋରି କରିଥିଲେ ।  ତରଭାର ଶିବ ପ୍ରସାଦ ଅଗ୍ରୱାଲ ପିତ୍ତଳ ଦର ଅନୁସାରେ  ମାତ୍ର ୧୭୦୦ ଟଙ୍କାରେ ସମସ୍ତ ମୂର୍ତ୍ତି ରତନଠାରୁ କିଣିଥିଲେ । ଏହି ମୂର୍ତ୍ତି ରଖିବା ଦ୍ୱାରା ଘରେ ସମସ୍ୟା ଉପୁଜୁଥିବା ଅନୁଭବ କରି କଣ୍ଟାବାଞ୍ଜିର ପରମାନନ୍ଦ ଅଗ୍ରୱାଲଙ୍କୁ ଶିବ ପ୍ରସାଦ ଦେଇଥିଲେ ସମସ୍ତ ମୂର୍ତ୍ତୀ । ତେବେ ପୁଅ ରମେଶଙ୍କ ସହ ପରମାନନ୍ଦ ଦିଲ୍ଲୀରେ ସମସ୍ତ ମୂର୍ତ୍ତି ବିକ୍ରି ପାଇଁ ଉଦ୍ୟମ ବେଳେ ଧରା ପଡିଥିଲେ । ଭୁବନେଶ୍ୱର ସ୍ୱତନ୍ତ୍ର ସିଜେଏମ୍ ସିବିଆଇ କୋର୍ଟରେ ଗତ ୪ ଅଗଷ୍ଟ ୨୦୦୯ରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ୭ ଅଗଷ୍ଟ ୨୦୦୯ରେ ଚୂଡାନ୍ତ ରାୟ ଶୁଣାଇ କୋର୍ଟ କହିଥିଲେ ପୁରାତନ ମୂର୍ତ୍ତି ଦୁର୍ଲଭ, ପ୍ରାଚୀନ କିର୍ତ୍ତୀରାଜିର ଦର ନିର୍ଦ୍ଧାରଣ କରାଯାଇ ପାରେନା । ଏହି ମୂର୍ତ୍ତି ସବୁ ବଡ ଗୋପାଳଜୀ(ବାହାର) ମନ୍ଦିରକୁ ଫେରାଇ ପୁନଃ ସ୍ଥାପନ ପାଇଁ କୋର୍ଟ ପରାମର୍ଶ ଦେଇଥିଲେ । ଏହାସତ୍ତ୍ୱେ ସୋନପୁରକୁ ଫେରି ପାରି ନାହାନ୍ତି ଏହି ପୁରାତନ କିର୍ତ୍ତୀରାଜି । 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS