ଜାତୀୟ ରାଜପଥ ନିର୍ମାଣରେ ବିପଦରେ ପ୍ରାଚୀନ ଦେବପୀଠର ଅସ୍ତିତ୍ୱ! ୨୦୦ରୁ ଊର୍ଦ୍ଧ୍ୱ ସେବାୟତ ପରିବାରଙ୍କ ଜୀବିକା ଉପରେ ଝୁଲୁଛି ସଙ୍କଟର ଖଣ୍ଡା
ବାଙ୍କୀ , ୧୬।୧୧ (ମାନସ ରଞ୍ଜନ ସାହୁ ): ବିକାଶର ନୂଆ ରାସ୍ତା ଖୋଲିବାକୁ ଯାଉଥିବା ଜାତୀୟ ରାଜପଥ ନିର୍ମାଣ ଏବେ ପ୍ରାଚୀନ ଦେବପୀଠ ଓ ଶତାଧିକ ସେବାୟତ ପରିବାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରାଜପଥ ନିର୍ମାଣ ପାଇଁ ହେବାକୁ ଥିବା ଜମି ଅଧିଗ୍ରହଣରେ ମନ୍ଦିର ସମ୍ପତ୍ତି ସାମିଲ ହେବାକୁ ଥିବାରୁ ଏକାଧିକ ପ୍ରାଚୀନ ଦେବପୀଠର ଅସ୍ତିତ୍ୱ, ପରମ୍ପରା ଓ ନିତ୍ୟନୈମିତ୍ତିକ ପୂଜାବିଧି ପ୍ରଭାବିତ ଦେଖାଦେଇଛି lକଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ରତାଗଡ଼-ଗୋବିନ୍ଦପୁର ପଞ୍ଚାୟତରେ ଥିବା ଏହି ପ୍ରାଚୀନ ଦେବପୀଠଗୁଡ଼ିକ ଏବେ ଜାତୀୟ ରାଜପଥ ପ୍ରକଳ୍ପ ଯୋଗୁଁ ପ୍ରଭାବିତ ହେବାର ଆଶଙ୍କାରେ ରହିଛନ୍ତି। ଅଧିଗ୍ରହଣ ହେବାକୁ ଥିବା ଜମି ମଧ୍ୟରେ ମନ୍ଦିରଗୁଡ଼ିକର ନୀତିକାନ୍ତି, ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଉଦ୍ଦିଷ୍ଟ ଜମିବାଡ଼ି ରହିଥିବା ଜଣାପଡ଼ିଛି। ଫଳରେ ସ୍ୱପ୍ନେଶ୍ୱର ମହାଦେବ, ଗୋପୀନାଥ ଦେବ ଜୀୟୁ, ଦଧିବାମନ ଓ ଉଗୁରିସୁଗୁତି ଦେବୀ ପୀଠର ଦୈନନ୍ଦିନ ପୂଜାନୀତି ଓ ପାରମ୍ପରିକ ଧାର୍ମିକ ବିଧିବିଧାନ ପରିଚାଳନାରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି।
କେବଳ ଦେବପୀଠର ଐତିହ୍ୟ ଓ ପରମ୍ପରା ନୁହେଁ, ଏହା ସହ ଜଡ଼ିତ ୨୦୦ରୁ ଊର୍ଦ୍ଧ୍ୱ ସେବାୟତ ପରିବାରଙ୍କ ଜୀବନଜୀବିକା ମଧ୍ୟ ଏବେ ସଙ୍କଟମୁହାଁ। ପିଢ଼ି ପରେ ପିଢ଼ି ଧରି ଦେବଦେବୀଙ୍କ ସେବାପୂଜାକୁ ନିଜର ଜୀବିକା ଓ ପରମ୍ପରା ଭାବେ ଆପଣାଇ ଆସିଥିବା ଏହି ପରିବାରଗୁଡ଼ିକର ଭବିଷ୍ୟତକୁ ନେଇ ଚିନ୍ତା ବଢ଼ିଛି।
ଏଭଳି ସ୍ଥିତିରେ ମନ୍ଦିର ଜମି ଅଧିଗ୍ରହଣ ବାବଦରେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ସହ ଦେବପୀଠଗୁଡ଼ିକର ନିୟମିତ ନୀତିକାନ୍ତି ଓ ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ଆର୍ଥିକ ସହାୟତା ଯୋଗାଇଦେବାକୁ ସେବାୟତ ସଂଘ ଦାବି କରିଛି। ଏନେଇ ସଂଘର ପ୍ରତିନିଧିମାନେ ବାଙ୍କୀ ଉପଜିଲ୍ଲାପାଳ ମନୋସ୍ୱିନୀ ଦାସଙ୍କୁ ସାକ୍ଷାତ୍ କରି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାର ନକଲ କଟକ ଜିଲ୍ଲାପାଳ ଓ ଦେବୋତ୍ତର ବିଭାଗକୁ ମଧ୍ୟ ପଠାଯାଇଛି।
ଅନ୍ୟପକ୍ଷରେ, ସେବାୟତ ସଂଘ ଚେତାବନୀ ଦେଇଛି ଯେ, ସେମାନଙ୍କ ନ୍ୟାୟସଙ୍ଗତ ଦାବି ପ୍ରତି ପ୍ରଶାସନ ଗୁରୁତ୍ୱ ନଦେଲେ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ।
ତେବେ ବିକାଶର ଗତିକୁ ତ୍ୱରାନ୍ୱିତ କରିବା ସହ ପ୍ରାଚୀନ ଦେବପୀଠଗୁଡ଼ିକର ଐତିହ୍ୟ, ଧାର୍ମିକ ପରମ୍ପରା ଏବଂ ୨୦୦ରୁ ଊର୍ଦ୍ଧ୍ୱ ସେବାୟତ ପରିବାରଙ୍କ ଜୀବିକାକୁ କିପରି ସୁରକ୍ଷା ଦିଆଯିବ, ତାହା ଏବେ ପ୍ରଶାସନ ସମ୍ମୁଖରେ ଏକ ବଡ଼ ଆହ୍ୱାନ ହୋଇ ଉଭା ହୋଇଛି।ହେବାର ଆଶଙ୍କା ଦେଖାଦେଇଛି।
ମଣିଭଦ୍ରା ଖବର, ବାଙ୍କୀ


Post a Comment