*ହାତୀ ଆକ୍ରମଣରେ ଜଣେ ମୃତ: ବନ ବିଭାଗର ନିରବତାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ**
ବେଳପଡା: - ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ ଅନ୍ତର୍ଗତ ଘାଗୁର୍ଲ ଗ୍ରାମରେ ଏକ ଦୁଃଖଦ ଓ ଅଭାବନୀୟ ଅଘଟଣ ଘଟିଯାଇଛି । ଜଙ୍ଗଲୀ ହାତୀ ଆକ୍ରମଣରେ ଗ୍ରାମର ଜଣେ ବ୍ୟକ୍ତିଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମୃତ ଜଣକ ହେଲେ ଘାଗୁର୍ଲ ଗାଁ ର ପଙ୍କଜ କାଣ୍ଡ (୭୦)ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ, ବନ ବିଭାଗର ନିରବତା ଓ ଅବହେଳାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ସୂଚନା ଅନୁଯାୟୀ, ଘାଗୁର୍ଲ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ ଜଙ୍ଗଲୀ ହାତୀ ଗାଁ ମୁହାଁ ହୋଇଥିଲା । କୌଣସି କାମରେ ବାହାରକୁ ଯାଇଥିବା ସମୟରେ ଉକ୍ତ ବ୍ୟକ୍ତି ଜଣକ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ହାତୀଟି ତାଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।ଅନ୍ୟପକ୍ଷରେ, ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରି ଏକ ବଡ଼ ଅଘଟଣ ଘଟିଯିବା ପରେ ମଧ୍ୟ ବନ ବିଭାଗ ଚୁପ୍ ବସିରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଆଜି ଏକ ଅମୂଲ୍ୟ ଜୀବନ ଚାଲିଗଲା ବୋଲି ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି ।
ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ସହ ଅଞ୍ଚଳରୁ ହାତୀ ଘଉଡ଼ାଇବା ପାଇଁ ସ୍ଥାୟୀ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment