ବିଷାକ୍ତ ସାପ କାମୁଡ଼ାରେ ଯୁବକ ମୃତ ।
ଚିକିତ୍ସା ପାଇଁ ଗୋଟିଏ ପରେ ଗୋଟିଏ ହସ୍ପିଟାଲ ସ୍ଥାନାନ୍ତର, ଅଧାବାଟରେ ଚାଲିଗଲା ଜୀବନ ।
ଲାଞ୍ଜିଗଡ: -ବିଷାକ୍ତ ସାପ କାମୁଡ଼ାରେ ଜଣେ ୩୦ ବର୍ଷୀୟ ଯୁବକଙ୍କ ଅକାଳ ମୃତ୍ୟୁକୁ ନେଇ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ତାଲାଙ୍ଗସୁର ଗାଁରେ ଶୋକର ଛାୟା ଖେଳିଯାଇଛି। ମୃତ ଯୁବକ ଜଣକ ତାଲାଙ୍ଗସୁର ଗାଁର ତ୍ରିନାଥ ମାଝୀ (୩୦) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ତ୍ରିନାଥଙ୍କୁ ବିଷାକ୍ତ ସାପ କାମୁଡ଼ିବା ପରେ ତାଙ୍କ ପରିବାର ଲୋକେ ବିଳମ୍ବ ନକରି ତୁରନ୍ତ ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡ଼ିଥିଲା। ଫଳରେ ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ପାଇଁ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ। ବିଶ୍ୱନାଥପୁରରେ ମଧ୍ୟ ତ୍ରିନାଥଙ୍କ ଅବସ୍ଥା ଗୁରୁତର ରହିଥିଲା। ଆବଶ୍ୟକ ଉଚ୍ଚତର ଚିକିତ୍ସା ପାଇଁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ପରାମର୍ଶ ଦିଆଯାଇଥିଲା। ପରିବାର ଲୋକେ ତାଙ୍କୁ ଭବାନୀପାଟଣା ନେଇ ଯାଉଥିବା ସମୟରେ ଦୁଃଖଦ ଭାବେ ଅଧାବାଟରେ ତ୍ରିନାଥଙ୍କ ମୃତ୍ୟୁ ଘଟିଥିଲା। ଜଣେ ସୁସ୍ଥ ଯୁବକଙ୍କ ଏଭଳି ଅକାଳ ମୃତ୍ୟୁ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିଦେଇଛି। ତ୍ରିନାଥଙ୍କ ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ପରିବାର, ସମ୍ପର୍କୀୟ ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ବାତାବରଣ ସୃଷ୍ଟି ହୋଇଛି। ସାପ କାମୁଡ଼ା ଭଳି ଜରୁରୀ ପରିସ୍ଥିତିରେ ତୁରନ୍ତ ଉପଯୁକ୍ତ ଚିକିତ୍ସା ଓ ଆଣ୍ଟି-ସ୍ନେକ୍ ଭେନମ୍ ଉପଲବ୍ଧତା ଅତ୍ୟନ୍ତ ଜରୁରୀ। ଉପାନ୍ତ ଅଞ୍ଚଳରେ ଏଭଳି ଘଟଣା ସମୟରେ ଦ୍ରୁତ ଚିକିତ୍ସା ସେବା ଓ ଆବଶ୍ୟକ ସ୍ୱାସ୍ଥ୍ୟ ସୁବିଧାକୁ ନେଇ ସଚେତନତାର ଆବଶ୍ୟକତା ରହିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment