ଗଣିଆରେ ଉଲ୍ଲାସ ପରୀକ୍ଷା ଦେଲେ ୧୩୬୨ ଜଣ
ଗଣିଆ ୨୦/୦୯(ମଣିଭଦ୍ରା ଖବର) ଯେଉଁ ବୟସ୍କ ବ୍ୟକ୍ତିମାନେ (୧୫ ବର୍ଷ କିମ୍ବା ତା'ଠାରୁ ଅଧିକ ବୟସ୍କ) ପିଲାଦିନେ ଆନୁଷ୍ଠାନିକ ଶିକ୍ଷା ପାଇବାରୁ ବଞ୍ଚିତ ହୋଇଛନ୍ତି ଏବଂ ଅଣ-ସାକ୍ଷର ହୋଇ ରହିଯାଇଛନ୍ତି, ସେମାନଙ୍କୁ ମୌଳିକ ସାକ୍ଷରତା ପ୍ରଦାନ କରିବା ଏବଂ ପରୀକ୍ଷା ମାଧ୍ୟମରେ ସେମାନଙ୍କ ଦକ୍ଷତା ମାପିବା ପାଇଁ ସରକାରଙ୍କ ତରଫରୁ ନବ ଭାରତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ପରୀକ୍ଷାରେ ମୁଖ୍ୟତଃ ତିନୋଟି ବିଷୟ ଉପରେ ଗୁରୁତ୍ୱ ଦିଆଯାଏ - ପଢ଼ିବା, ଲେଖିବା ଏବଂ ସାଧାରଣ ଗଣିତ । ଏହା ସହିତ ସେମାନଙ୍କୁ ଆଧୁନିକ ଡିଜିଟାଲ୍ ସାକ୍ଷରତା ଓ ଆର୍ଥିକ କାରବାର (ଯେପରିକି ବ୍ୟାଙ୍କିଙ୍ଗ୍) ବିଷୟରେ ମଧ୍ୟ ଅବଗତ କରାଯାଏ । ସ୍ଥାନୀୟ ସରକାରୀ ବିଦ୍ୟାଳୟଗୁଡ଼ିକରେ ବର୍ଷକୁ ଦୁଇଥର ଏହି ପରୀକ୍ଷା କରାଯାଇଥାଏ । ଏଥିରେ ସଫଳ ହେଉଥିବା ଶିକ୍ଷାର୍ଥୀମାନଙ୍କୁ ସରକାରଙ୍କ ତରଫରୁ ଏକ ଆନୁଷ୍ଠାନିକ ସାକ୍ଷରତା ପ୍ରମାଣପତ୍ର ପ୍ରଦାନ କରାଯାଏ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ସ୍ବେଚ୍ଛାସେବୀମାନେ ଶିକ୍ଷକ ସାଜି ନିରକ୍ଷର ବ୍ୟକ୍ତିମାନଙ୍କୁ ପଢ଼ାଇବାରେ ସାହାଯ୍ୟ କରିଥାନ୍ତି ।
ଗଣିଆ ବ୍ଳକରେ ଏହି ଉଲ୍ଲାସ ପରୀକ୍ଷା ୧୩୬୨ ଜଣ ଦେଇଥିବା ଜଣାପଡିଛି । ସେଥିରୁ ଆଡକଟା କ୍ଳଷ୍ଟରର ୧୫୦ ଜଣ, ଛାମୁଣ୍ଡିଆ କ୍ଳଷ୍ଟରର ୩୨୭ ଜଣ,ଗଣିଆ କ୍ଳଷ୍ଟରର ୨୫୭ ଜଣ, ଗୋଛାବାରୀ କ୍ଳଷ୍ଟରରେ ୧୨୩ ଜଣ, କିଶୋର ପ୍ରସାଦ କ୍ଳଷ୍ଟରରେ ୨୪୨ ଜଣ ଏବଂ ରାସଙ୍ଗ କ୍ଳଷ୍ଟରରେ ୨୬୩ ଜଣ ପରୀକ୍ଷା ଦେଇଥିବା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଆରସିସି ବିନୋଦିନୀ ପଣ୍ଡା ପ୍ରକାଶ କରିଛନ୍ତି । କ୍ଳଷ୍ଟରରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି ପରୀକ୍ଷା ପରିଚାଳନା କରିଥିଲେ ।
ମଣିଭଦ୍ରା ଖବର, ଗଣିଆ



Post a Comment