BREAKING
Loading...
:

ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହେଲା ଶ୍ରାବଣ ମାସ : ୩୪ ଲକ୍ଷରୁ ଅଧିକ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ସୁନିଶ୍ଚିତ କଲା ଓଡ଼ିଶା ପୋଲିସ

 ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହେଲା ଶ୍ରାବଣ ମାସ : 

୩୪  ଲକ୍ଷରୁ ଅଧିକ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ସୁନିଶ୍ଚିତ କଲା ଓଡ଼ିଶା ପୋଲିସ



କଟକ, -: ପବିତ୍ର ଶ୍ରାବଣ ମାସ ଅବସରରେ ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତମାନଙ୍କ ସୁରକ୍ଷିତ ଦର୍ଶନ, ସୁଗମ ଯାତାୟାତ ଓ ଶୃଙ୍ଖଳିତ ଭିଡ଼ ପରିଚାଳନା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।  ଶ୍ରାବଣ ମାସର ଚାରିଟି ସୋମବାରରେ ୩୫ଟି ପୋଲିସ ଜିଲ୍ଲାର ୪୫୨ଟି ପ୍ରମୁଖ ଶୈବ ପୀଠରେ  ୩୪  ଲକ୍ଷରୁ ଅଧିକ ଭକ୍ତ ସୁରକ୍ଷିତ ଭାବେ ଦର୍ଶନ କରିଛନ୍ତି।


ଉଲ୍ଲେଖ ଯୋଗ୍ୟ ଯେ, ଶ୍ରାବଣ ମାସକୁ ଦୃଷ୍ଟିରେ ରଖି ସୁରକ୍ଷା, ଭିଡ଼ ଓ ଯାତାୟାତ ପରିଚାଳନା ପାଇଁ ରାଜ୍ୟବ୍ୟାପୀ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ମେଳା ସମୟରେ କୌଣସି ଅଞ୍ଚଳରେ ବଡ଼ଧରଣର ଆଇନଶୃଙ୍ଖଳା ସମସ୍ୟା କିମ୍ବା ଦଳାଚକଟା ଭଳି ଅଘଟଣ ଘଟିନଥିଲା।


ଚଳିତ ବର୍ଷ ଭକ୍ତ ସମାଗମକୁ ଆଧାର କରି ବିଭିନ୍ନ ଶୈବପୀଠରେ ଆବଶ୍ୟକତାନୁସାରେ ପୋଲିସ ଫୋର୍ସ ନିୟୋଜିତ କରାଯାଇଥିଲା।  ବଲାଙ୍ଗୀର, ବାଲେଶ୍ୱର ଓ କୋରାପୁଟ ଜିଲ୍ଲାରେ ଥିବା ଶୈବ ପୀଠ ଗୁଡ଼ିକରେ  ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।  କେନ୍ଦ୍ରାଞ୍ଚଳ,କଟକ ଅଧୀନରେ ଲୋକନାଥ ଦେବ, ଯୋଡ଼ଲିଙ୍ଗ ଶିବ, ବାଲିକପିଳେଶ୍ୱର ଓ ଧବଳେଶ୍ୱର ଭଳି  ପ୍ରମୁଖ ଶୈବପୀଠରେ ମଧ୍ୟ ବ୍ୟାପକ ପୋଲିସ ନିୟୋଜିତ କରାଯାଇଥିଲା। ସେହିପରି ରାଜ୍ୟର ରେଞ୍ଜରେ  ଭକ୍ତଙ୍କ ସମାଗମ ଅନୁଯାୟୀ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।


ପ୍ରତ୍ୟେକ ଶ୍ରାବଣ ସୋମବାର ପୂର୍ବରୁ କମିଶନରେଟ୍‌ ପୋଲିସ ଓ ଜିଲ୍ଲା ପୋଲିସ ପକ୍ଷରୁ ଆଗୁଆ ଯାତାୟତ ପରାମର୍ଶ ଜାରି କରାଯାଇଥିଲା। ରବିବାର ସନ୍ଧ୍ୟାରୁ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ସମ୍ଭାବ୍ୟ ଭିଡ଼କୁ ଆକଳନ କରି ସମ୍ବେଦନଶୀଳ ଅଞ୍ଚଳରେ ଆବଶ୍ୟକ ଯାତାୟାତ କଟକଣା ଲାଗୁ କରାଯାଇଥିଲା। ଗଡ଼ଗଡ଼ିଆ ଘାଟ ଓ ମଧୁସୂଦନ ସେତୁ ଭଳି ସ୍ଥାନରେ ଯାତାୟାତକୁ ସୁଚାରୁ ଭାବେ ନିୟନ୍ତ୍ରଣ କରାଯିବା ସହ ଜରୁରୀକାଳୀନ ଯାନବାହନର ଚଳାଚଳ ନିରବଚ୍ଛିନ୍ନ ରଖାଯାଇଥିଲା। ପ୍ରମୁଖ ମନ୍ଦିରଗୁଡ଼ିକରେ ଅତ୍ୟଧିକ ଭିଡ଼କୁ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଭିଡ଼ ନିୟନ୍ତ୍ରଣ ଦଳ, କୁଇକ୍‌ ରେସପନ୍ସ ଟିମ୍‌ କୁ ସଜାଗ ରଖାଯାଇଥିଲା।


ମହିଳା, ବରିଷ୍ଠ ନାଗରିକ, ଶିଶୁ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ପ୍ରମୁଖ ଶୈବପୀଠଗୁଡ଼ିକରେ ସ୍ୱତନ୍ତ୍ର ସୁରକ୍ଷା ଓ ସହାୟତା ବ୍ୟବସ୍ଥା କରାଯାଇଥିଲା। ନଦୀ ଓ ଅନ୍ୟାନ୍ୟ ଜଳପଥ ନିକଟରେ ମଧ୍ୟ ସୁରକ୍ଷାକୁ ସୁଦୃଢ଼ କରାଯାଇଥିଲା। ମନ୍ଦିର ସେବାୟତ, ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧାକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା।


ଶ୍ରାବଣ ମେଳା ପରିଚାଳନାରେ ନିର୍ଦ୍ଧାରିତ ପରିଚାଳନା ନୀତିକୁ ଅନୁସରଣ କରାଯିବା ସହ ବିଭିନ୍ନ ପର୍ଯ୍ୟାୟରେ ଏକାଧିକ ସମନ୍ୱୟ ବୈଠକ ଆୟୋଜନ କରାଯାଇଥିଲା। ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ନିରନ୍ତର ଯୋଗାଯୋଗ, ସୂଚନା ଆଦାନପ୍ରଦାନ ଯୋଗୁଁ ସମଗ୍ର ମେଳା ପରିଚାଳନା ସୁଚାରୁ ଭାବେ ସମ୍ପନ୍ନ ହୋଇପାରିଥିଲା।


  ସୁଚିନ୍ତିତ ଯୋଜନା, ବିଭିନ୍ନ ରେଞ୍ଜ ମଧ୍ୟରେ ଉତ୍ତମ ସମନ୍ୱୟ ଏବଂ ଭକ୍ତମାନଙ୍କ  ସହଯୋଗ ଯୋଗୁଁ ଶ୍ରାବଣ ମାସ ଶୃଙ୍ଖଳିତ ଭାବେ ସମାପ୍ତ ହୋଇଛି ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର ମତବ୍ୟକ୍ତ କରିଛନ୍ତି । ଏହି  ଅଭିଯାନରେ ସୂଚାରୁ ରୁପେ କାର୍ଯ୍ୟ ସମ୍ପାଦନ କରିଥିବା ସମସ୍ତ ରେଞ୍ଜର ଅଧିକାରୀ, ପୋଲିସ ଜିଲ୍ଲାର ଏସ୍‌ପି ଏବଂ ସେମାନଙ୍କ ସମଗ୍ର ଟିମ୍‌କୁ ସାଧୁବାଦ ଜଣାଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS