BREAKING
Loading...
:

୨୦ ଲକ୍ଷ ନୁହେଁ; ବାଦ୍‌ ପଡ଼ିଛନ୍ତି ୨୭ ଲକ୍ଷ ଭୋଟର: ଦେବୀ ମିଶ୍ର

 ୨୦ ଲକ୍ଷ ନୁହେଁ; ବାଦ୍‌ ପଡ଼ିଛନ୍ତି ୨୭ ଲକ୍ଷ ଭୋଟର: ଦେବୀ ମିଶ୍ର



ରାଜ୍ୟରେ ଏସ୍‌ଆଇଆର ପ୍ରକ୍ରିୟା ସମାପ୍ତ ପରେ ପ୍ରକାଶିତ ଚିଠା ଭୋଟର ତାଲିକାକୁ ନେଇ ସାଂଘାତିକ ଅଭିଯୋଗ ଆଣିଛି ବିଜୁ ଜନତା ଦଳ। ଚିଠା ଭୋଟର ତାଲିକାରେ ୨୦ ଲକ୍ଷ ନୁହେଁ; ବରଂ ୨୭ ଲକ୍ଷ ଭୋଟର ବାଦ୍‌ ପଡ଼ିଛନ୍ତି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯିବା ସହ ଭୋଟରମାନଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରିବାକୁ ଚକ୍ରାନ୍ତ ହେଉଛି ବୋଲି ଅଭିଯୋଗ କରାଯାଇଛି।


ବିଜେଡି ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ସମ୍ପୂର୍ଣ୍ଣ ଏସ୍‌ଆଇଆର ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।


ଦଳର ବରିଷ୍ଠ ଉପସଭାପତି ଶ୍ରୀ ମିଶ୍ର କହିଛନ୍ତି ଯେ ଏସ୍‌ଆଇଆର ପାଇଁ ବିଭିନ୍ନ ସମୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଅନ୍ୟ ଅଧିକାରୀମାନେ ରାଜନୈତିକ ଦଳମାନଙ୍କ ସହ ଆଲୋଚନା କରିଥିଲେ। ଏସଆଇଆର ପ୍ରକିୟା ଆରମ୍ଭ ସମୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଦତ୍ତ ଭୋଟର ତାଲିକା ଏବଂ ବର୍ତ୍ତମାନର ପ୍ରକାଶିତ ଭୋଟର ତାଲିକାରେ ଅନେକ ତାରତମ୍ୟ ପରିଲକ୍ଷିତ ହୋଇଛି। ୨୦୨୫ ମସିହାର ଚୂଡ଼ାନ୍ତ ଭୋଟର ତାଲିକାରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ୩ କୋଟି ୪୦ଲକ୍ଷ ୭୨ ହଜାର ୭୪୪ ଜଣ ଭୋଟରଙ୍କ ନାମ ୱେବ୍‌ସାଇଟରେ ଉପଲବ୍ଧ ଥିଲା । ମେ ମାସ ୧୪ ତାରିଖରେ ଏସ୍‌ଆଇଆର ପାଇଁ ଓଡ଼ିଶାରେ ଭାରତୀୟ ନିର୍ବାଚନ କମିସନ ଦ୍ୱାରା ବିଜ୍ଞପ୍ତି ହେବା ପରେ ମେ ୧୫ ତାରିଖରେ ବିଭିନ୍ନ ରାଜନୈତିକ ଦଳର ବୈଠକରେ ୩ କୋଟି ୩୪ଲକ୍ଷ ଭୋଟର ଥିବା ନେଇ ତଥ୍ୟ ପ୍ରଦାନ ହୋଇଥିଲା। ପୁଣି ଜୁନ୍‌ ୧୨ ତାରିଖରେ ତାହାକୁ ୩ କୋଟି ୩୩ଲକ୍ଷ ୯୯ହଜାର ୫୯୧ଜଣ ବୋଲି ଦର୍ଶାଯାଇଥିଲା। ତେବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଥିବା ଚିଠା ଭୋଟର ତାଲିକାରେ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ଜଣ ଭୋଟର ଥିବା କୁହାଯାଇଛି। ପ୍ରଦତ୍ତ ତଥ୍ୟ ମଧ୍ୟରେ କିଛି ତାଳମେଳ ରହୁନାହିଁ। ୨୦୨୫ ଚୂଡାନ୍ତ ତାଲିକାରେ ଥିବା ଭୋଟର ସଂଖ୍ୟାକୁ ଅନୁଶୀଳନ କଲେ ଓଡ଼ିଶାରେ ବାସ୍ତବରେ ୨୭ଲକ୍ଷ ଭୋଟର ଏହି ଚିଠା ତାଲିକାରୁ ବାଦ୍‌ ପଡ଼ିଛନ୍ତି। ପୂର୍ବରୁ ଯାହା ଆଶଙ୍କା କରାଯାଉଥିଲା, ସେହି ଅନୁଯାୟୀ ଅନେକ ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ତାରତମ୍ୟ ରହିଛି। ରାଜ୍ୟର ୧୪୭ଟି ନିର୍ବାଚନମଣ୍ଡଳୀରୁ ୭୫ଟିରେ ୧୦,୦୦୦ରୁ ଉର୍ଦ୍ଧ୍ୱ, ତା'ମଧ୍ୟରୁ ୪୯ଟିରେ ୧୫,୦୦୦ରୁ ଉର୍ଦ୍ଧ୍ୱ ଭୋଟର ତାଲିକାରୁ ବାଦ୍‌ ପଡିଛନ୍ତି। ଏସଆଇଆର ପ୍ରକ୍ରିୟାରୁ ଅନେକ ଲୋକ ବାଦ୍‌ ପଡିବା ଏକ ଚିନ୍ତାଜନକ ବିଷୟ ପାଲଟିଛି। ଏସଆଇଆର ଦ୍ୱାରା ଶୁଦ୍ଧ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରକାଶ ନେଇ ଜାତୀୟ ମୁଖ୍ୟ ନିର୍ବାଚନ ଅଧିକାରୀ ଯେଉଁ ଘୋଷଣା କରିଥିଲେ, ତାହା ଏଠାରେ ପରିପ୍ରକାଶ ହୋଇ ପାରିଲାନାହିଁ। ନିର୍ବାଚନରେ ମତଦାନ କରିବା ଭୋଟରଙ୍କ ମୌଳିକ ଅଧିକାର ହୋଇଥିବା ବେଳେ ତାହାକୁ କ୍ଷୁଣ୍ଣ କରିବାକୁ ଚକ୍ରାନ୍ତ ହେଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS