ଆମର ସମୟ ନଷ୍ଟ କରନ୍ତୁନି , ଲାଠିଚାର୍ଜ ମାମଲାରେ ସୁପ୍ରିମ୍କୋର୍ଟଙ୍କ ରୋକ୍ ଠୋକ୍ ଶୁଣାଣି
ଜନ୍ତର-ମନ୍ତରରେ ଛାତ୍ରଙ୍କ ଆନ୍ଦୋଳନକୁ ନେଇ କରାଯାଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନ ମାମଲା ଏବେ ସୁପ୍ରିମ୍କୋର୍ଟରେ ପହଞ୍ଚିଛି । ଛାତ୍ରମାନଙ୍କ ପକ୍ଷ ରଖି ସେମାନଙ୍କ ବିରୁଦ୍ଧରେ ହୋଇଥିବା କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଜଣେ ଓକିଲ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । କିନ୍ତୁ ଭାରତର ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିବାକୁ ସଫା ସଫା ଭାବେ ମନା କରି ଦେଇଥିଲେ ।ଖଣ୍ଡପୀଠ କହିଥିଲେ ଯେ ଏପରି ଭାବେ କୋର୍ଟଙ୍କ ସମୟ ନଷ୍ଟ କରନ୍ତୁ ନାହିଁ ।
ଦିଲ୍ଲୀର ଜନ୍ତର-ମନ୍ତରରେ ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରିସ୍ଥିତି ଅଣାୟତ ହେବାରୁ ପୁଲିସ ଲାଠିଚାର୍ଜ କରିଥିଲା । ଏହି ପ୍ରସଙ୍ଗକୁ ଏବେ ନ୍ୟାୟ ପାଇଁ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ଜଣେ ଓକିଲ ଆଜି ଏହି ମାମଲାରେ ପକ୍ଷ ରଖି ଛାତ୍ରମାନେ ନିଟ୍ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଏବଂ ଜାତୀୟ ପରୀକ୍ଷା ଏଜେନ୍ସିକୁ ପ୍ରତ୍ୟାହାର କରିବା ଦାବିରେ ଆନ୍ଦୋଳନ କରୁଥିଲେ ବୋଲି କହିଥିଲେ । ଏହି ସମ୍ପର୍କରେ ସେ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ଶୁଣାଣି ସମୟରେ ପୁଲିସ ନେଇଥିବା କଡ଼ା କାର୍ଯ୍ୟାନୁଷ୍ଠାନ ସହିତ ଜଡ଼ିତ କିଛି ଭିଡ଼ିଓ ଦେଖାଇବାକୁ ଅନୁମତି ମାଗିଥିଲେ । ଆମେ ଭିଡ଼ିଓ ଦେଖିବାକୁ ଆଗ୍ରହୀ ନୁହେଁ ବୋଲି ଭାରତର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଖଣ୍ଡପୀଠ ସିଧାସଳଖ ମନା କରିଦେଇଥିଲେ ଏବଂ ଏହି ମାମଲାରେ କୌଣସି ହସ୍ତକ୍ଷେପ କରିବେ ନାହିଁ ବୋଲି ଖଣ୍ଡପୀଠ ଶୁଣାଇ ଦେଇଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment