ତମିଆଁରେ ନୂତନ ମିନି ଷ୍ଟାଡିୟମ୍ ଉଦ୍ଘାଟିତ
ଗ୍ରାମୀଣ କ୍ରୀଡ଼ା ପ୍ରତିଭାଙ୍କ ପାଇଁ ଖୋଲିଲା ନୂଆ ଦିଗ, ଯୁବପିଢ଼ିଙ୍କୁ ମିଳିବ । ଆଧୁନିକ କ୍ରୀଡ଼ା ମଞ୍ଚ
ପାଟଣାଗଡ଼, -: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ତମିଆଁ ଗ୍ରାମରେ ନବନିର୍ମିତ ମିନି ଷ୍ଟାଡିୟମ୍ର ଶୁଭ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଧନ ସିଙ୍ଘଦେଓଙ୍କ କରକମଳରେ ସମ୍ପନ୍ନ ହୋଇଛି। ଏହି ମିନି ଷ୍ଟାଡିୟମ୍ ଗ୍ରାମାଞ୍ଚଳରେ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କ ଦକ୍ଷତା ବିକାଶ ପାଇଁ ଏକ ସୁଦୃଢ଼ ଓ ଆଧୁନିକ କ୍ରୀଡ଼ା ମଞ୍ଚ ଭାବେ କାର୍ଯ୍ୟ କରିବ ବୋଲି ଆଶା ପ୍ରକାଶ କରାଯାଇଛି।
ଉଦ୍ଘାଟନୀ ଉତ୍ସବରେ ବକ୍ତାମାନେ କହିଥିଲେ ଯେ, ଏହି କ୍ରୀଡ଼ାଙ୍ଗନ କେବଳ ଖେଳକୁଦ ପାଇଁ ସୀମିତ ରହିବ ନାହିଁ, ବରଂ ସ୍ଥାନୀୟ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ସଂସ୍କୃତି, ଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ସୁସ୍ଥ ଜୀବନଶୈଳୀର ବିକାଶରେ ସହାୟକ ହେବ। ଏହା ଯୁବକ ଓ ଯୁବତୀମାନଙ୍କୁ ବଡ଼ ସ୍ୱପ୍ନ ଦେଖିବା ସହ ରାଜ୍ୟ ଓ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ପ୍ରେରଣା ଯୋଗାଇବ।
ବକ୍ତାମାନେ ଆହୁରି କହିଥିଲେ ଯେ, ପାଟଣାଗଡ଼ ଅଞ୍ଚଳର ସ୍ୱାଭିମାନ, ଉତ୍ସାହ ଓ ପ୍ରତିଭା ସଦାସର୍ବଦା ସ୍ୱତନ୍ତ୍ର ପରିଚୟ ବହନ କରିଆସିଛି। ନୂତନ ମିନି ଷ୍ଟାଡିୟମ୍ ସେହି ପରମ୍ପରାକୁ ଆହୁରି ସୁଦୃଢ଼ କରିବା ସହ ଗ୍ରାମୀଣ କ୍ରୀଡ଼ାବିତ୍ମାନଙ୍କ ପାଇଁ ନୂଆ ସୁଯୋଗର ଦ୍ୱାର ଉନ୍ମୁକ୍ତ କରିବ। ଏହା କେବଳ ଏକ କ୍ରୀଡ଼ା ଭିତ୍ତିଭୂମି ନୁହେଁ, ବରଂ ଅଞ୍ଚଳର ବିକାଶ, ଯୁବଶକ୍ତିର ସଶକ୍ତିକରଣ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାର ଏକ ପ୍ରତୀକ ବୋଲି ମତ ପ୍ରକାଶ ପାଇଥିଲା।
ଏହି ଅବସରରେ ବହୁ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, କ୍ରୀଡ଼ାପ୍ରେମୀ, ସ୍ଥାନୀୟ ବାସିନ୍ଦା ଏବଂ ବିପୁଳ ସଂଖ୍ୟକ ଯୁବକ-ଯୁବତୀ ଉପସ୍ଥିତ ରହି ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق