BREAKING
Loading...
:

ସମ୍ଭାବନାର ସବୁ ସୁଯୋଗ ଥାଇ ମଧ୍ୟ ପଡ଼ିଆବାହାଲର ପ୍ରଗତି ବାଟବଣା !

 ସମ୍ଭାବନାର ସବୁ ସୁଯୋଗ ଥାଇ ମଧ୍ୟ ପଡ଼ିଆବାହାଲର ପ୍ରଗତି ବାଟବଣା !



ସମ୍ବଲପୁର:-


ସମ୍ବଲପୁର ଜିଲ୍ଲା ମାନଚିତ୍ରରେ ପଡିଆବାହଲ କେବଳ ଏକ ସାଧାରଣ ସାପ୍ତାହିକ ବଜାର ହିସାବରେ ଜଣାଶୁଣା ନୁହେଁ, ଏହା ଏକ ବିସ୍ତୃତ ଅଞ୍ଚଳର ସାମାଜିକ, ଆର୍ଥିକ ଓ ଜନଜୀବନର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର। ଜୀବନ ଜୀବିକାର ପ୍ରାଣକେନ୍ଦ୍ର। ସମ୍ବଲପୁର ଜିଲ୍ଲାର ଯୁଯୋମୁରା, ଜମନକିରା ଓ ମାନେଶ୍ୱର ବ୍ଲକର ବହୁ ପଞ୍ଚାୟତ ଲୋକଙ୍କ ପାଇଁ ପଡିଆବାହଲ ହେଉଛି ଆଶା ଓ ଆବଶ୍ୟକତାର ଏକ ନିର୍ଭରଯୋଗ୍ୟ ପେଣ୍ଠସ୍ଥଳୀ। କିନ୍ତୁ ଦୁଃଖର ବିଷୟ, ଏତେ ଗୁରୁତ୍ୱ ଥିବା ସତ୍ତ୍ୱେ ପଡିଆବାହଲ ଆଜି ବି ମୌଳିକ ବିକାଶର ଅପେକ୍ଷାର ବାଟ ଖୋଜୁଛି। ଦଶନ୍ଧି ଧରି ଲୋକଙ୍କ ଦାବି ଓ ଆଶା ରହିଥିଲେ ମଧ୍ୟ ପ୍ରଶାସନିକ ଓ ଭିତ୍ତିଭୂମି ବିକାଶରେ ଏହି ଅଞ୍ଚଳ ପଛକୁ ପଡ଼ିରହିଛି। କିନ୍ତୁ ସମ୍ବଲପୁର ଜିଲ୍ଲା ପାଇଁ ପଡିଆବାହଲ ହେଉଛି ନୂତନ ସମ୍ଭାବନା ପ୍ରଶସ୍ତ କ୍ଷେତ୍ର, ବିକାଶର ଉନ୍ମୁକ୍ତ ଦ୍ୱାର,  ଭବିଷ୍ୟତର ପ୍ରାଣକେନ୍ଦ୍ର। ପଡିଆବାହଲର ଭୌଗୋଳିକ ସ୍ଥିତି, ଜନସଂଖ୍ୟା ଓ ବ୍ୟବସାୟିକ ଗୁରୁତ୍ୱକୁ ଦେଖିଲେ ଏହାକୁ ଏକ ସ୍ୱତନ୍ତ୍ର ବିକାଶ କେନ୍ଦ୍ର ଭାବେ ଗଢ଼ି ତୋଳିବାର ସମୟ ଆସିଛି। ପ୍ରଶାସନିକ ସୁବିଧା ପାଇଁ ନୂଆ ବ୍ଲକ, ତହସିଲ ଓ ଥାନାର ଆବଶ୍ୟକତା ରହିଛି।ଯୁଯୋମୁରା ବ୍ଲକର ଜୋନ-୧ ଅଞ୍ଚଳରେ ଥିବା ପଡିଆବାହଲ ଅଞ୍ଚଳରେ ବ୍ଲକର ଅର୍ଦ୍ଧାଧିକ  ଲୋକ ବସବାସ କରନ୍ତି। କିନ୍ତୁ ବ୍ଲକ ମୁଖ୍ୟାଳୟ ଠାରୁ ଦୂରତା ଅନେକ ସମୟରେ ଲୋକଙ୍କ ପାଇଁ ପ୍ରଶାସନିକ କାମକୁ କଷ୍ଟସାଧ୍ୟ କରୁଛି। ସାମାଜିକ ଓ ଭୌଗଳିକି କାରଣ ଦର୍ଶାଇ ଲୋକଙ୍କ ଦାବି ହେଉଛି, ପଡିଆବାହଲରେ ଏକ ନୂତନ ବ୍ଲକ, ତହସିଲ ଓ ଥାନା କାର୍ଯ୍ୟାଳୟ ଖୋଲାଗଲେ ଶାସନ ବ୍ୟବସ୍ଥା ଅଧିକ ଲୋକମୁଖୀ ଓ ସୁଗମ ହୋଇପାରିବ। ଯୋଗାଯୋଗ ବ୍ୟବସ୍ଥାରେ ନୂଆ ଗତିର ସମ୍ଭାବନା ସୃଷ୍ଟି ହୋଇପାରିବ। ଗମନାଗମନ ପାଇଁ ରାସ୍ତା ହେଉଛି ବିକାଶର ମୁଖ୍ୟ ମାଧ୍ୟମ। ଜାତୀୟ ରାଜପଥର ଖଲିଆପାଲିଠାରୁ ପଧାନପାଲି ଶିବ ମନ୍ଦିର ପର୍ଯ୍ୟନ୍ତ ଫ୍ଲାଇଓଭର ନିର୍ମାଣ ଏକ ଯୁକ୍ତି ସଙ୍ଗତ ଦାବି। ଏହା ହେଲେ ପଡିଆବାହଲ କେବଳ ସୁରକ୍ଷିତ ହେବ ନାହିଁ ବରଂ ସମ୍ଭାବ୍ୟ ଦୁର୍ଘଟଣା ହ୍ରାସ ପାଇ ମାନେଶ୍ଵର, ଜମନକିରା ଓ ଯୁଯୁମୁରା ମଧ୍ୟରେ ନିରାପଦ ରାସ୍ତାର ବାଟ ଫିଟିବ। ପଡିଆବାହଲରୁ ପରମାଣପୁର ପର୍ଯ୍ୟନ୍ତ ସିଧାସଳଖ ରାସ୍ତା, ହାତିବାରୀ ଓ ଯୁଯୋମୁରା ଦିଗରେ ରାସ୍ତାର ଦୋହରୀକରଣ ହେଲେ ଅଞ୍ଚଳର ଯାତାୟାତ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିପାରିବ। ସେହିପରି ଏଆଇ ବସ ସେବାକୁ ପଡିଆବାହଲ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଗଲେ ଲୋକମାନେ ଅଧିକ ସୁବିଧା ପାଇପାରିବେ। ଏକ ବିକଶିତ ଅଞ୍ଚଳର ପରିଚୟ ହେଉଛି ଉନ୍ନତ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା। ପଡିଆବାହଲ ପ୍ରାଥମିକ ଚିକିତ୍ସାଳୟକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରି ଆବଶ୍ୟକ ଡାକ୍ତର ଓ ସୁବିଧା ଯୋଗାଇବା ପାଇଁ ଏହା ଦୀର୍ଘ ଦଶନ୍ଧି ଧରି ଦାବି ହୋଇଆସୁଛି। ଜନସଂଖ୍ୟା ଓ ସାମାଜିକ ଦିଗକୁ ଅନୁଧ୍ୟାନ କରି ରାଜ୍ୟ ସରକାର ଏଭଳି ପଦକ୍ଷେପ ନେବାର ଆବଶ୍ୟକତାକୁ ଯୋର ଦିଆଯାଉଛି। ଉଚ୍ଚଶିକ୍ଷା ପାଇଁ ସରକାରୀ ଯୁକ୍ତ (+୩) ମହାବିଦ୍ୟାଳୟ ସ୍ଥାପନ ହେଲେ ହଜାର ହଜାର ଛାତ୍ରଛାତ୍ରୀ ଉପକୃତ ହେବେ।ଅନ୍ୟ ପକ୍ଷରେ ପଡିଆବାହଲ ସାପ୍ତାହିକ ବଜାର ପଶ୍ଚିମ ଓଡ଼ିଶାର ଏକ ବଡ଼ ବାଣିଜ୍ୟ କେନ୍ଦ୍ର ଭାବେ ପରିଚିତ। ଏଠାରେ ମିଳୁଥିବା ଜୈବିକ କୃଷି ଉତ୍ପାଦ ଚାଷୀମାନଙ୍କ ପାଇଁ ଏକ ନୂଆ ସୁଯୋଗ। ଧାନ ଠାରୁ ଆରମ୍ଭ କରି ଉଦ୍ୟାନ ବଜାର ପାଇଁ ପଡିଆବାହାଲର ପ୍ରସିଦ୍ଧି ରହିଛି। ଏହି ଅଞ୍ଚଳର ବିଭିନ୍ନ ଫୁଲ ଓ ଫଳ ବିଦେଶକୁ  ରପ୍ତାନି ହେଉଛି। ସମ୍ବଲପୁରୀ ବସ୍ତ୍ର, ଲୁହା ଓ କୁମ୍ଭାର କାମର କୌଳିକ କାମ ପାଇଁ ଅଞ୍ଚଳର ସୁନାମ ରହିଛି। ଏପରିକି ପଡିଆବାହାଲ ବେତରାପଡ଼ାର ବାଉଁଶ କୁଟୀର ଶିଳ୍ପ କାରିଗରୀ ଅନ୍ୟ ଅଞ୍ଚଳ ପାଇଁ ଏକ ଅନନ୍ୟ ଉଦାହରଣ ହୋଇଥିଲେ ମଧ୍ୟ ଏହି ଦିଗ ପ୍ରତି କାହାର ନଜର ପଡୁନି। ଏହି ସାପ୍ତାହିକ ବଜାରକୁ ସୁବ୍ୟବସ୍ଥିତ କରି ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ଓ ଆଧୁନିକ ସୁବିଧା ଯୋଗାଇବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଗୁରୁତ୍ୱ ଦିଆଯାଉଛି। ନିଲଡୁଙ୍ଗରିରେ ପ୍ରସ୍ତାବିତ ବୃହତ ମାର୍କେଟ ଟର୍ମିନାଲ କାର୍ଯ୍ୟକାରୀ ହେଲେ ଏହା ଅଞ୍ଚଳର ବ୍ୟବସାୟିକ ଚିତ୍ରକୁ କେବଳ ବଦଳାଇପାରିବ ତାହା ନୁହେଁ, ବରଂ ସମଗ୍ର ପଶ୍ଚିମାଞ୍ଚଳ ସହିତ ଓଡିଶାକୁ ନୂଆଁ ଦିଶା ଦେଖାଇବ। ଯୁଯୁମୁରା ଜୋନ -୧ ଅଞ୍ଚଳରେ ଏକ ବୃହତ ଖେଳ ପଡିଆ ଓ ଷ୍ଟାଡିୟମ, ଏବଂ ପ୍ରାୟ ଏକ ହଜାର ଲୋକ ବସିପାରୁଥିବା ଆଧୁନିକ ପ୍ରେକ୍ଷାଳୟ ନିର୍ମାଣ ହେଲେ ଯୁବ ପ୍ରତିଭାଙ୍କୁ ନୂଆ ମଞ୍ଚ ମିଳିବ। କଳା, ସାହିତ୍ୟ, ସଂସ୍କୃତି ଓ କ୍ରୀଡା କ୍ଷେତ୍ରରେ ଏହି ଅଞ୍ଚଳର ଅନେକ ପ୍ରତିଭା ରାଜ୍ୟ, ଦେଶ ଓ ଆନ୍ତର୍ଜାତୀୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିଲେ ବି ରାଜନୈତିକ ଇଛାଶକ୍ତି ଅଭାବରୁ ସମ୍ଭାବନାର ବିକାଶ କେବଳ ଦାବିରେ ସୀମିତ ରହିଛି। ପଡିଆବାହଲ ଓ ବାହାମ କଟା (ବିଶାଳ ବନ୍ଧ)କୁ ଆଦର୍ଶ ସରୋବର ଭାବେ ବିକଶିତ କରି ନୌକା ବିହାର ଓ ପର୍ଯ୍ୟଟନ ଯୋଜନା ଆରମ୍ଭ କରାଯାଇପାରେ। ଭଣ୍ଡାରୀମାଲର ସପ୍ତର୍ଷି ପାହାଡ଼କୁ ବିକଶିତ କରିବା ସହିତ ଏହାର ପୌରାଣିକ ଓ ଐତିହାସିକ ବିଷୟବସ୍ତୁ ଲୋକଲୋଚନକୁ ଆସିଲେ କୁଦୋପାଲି ପରି ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପାଇବା ସମ୍ଭାବନା ରହିଛି। ଏହା ସହିତ ପଡିଆବାହଲରୁ ସମ୍ବଲପୁର ମଧ୍ୟରେ ପ୍ରାୟ ୫୦୦ ଏକର ଜମିରେ ନୂତନ ସାଟେଲାଇଟ ଟାଉନସିପ୍ ନିର୍ମାଣ ହେଲେ ଭବିଷ୍ୟତର ସହରୀକରଣ ପାଇଁ  ଏହା ଏକ ବଡ଼ ପଦକ୍ଷେପ ହୋଇପାରିବ ବୋଲି ଅଞ୍ଚଳର ସାମାଜିକ କର୍ମୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ ଯୁକ୍ତି ରଖିଛନ୍ତି। ପଡିଆବାହଲର ବିକାଶ କେବଳ ଏକ ଅଞ୍ଚଳର ବିକାଶ ନୁହେଁ; ଏହା ସମ୍ବଲପୁରର ସମତୁଳିତ ଓ ଦୂରଦର୍ଶୀ ବିକାଶର ଏକ ଆବଶ୍ୟକ ଅଧ୍ୟାୟ ବୋଲି ସେ ଚେତାଇ ଦେଇଛନ୍ତି। ସମସ୍ତ ଦାବିକୁ ଯୋଜନାରେ ଏବଂ ଯୋଜନାକୁ କାର୍ଯ୍ୟରେ ପରିଣତ କରିବାକୁ ସମୟ ଆସିଥିବାରୁ ଡବଲ ଇଞ୍ଜିନ ସରକାର ଏଦିଗରେ ଗୁରୁତ୍ୱ ଦେବେ ବୋଲି ଅଞ୍ଚଳବାସୀ ଆଶା ପୋଷଣ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS