BREAKING
Loading...
:

ବଲାଙ୍ଗୀର ଜିଲ୍ଲାରେ ପୋଷଣ ଖାଦ୍ୟ ବଣ୍ଟନରେ ଅନିୟମିତତା ଅଭିଯୋଗ, ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ

 



ବଲାଙ୍ଗୀର ଜିଲ୍ଲାରେ ପୋଷଣ ଖାଦ୍ୟ ବଣ୍ଟନରେ ଅନିୟମିତତା ଅଭିଯୋଗ, ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ।

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ମାଧ୍ୟମରେ ଯୋଗାଇ ଦିଆଯାଉଥିବା ପୋଷଣ ଖାଦ୍ୟ ବଣ୍ଟନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଉଠିଛି। ଗର୍ଭବତୀ ମହିଳା, ପ୍ରସୂତି ମାଆ ଓ ଶିଶୁଙ୍କ ପାଇଁ ସରକାରଙ୍କ ପକ୍ଷରୁ ନିୟମିତ ଭାବେ ପୋଷଣ ଖାଦ୍ୟ ବଣ୍ଟନ କରାଯିବାର ବ୍ୟବସ୍ଥା ଥିଲେ ମଧ୍ୟ, ପ୍ରକୃତରେ ଅନେକ ସ୍ଥାନରେ ଏହା ଠିକ୍ ସମୟରେ ପହଞ୍ଚୁ ନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରତିମାସରେ ବଣ୍ଟନ ହେବାକୁ ଥିବା ପୋଷଣ ଖାଦ୍ୟ ଦୁଇରୁ ତିନି ମାସରେ ଥରେ ବଣ୍ଟନ କରାଯାଉଛି। ଏହା ସହିତ ଅଣ୍ଡା ବଣ୍ଟନରେ ମଧ୍ୟ ବ୍ୟାପକ ଅସଙ୍ଗତି ଦେଖାଯାଉଥିବା ଅଭିଯୋଗ ହୋଇଛି। କେତେକ ହିତାଧିକାରୀଙ୍କୁ ମାତ୍ର ଆଠଟି ଅଣ୍ଡା ଦିଆଯାଉଥିବା ବେଳେ, ଅନ୍ୟ କେତେକଙ୍କୁ ଦଶରୁ ବାରଟି ଅଣ୍ଡା ଦିଆଯାଉଛି। ସମାନ ଯୋଜନାରେ ଥାଇ ମଧ୍ୟ ଏଭଳି ପାତରଅନ୍ତର କାହିଁକି ହେଉଛି ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି।

ହିତାଧିକାରୀମାନଙ୍କ କହିବା ଅନୁସାରେ, ନିୟମିତ ଭାବେ ପୋଷଣ ଖାଦ୍ୟ ନ ମିଳିବା ଯୋଗୁଁ ଗର୍ଭବତୀ ମହିଳା, ପ୍ରସୂତି ମାଆ ଏବଂ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡ଼ୁଛି। ସରକାର ପୋଷଣ ଅଭାବ ଦୂର କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ, ତୃଣମୂଳ ସ୍ତରରେ ଯଦି ଏଭଳି ଅନିୟମିତତା ଘଟୁଛି, ତେବେ ଯୋଜନାର ଉଦ୍ଦେଶ୍ୟ କେତେଦୂର ସଫଳ ହେଉଛି ତାହା ନେଇ ସନ୍ଦେହ ପ୍ରକାଶ ପାଉଛି।

ଏ ସମ୍ପର୍କରେ ମୁରୀବାହାଲ ସିଡ଼ିପିଓଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଅଭିଯୋଗକୁ ଗୁରୁତ୍ୱର ସହ ନିଆଯିବ। ସମ୍ପୃକ୍ତ ଅଙ୍ଗନୱାଡି କର୍ମୀମାନଙ୍କୁ ଡାକି ସମସ୍ତ ବିଷୟରେ ବୁଝିବେ ଏବଂ ଯଦି କୌଣସି ଅନିୟମିତତା ପ୍ରମାଣିତ ହୁଏ, ତେବେ ନିୟମ ଅନୁଯାୟୀ ଉଚିତ ପଦକ୍ଷେପ ଗ୍ରହଣ କରାଯିବ।

ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ ପକ୍ଷରୁ ଏହି ଅଭିଯୋଗର କେତେ ଶୀଘ୍ର ତଦନ୍ତ କରାଯାଇ ହିତାଧିକାରୀଙ୍କୁ ନିୟମିତ ଭାବେ ପୋଷଣ ଖାଦ୍ୟ ଯୋଗାଇ ଦିଆଯାଉଛି ଏବଂ ଦୋଷୀଙ୍କ ବିରୋଧରେ କି ପଦକ୍ଷେପ ଗ୍ରହଣ କରାଯାଉଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS