ବରପାଲିରେ ନକଲି ଖାଦ୍ୟ ସାମଗ୍ରୀ କାରଖାନା ସିଲ୍, ମାଲିକ ଫେରାର
ସମ୍ବଲପୁର/ବରପାଲି:
ବରପାଲି ସହରରେ ବିଭିନ୍ନ ପ୍ରକାରର ନକଲି ଚକ୍ଲେଟ, ବିସ୍କୁଟ, ମୃଦୁ ପାନୀୟ, ଖାଇବା ତେଲ, ଚୁଡ଼ା ଆଦି ତିଆରି କରି ବଜାରରେ ବିକ୍ରୟ କରି କେତେ ଜଣ ମୁନାଫାଖୋର୍ ବ୍ୟବସାୟୀ ମୁନାଫା କମାଉଥିଲେ । ଏହା ଜଣାପଡିବା ପରେ ବରପାଲି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଖାଉଟି ମହଲରେ ସ୍ୱାସ୍ଥ୍ୟହାନିର ଆଶଙ୍କା ସୃଷ୍ଟି ହୋଇଛି। ଖବରରୁ ପ୍ରକାଶ ଯେ ବରପାଲି ସାପ୍ତାହିକ ବଜାର ରାସ୍ତାରେ ଏକ ବିସ୍ତୀର୍ଣ୍ଣ ଅଞ୍ଚଳରେ ନିର୍ମିତ କୋଠାରେ ଏହା ସବୁ ତିଆରି ହୋଇ ବଜାରକୁ ଯାଉଥିଲା । ଜିଲ୍ଲା ପ୍ରଶାସନ କୌଣସି ସୂତ୍ରରୁ ଖବର ପାଇ ଆଜି ଉକ୍ତ ନକଲି ଖାଦ୍ୟ ସାମଗ୍ରୀ ନିର୍ମାଣ କାରଖାନା ଉପରେ ଚଢ଼ାଉ କରି ପ୍ରସ୍ତୁତ ହୋଇ ବଜାରକୁ ବିକ୍ରି ପାଇଁ ଯିବାକୁ ଥିବା ବିପୁଳ ପରିମାଣର ସାମଗ୍ରୀ, ଏସବୁର ପ୍ରସ୍ତୁତ ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ କଞ୍ଚାମାଲକୁ ଜବତ କରିଛନ୍ତି। ପେପର୍ରୁ ଚୁଡ଼ା ନିର୍ମାଣ କରାଯାଉଥିବା ବେଳେ, ପୋଡ଼ା ମୋବିଲ୍ରୁ ଖାଇବା ତେଲ ଆଦି ପ୍ରସ୍ତୁତ ହେଉଥିବା ଜଣାପଡିଛି। ମାଲିକ ଘରର କବାଟ ଖୋଲୁ ନ ଥିବାରୁ ତାଙ୍କ ବାସଗୃହକୁ ପୋଲିସ ଘେରି ରହିଥିବା ବେଳେ ପ୍ରସ୍ତୁତ କାରଖାନାକୁ ପ୍ରଶାସନ ପକ୍ଷରୁ ସିଲ୍ କରି ଦିଆଯାଇଛି ଏବଂ ଏହି କାରାଖାନାର ମାଲିକ ଅବିନାଶ ଅଗ୍ରୱାଲା, ଅଙ୍କିତ ଆଗ୍ରୱାଲା ଓ ସୁମିତ ଆଗ୍ରୱାଲା ଫେରାର ଥିବା ପୋଲିସ ସୂତ୍ରରୁ ଜଣାଯାଇଛି।ଆଜିର ଏହି ଚଢ଼ାଉରେ ମାଜିଷ୍ଟ୍ରେଟ ଭାବରେ ବରପାଲି ତହସିଲଦାର ରୁକ୍ମଣ ମେହେର, ପୋଲିସ ଇନ୍ସପେକ୍ଟର ପ୍ରମୋଦ କୁମାର ସାହୁ, ବରଗଡ ଟାଉନ ଥାନା ଇନ୍ସପେକ୍ଟର ଚିତ୍ତରଞ୍ଜନ ମେହେର, ବରଗଡ଼ ଫୂଡ୍ ଇନ୍ସପେକ୍ଟର ପରମେଶ୍ୱର ନାୟକ, ସାନିଟାରୀ ଇନ୍ସପେକ୍ଟର ତେଜଭାନୁ ସାହୁ, ବରଗଡ଼ ଏମଟିସି ସୁଜିତ୍ ମଲ୍ଲିକଙ୍କ ସମେତ ବହୁ ପୋଲିସ ଷ୍ଟାଫ୍ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବାଦ ଲେଖା ଯିବା ଯାଏଁ ଘର କବାଟ ଖୋଲି ନଥିଲା । ଏଠାରେ ପ୍ରକାଶ ଥାଉ କି ବରପାଲି ଅଞ୍ଚଳରେ ଏହା ପୂର୍ବରୁ ଦୁଇଟି ନକଲି ସାର ପ୍ରସ୍ତୁତ କାରଖାନାକୁ ପ୍ରଶାସନ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଜଣାଯାଏ ଯେ ଏବେ ମଧ୍ୟ ବରପାଲି ଅଞ୍ଚଳର କେତେକ ସ୍ଥାନରେ ନକଲି ଖାଦ୍ୟ ପ୍ରସ୍ତୁତ ହୋଇ ବିକ୍ରୟ ହେଉଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଅଧିକ ସକ୍ରିୟ ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment