BREAKING
Loading...
:

ମାଲକାନଗିରିରେ ବିକାଶର ନୂଆ ରୂପରେଖ: ସ୍ୱାଭିମାନ ଅଞ୍ଚଳ ଓ ଭିତ୍ତିଭୂମି ଉପରେ ଜିଲ୍ଲାପାଳଙ୍କ ମାଷ୍ଟର ପ୍ଲାନ*

 *ମାଲକାନଗିରିରେ ବିକାଶର ନୂଆ ରୂପରେଖ: ସ୍ୱାଭିମାନ ଅଞ୍ଚଳ ଓ ଭିତ୍ତିଭୂମି ଉପରେ ଜିଲ୍ଲାପାଳଙ୍କ ମାଷ୍ଟର ପ୍ଲାନ*



ମାଲକାନଗିରି,-: 


ରାଜ୍ୟର ଦୁର୍ଗମ ତଥା ଆଦିବାସୀ ବହୁଳ ଜିଲ୍ଲା ମାଲକାନଗିରିରେ ବିକାଶ କାର୍ଯ୍ୟକୁ ଏକ ନୂତନ ଗତି ଦେବା ପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ।  ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲାର କାୟାକଳ୍ପ ବଦଳାଇବା ପାଇଁ କାର୍ଯ୍ୟ ନିର୍ବାହୀ ସଂସ୍ଥାଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଭର୍ଚୁଆଲ୍ ମୋଡ୍‌ରେ ଆୟୋଜିତ ଏହି ବୈଠକରେ ଗମନାଗମନ, ସେତୁ ନିର୍ମାଣ, ପାନୀୟ ଜଳ ଓ ପର୍ଯ୍ୟଟନ କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲାର ସୀମାନ୍ତ ଅଞ୍ଚଳକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ମୋଟୁ ରାସ୍ତାର ପ୍ରଶସ୍ତିକରଣ ଏବଂ ମାଲକାନଗିରିରୁ ସୁକୁମା ରାସ୍ତାର ଉନ୍ନତିକରଣ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଏଥିସହ ସ୍ୱାଭିମାନ ଅଞ୍ଚଳ ଭାବେ ପରିଚିତ ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଧାରିବା ପାଇଁ ଜନ୍ତ୍ରୀ ଓ ଘନବେଡ଼ାଠାରେ ଚାଲିଥିବା ଉଚ୍ଚସ୍ତରୀୟ ସେତୁ  ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ଗୌରବ କୁହାଯାଉଥିବା ମାଲକାନଗିରି ଏୟାରପୋର୍ଟ ପ୍ରକଳ୍ପର ସ୍ଥିତି ସମୀକ୍ଷା କରି ଜିଲ୍ଲାପାଳ ଏହାର କାର୍ଯ୍ୟରେ ଅଗ୍ରଗତି ଆଣିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ଜନ୍ତ୍ରୀ ଭଳି ଦୁର୍ଗମ ଅଞ୍ଚଳରେ ପାନୀୟ ଜଳ ଯୋଗାଣ  ଏବଂ ଜଳସେଚନ  ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି, ଯାହାଦ୍ୱାରା ପ୍ରତିଟି ପରିବାର ନିକଟରେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚିପାରିବ।ଗ୍ରାମାଞ୍ଚଳର ଶିଶୁ ଓ ମହିଳାମାନଙ୍କ ପାଇଁ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ନିର୍ମାଣ ଏବଂ ପିଏମଜିଏସୱାଇ ଯୋଜନାରେ ନିର୍ମିତ ହେଉଥିବା ରାସ୍ତାର ଗୁଣବତ୍ତା ଉପରେ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିବା ସହ ବାକି ଥିବା କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ତୁଳସୀ ପାହାଡ଼ ଅଞ୍ଚଳର ପର୍ଯ୍ୟଟନ ଓ ସାମଗ୍ରିକ ବିକାଶ ଲାଗି ସ୍ୱତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି।ନିର୍ମାଣ କାର୍ଯ୍ୟରେ ଯେପରି ବାଲି କିମ୍ବା ଅନ୍ୟାନ୍ୟ କଞ୍ଚାମାଲର ଅଭାବ ନହୁଏ, ସେଥିପାଇଁ ଖଣି ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି। ସମସ୍ତ ପ୍ରକଳ୍ପ ପାଇଁ ଏକ ନିର୍ଦ୍ଧାରିତ ସମୟସୀମା ସ୍ଥିର କରାଯାଇଛି। ଯଦି କୌଣସି ସଂସ୍ଥା କାର୍ଯ୍ୟରେ ଅବହେଳା କରେ, ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS