ପୁଷ୍ପ ମାନବ ଧର୍ମୁ ନାରାୟଣ ପ୍ରଧାନଙ୍କ ପରଲୋକ; ସନାତନପାଲିରେ ଶୋକର ଛାୟା
ସମ୍ବଲପୁର:-/
ଫୁଲ ପାଇଁ ପ୍ରସିଦ୍ଧି ଲାଭ କରିଥିବା ସମ୍ବଲପୁର ଜିଲ୍ଲାର ସନାତନପାଲି ଗ୍ରାମବାସୀଙ୍କ ଆଖିରେ ଆଜି ଝରୁଛି ଲୁହ। ଗାଁକୁ ଫୁଲ ଚାଷରେ ପ୍ରସିଦ୍ଧି ଆଣିଥିବା ଗାଁର ପ୍ରଥମ ଫୁଲ ଚାଷୀ ଧର୍ମୁ ନାରାୟଣ ପ୍ରଧାନ (୭୪)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ପରଲୋକ ହୋଇଯାଇଛି। ଏହି ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଧର୍ମୁ ସମ୍ବଲପୁର ଜିଲ୍ଲାରେ ୧୯୯୫ ମସିହାରେ ପ୍ରଥମ ଥର ପାଇଁ ଗୋଲାପ ଫୁଲ ଚାଷ କରି ସମଗ୍ର ଜିଲ୍ଲା ପାଇଁ ପୁଷ୍ପ ମାନବର ପ୍ରତିଷ୍ଠା ଲାଭ କରିଥିଲେ। ଗୋଲାପ ଫୁଲ ସହ ଗେଣ୍ଡୁ ଚାଷ କରି ସମାଜ ପାଇଁ ଏକ ଉଦାହରଣ ସାଜୁସାଜୁ ତାଙ୍କ ପଥ ଅନୁକରଣ କରି ସନାତନପାଲିର ଅନେକ ଚାଷୀ ଏହି ଫୁଲ ଚାଷକୁ ନିଜର ଜୀବିକା ଭାବେ ଗ୍ରହଣ କରିଥିଲେ। ଫଳରେ ଏହି ଗାଁ ସନାତନପାଲି ସମଗ୍ର ଜିଲ୍ଲା କାହିଁକି ବରଂ ରାଜ୍ୟ ସ୍ତରରେ ଫୁଲ ଚାଷ ପାଇଁ ପ୍ରସିଦ୍ଧି ଲାଭ କରିବାରୁ ରାଜ୍ୟ ଓ ଜାତୀୟ ସ୍ତରରେ ଏହି ଗାଁ ପାଲଟି ଯାଇଥିଲା ଫୁଲ ପାଇଁ ଏକ ପର୍ଯ୍ୟଟନ କେନ୍ଦ୍ର। ସକାଳ ପାହିଲେ ଫୁଲ ବ୍ୟବସାୟୀଙ୍କ ଜମୁଥିଲା ଭିଡ଼। ବହୁ ମନ୍ଦିର କମିଟି ସଦସ୍ୟ ଆସି ମଧ୍ୟ କିଣି ନେଉଥିଲେ ଫୁଲ। ଫୁଲ ଉଦ୍ୟାନ କଥା ଉଠିଲେ ସନାତନପାଲି ଉପରେ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରର ଅଧିକାରୀମାନଙ୍କ ପାଦ ପଡୁଥିଲା। ଏହି ଫୁଲ ଚାଷ ପାଇଁ ଧର୍ମୁ ନାରାୟଣ ନାରାୟଣ ସାଜି ଯୁବ ସମାଜକୁ ଦେଖାଇଥିଲେ ନୁଆଁ ମାର୍ଗ। ଫଳରେ ଏହି ଗାଁର ଅନେକ ଯୁବଚାଷୀ ତାଙ୍କରି ଆଦର୍ଶ ଓ ପ୍ରେରଣାରେ ଶୀର୍ଷ ସୋପାନରେ ପହଞ୍ଚି ପାରିଥିଲେ। ମନବୋଧ ପ୍ରଧାନ ହେଉଛନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ। ମନବୋଧଙ୍କ ପରି ଅନେକ ଯୁବଚାଷୀ ବିଭିନ୍ନ ଫୁଲ ଚାଷ କରି ଆଜି କେବଳ ସ୍ୱାବଲମ୍ବୀ ହୋଇନାହାଁନ୍ତି, ବରଂ ସମାଜ ପାଇଁ ଏକ ଏକ ଦୃଷ୍ଟାନ୍ତ ସାଜିଛନ୍ତି। ଧର୍ମୁଙ୍କର ପରଲୋକ ଖବର ପାଇ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ। ବଡ଼ ପୁଅ ଅଶୋକ ଓ କନିଷ୍ଠ ପୁତ୍ର ଅରୁଣଙ୍କ ସହ ତାଙ୍କର ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ। ଫୁଲଚାଷୀ ଧର୍ମୁ ନାରାୟଣ ପଧାନଙ୍କ ବିୟୋଗରେ ସନାତନପାଲି ଗ୍ରାମରେ ଶୋକର ଛାୟା ଖେଳି ଯାଇଥିବା ବେଳେ ସନାତନପାଲି କୃଷକ ଉତ୍ପାଦନ କମ୍ପାନୀ ଲିଃ ପରିଚାଳନା ନିର୍ଦ୍ଦେଶକ ମନବୋଧ ବାରିକ କହିଛନ୍ତି ଧର୍ମୁ ନାରାୟଣ ପ୍ରଥମ କରି ଗୋଲାପ ଫୁଲ ଏବଂ ବିଭିନ୍ନ ପ୍ରକାରର ଫୁଲ ଚାଷ ଆରମ୍ଭ କରି ଅନେକ ଯୁବଚାଷୀଙ୍କ ପାଇଁ ପ୍ରେରଣା ସାଜିଥିଲେ। ତାଙ୍କ ପରଲୋକରେ ଫୁଲର ବାସ୍ନା ଉଡିଯାଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment