ସାମ୍ରାଜ୍ୟବାଦୀ ଆମେରିକା-ଇସ୍ରାଏଲ ଦ୍ୱାରା ଇରାନ ଉପରେ ଆକ୍ରମଣ ବିରୁଦ୍ଧରେ ଏସୟୁସିଆଇ(ସି)ର ବିକ୍ଷୋଭ
କଟକ - ଇରାନ ଉପରେ ସାମ୍ରାଜ୍ୟବାଦୀ ଆମେରିକା-ଇସ୍ରାଏଲ ଦ୍ୱାରା ବିନା ପ୍ରରୋଚନାରେ ହୋଇଥିବା ସାମରିକ ଆକ୍ରମଣ ବିରୁଦ୍ଧରେ ଏସୟୁସିଆଇ(ସି) ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦର ଏକ ଅଂଶ ଭାବରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଛକଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଏହି ସାମରିକ ଆକ୍ରମଣକୁ ପାର୍ଟି ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ନରହନ୍ତା ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ 'ଭାଇ' ବୋଲି ସମ୍ବୋଧନ କରିବାକୁ ଧିକ୍କାର କରାଯାଇଛି।
ଏସ୍ୟୁସିଆଇ(ସି)ର କଟକ ଜିଲ୍ଲା ଅଫିସ ସମ୍ପାଦକ ଖଗେଶ୍ବର ସେଠୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସଭାରେ ବସନ୍ତ ନାୟକ, ବବି ବଳବନ୍ତରାୟ, ସିଦ୍ଧାର୍ଥ ରଥ, ଭଗ୍ୟରବି ଦାସ, ସୌଭାଗ୍ଯ ସାମଲ, ବିନୋଦ ସେଠୀ, ଦୀପକ ଦାସ, ତରୁଣସେନ ନାୟକ, ଇଶା ଧର, ଅକ୍ଷୟ ରାଉଳ, ଶିବନୀ ସାହୁ, ସ୍ୱାଧୀନ ବେହେରା, ଆଇନଜୀବୀ ପ୍ରତାପ ଚନ୍ଦ୍ର ମିଶ୍ର, ଶୁଭସ୍ମିତା ସାହୁ, ଜୋତ୍ସାରାଣୀ ଦାସ, ସଚ୍ଚିରଂଜନ ବେହେରା, ସୁଜାତା ମହାପାତ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।
ବକ୍ତାମାନେ ସେମାନଙ୍କ ବକ୍ତବ୍ୟରେ ଆମେରିକାର ସାମ୍ରା଼ଜ୍ୟବାଦୀଙ୍କ ସମ୍ପୂର୍ଣ୍ଣ ସମର୍ଥନ ଏବଂ ପ୍ରୋତ୍ସାହନରେ ଏକ ଭିତ୍ତିହୀନ 'ପ୍ରତିଷେଧକ ବ୍ୟବସ୍ଥା' ଆଳରେ ଇରାନ ଉପରେ ଇସ୍ରାଏଲର ସାମରିକ ଆକ୍ରମଣକୁ ତୀବ୍ର ନିନ୍ଦା କରିଥିଲେ। ବାସ୍ତବରେ ମଧ୍ୟପ୍ରାଚ୍ୟରେ ନିଜ ପ୍ରଭାବ ବିସ୍ତାର ଉଦ୍ଦେଶ୍ୟରେ ଏହା ହେଉଛି ଆମେରିକା ସାମ୍ରା଼ଜ୍ୟବାଦୀମାନଙ୍କ ଦ୍ୱାରା ଇରାନ ଉପରେ ଏକ ନିର୍ଲ୍ଲଜ ତଥା ନଗ୍ନ ଆକ୍ରମଣ। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମିନୀଙ୍କ ହତ୍ୟା ଦ୍ଵାରା ଆନ୍ତର୍ଜାତିକ ନିୟମ ତଥା ଏକ ଦେଶର ସାର୍ବଭୌମତ୍ୱକୁ ଖର୍ବ କରାଯାଇଛି। ପ୍ରସଂଗତଃ ଉଲ୍ଲେଖଯୋଗ୍ୟ ଯେ ଦେଶ ମଧ୍ୟରେ ଅବିଚାର ଓ ଅତ୍ୟାଚାର ବିରୋଧରେ ଇରାନର ଜନସାଧାରଣ ଲଢ଼ୁଛନ୍ତି ଏବଂ ସେହି ଲଢେଇ ମଧ୍ୟ ଦେଇ ଅତ୍ୟାଚାରୀ ଶାସକଙ୍କୁ ଉତଖାତ କରିବା ସେମାନଙ୍କର ଅଧିକାର। ମାତ୍ର ସେମାନଙ୍କ ଅଧିକାର ସୁରକ୍ଷା ଆଳରେ ଇରାନ ଉପରେ ଏହି ସାମରିକ ଆକ୍ରମଣ ଅନ୍ୟାୟ। ଅପରନ୍ତୁ ଏହା ଫଳରେ ଇରାନର ବୈଜ୍ଞାନିକ ଅଗ୍ରଗତି ଓ ଯୋଗାଯୋଗ ବ୍ୟବସ୍ଥା ଧୂଳିସାତ ହେବା ସହିତ ଜନଜୀବନର ବ୍ୟାପକ କ୍ଷୟକ୍ଷତି ଘଟିଛି। ଏପରିକି ସ୍କୁଲ ଉପରେ ବୋମାମାଡ ଯୋଗୁଁ ବହୁ ସଂଖ୍ୟାରେ ସ୍କୁଲ ପିଲା ମୃତ୍ୟୁବରଣ କରିଛନ୍ତି। ଏହି ଆକ୍ରମଣ ଯୋଗୁଁ ତୈଳ ଦର ବୃଦ୍ଧି ସହ ବିଶ୍ଵ ଅର୍ଥନୀତି ମଧ୍ୟ ବ୍ୟାପକ ଭାବରେ ପ୍ରଭାବିତ ହେବାର ସମ୍ଭାବନା ଦେଖାଦେଇଛି। ଅତ୍ୟନ୍ତ ନିନ୍ଦନୀୟ ବିଷୟ ହେଉଛି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଇସ୍ରାଏଲ ଗସ୍ତ ପରେ ପରେ ହିଁ ଏହା ଘଟିଛି, ଯେଉଁଥିରେ ସେ ରକ୍ତପିପାସୁ ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କୁୁ ତଥାକଥିତ 'ଆତଙ୍କବାଦ ବିରୋଧୀ ଲଢେଇ'ର ଅଗ୍ରଣୀ ଯୋଦ୍ଧା ବୋଲି ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ପରିସ୍ଥିତିରେ ସାର୍ବଭୌମ ଇରାନ ବିରୁଦ୍ଧରେ ସେମାନଙ୍କ ନଗ୍ନ ଆକ୍ରମଣକୁ ତୁରନ୍ତ ବନ୍ଦ କରିବାକୁ ସାମ୍ରା଼ଜ୍ୟବାଦୀ ଆମେରିକା ଏବଂ ଇସ୍ରାଏଲକୁ ବାଧ୍ୟ କରିବା ପାଇଁ ଏକ ଶକ୍ତିଶାଳୀ ଜନ ଆନ୍ଦୋଳନ ଗଢ଼ିତୋଳିବାକୁ ବିଶ୍ୱର ଶାନ୍ତିପ୍ରେମୀ ଜନସାଧାରଣଙ୍କୁ ଆହ୍ବାନ ଦେବା ସଙ୍ଗେ ସଙ୍ଗେ ଇସ୍ରାଏଲ ସହିତ ସମସ୍ତ ପ୍ରକାର କୂଟନୈତିକ ସମ୍ପର୍କ ଚ୍ଛିନ୍ନ କରିବା ପାଇଁ ଭାରତ ସରକାରଙ୍କ ନିକଟରେ ଏସ୍ୟୁସିଆଇ(ସି) ପକ୍ଷରୁ ଦାବି କରାଯାଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق