କାମାକ୍ଷାନଗର ଦୁଷ୍କର୍ମ ଓ ହତ୍ୟା ଘଟଣା ପରିବାରକୁ ଭେଟିଲା ଆପ୍,ଫାଷ୍ଟଟ୍ରାକ କୋର୍ଟରେ ଦୁଇ ମାସ ଭିତରେ ନ୍ୟାୟ ଦାବି କଲା ଆପ୍।
କାମାକ୍ଷାନଗର, ଢେଙ୍କାନାଳ -
କାମାକ୍ଷାନଗର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡିତ ପରିବାରକୁ ଭେଟି ଫାଷ୍ଟଟ୍ରାକ କୋର୍ଟରେ ଦୁଇ ମାସ ଭିତରେ ନ୍ୟାୟ ଦାବି ଏବଂ ପଚାଶ ଲକ୍ଷ ସହାୟତା ରାଶି ଦାବି କଲା ଆମ୍ ଆଦମୀ ପାର୍ଟି। ଗଣତନ୍ତ୍ର ବ୍ୟବସ୍ଥାରେ ପ୍ରତି ନାଗରିକକୁ ସାମାଜିକ ସୁରକ୍ଷା ଓ ସମାଜରେ ବଞ୍ଚିବା ପାଇଁ ଆନୁସଙ୍ଗିକ ସୁବିଧା ଯୋଗାଇଦେବା ସରକାରଙ୍କର କର୍ତ୍ତବ୍ୟ। ରାଜ୍ୟରେ ବର୍ତ୍ତମାନର ବିଜେପି ସରକାର ଏହା ଯୋଗାଇ ଦେବାରେ ବିଫଳ ହୋଇଛି। ଗୋଟିଏ ପରେ ଗୋଟିଏ ଜଘନ୍ୟ ଅପରାଧ ଘଟି ଚାଲିଥିବା ବେଳେ ସରକାର ଅଦ୍ୟାବଧି କୌଣସି ଠୋସ ପଦକ୍ଷେପ ନେଇ ନାହାଁନ୍ତି ଯାହାର ପରିଣାମ ଆଜି କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଛି । କାମାକ୍ଷାନଗରରେ କଲେଜ ଛାତ୍ରୀଙ୍କ ସହିତ ଘଟିଥିବା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସମଗ୍ର ସମାଜକୁ ଲଜ୍ଜିତ ଓ ଦୁଃଖିତ କରିଛି। ଏହା କେବଳ ଏକ ଅପରାଧ ନୁହେଁ, ବରଂ ନାରୀ ସୁରକ୍ଷା ପ୍ରତି ଆମ ସମାଜ ଓ ପ୍ରଶାସନର ଦୁର୍ବଳତାକୁ ପ୍ରକାଶ କରୁଛି। ଏହି ଘଟଣାରେ ଅନ୍ୟ ଦୋଷୀଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ଗିରଫ କରାଯାଉ ବୋଲି ଆପ୍ ର ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ଦାବି କରିଛନ୍ତି। ଜିଲ୍ଲା ସମ୍ପାଦକ ଅନିଲ ସାମଲ, ସଦସ୍ୟ ଗୌରାଙ୍ଗ ସାମଲ, ଲକ୍ଷ୍ମଣ ଦାସ, ଜୟନ୍ତ ଦାସ, ମହିଳା ସୁରକ୍ଷା ମହାସଂଗଠନ ସମ୍ପାଦିକା ଉର୍ବଶୀ ନାୟକ , ସଭାପତି ଶାନ୍ତିଲତା ବେହେରା, ଟିକିଲି ପଣ୍ଡାଙ୍କ ସହିତ ଶତାଧିକ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅନେକ ପ୍ରଶ୍ନ କରିଥିଲେ। ଘଟଣାରେ ବ୍ୟବହୃତ ଯାନ (କାର) କାହା ନାମରେ ରେଜିଷ୍ଟର୍ ଥିଲା, ଏବଂ ସେହି ଯାନର ମାଲିକଙ୍କ ଭୂମିକା କଣ? କାହା ଚାପରେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରୁନାହିଁ? ପୂର୍ବରୁ ଜିରାଳ ରେ ପୋଲିସ ଥାନା କରାଯିବାପାଇଁ ସରକାର ଓ ପୋଲିସ ବିଭାଗ ପାଖରେ ସାଧାରଣ ଜନତା ଦାବି କରିଆସୁଛନ୍ତି l ଏଠାରେ ପୋଲିସ ପିକେଟ ଥିଲେ ବୋଧ ହୁଏ ଏପରି ଘଟଣା ଘଟାଇବା ପାଇଁ ଦୁବୃର୍ତ୍ତ ମାନଙ୍କ ମନରେ ଭୟ ସୃଷ୍ଟି ହୋଇଥାନ୍ତା। ଏପରି ଅନେକ ପ୍ରଶ୍ନ ରହିଛି। ପୋଲିସ କେବଳ ବାହା ବାହା ନେବାପାଇଁ ଓ ଲୋକଙ୍କ ଧାରଣାକୁ ଅନ୍ୟ ଦିଗକୁ ନେବାପାଇଁ ଚେଷ୍ଟା କରୁଛି ବୋଲି ଆପ୍ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ଆରୋପ ଲଗାଇଛନ୍ତି। ଜିଲ୍ଲାରେ ଏପରି ଅନେକ ଘଟଣା ସୁପ୍ତ ଅବସ୍ଥାରେ ରହିଛି, ଯାହାକି ସାଧାରଣ ଲୋକ ଭୁଲି ଗଲେଣି। ଆମ୍ ଆଦମୀ ପାର୍ଟି ଦାବି କରୁଛି ପୋଲିସ କାହାର ଚାପରେ ନପଡି ଅନ୍ୟ ଅଭିଯୁକ୍ତ ମାନଙ୍କୁ ତଦନ୍ତ ଗିରଫ କରୁ, ଫାଷ୍ଟଟ୍ରାକ କୋର୍ଟରେ ଦୁଇ ମାସ ଭିତରେ ପୀଡିତାଙ୍କୁ ନ୍ୟାୟ ମିଳୁ ଏବଂ ପଚାଶ ଲକ୍ଷ ସହାୟତା ରାଶି ପୀଡ଼ିତ ପରିବାରକୁ ପ୍ରଦାନ କରାଯାଉ। ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ସ୍ଥାନୀୟ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ବୃଦ୍ଧି, ସିସିଟିଭି ବ୍ୟବସ୍ଥା ଓ ମହିଳା ସୁରକ୍ଷା ପାଇଁ ବିଶେଷ ପଦକ୍ଷେପ ନିଆଯାଉ ନଚେତ ଆମ୍ ଆଦମୀ ପାର୍ଟି ଆନ୍ଦୋଳନ କରିବ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment