BREAKING
Loading...
:

ନିରୀହ ବନ୍ୟଜନ୍ତୁଙ୍କ କଥା ଭାବି ଜଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ : ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ବ୍ରହ୍ମପୁର*

 ନିରୀହ ବନ୍ୟଜନ୍ତୁଙ୍କ କଥା ଭାବି ଜଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ : ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ବ୍ରହ୍ମପୁର*



ବିଗତ ପାଞ୍ଚ ବର୍ଷର ତଥ୍ୟକୁ ଆକଳନ କରାଯାଇ ଜଙ୍ଗଲ ନିଆଁ ପ୍ରଶମନ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି-


ବ୍ରହ୍ମପୁର , ଗ୍ରୀଷ୍ମ ଋତୁ ଉପନୀତ। ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହୋଇଛି। ଏବର୍ଷ ଅନ୍ୟ ବର୍ଷ ତୁଳନାରେ ଅଧିକ ରୌଦ୍ରତାପ ପରିଲିକ୍ଷିତ ହେଲାଣି । ଜଙ୍ଗଲରେ ନିଆଁ ଲଗେଇଲେ ନିରୀହ ବନ୍ୟଜନ୍ତୁମାନେ ନାହିଁ ନ ଥିବା ସମସ୍ୟାରେ ସମ୍ମୁଖୀନ ହୁଅନ୍ତି। ବ୍ରହ୍ମପୁର ସର୍କଲରେ ସାତୋଟି ବନଖଣ୍ଡ ଅନ୍ତର୍ଭୁକ୍ତ। ଏହି ସବୁ ବନଖଣ୍ଡରେ ଓ ଜଙ୍ଗଲ ଆଖପାଖରେ ରହୁଥିବା ଜନସାଧାରଣଙ୍କୁ ନିଆଁ ନ ଲଗାଇବା ପାଇଁ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ବ୍ରହ୍ମପୁର ସର୍କଲ ବିଶ୍ଵନାଥ ନୀଳାନ୍ନଭର ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅନୁରୋଧ କରିଛନ୍ତି।


ସୂଚନା ଯୋଗ୍ୟ ଯେ, ବିଗତ ପାଞ୍ଚ ବର୍ଷର ତଥ୍ୟକୁ ଆକଳନ କରାଯାଇ ଜଙ୍ଗଲ ନିଆଁ ପ୍ରଶମନ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ଏହି ସାତୋଟି ଡିଭିଜନରେ ବିଗତ ପାଞ୍ଚ ବର୍ଷ ମଧ୍ୟରେ 7000 ରୁ ଉର୍ଦ୍ଧ୍ୱ ସ୍ଥାନରେ ନିଆଁ ଲାଗିଥିଲା। ସମୟାନ୍ତରରେ ଲୋକଙ୍କ ମଧ୍ୟରେ ସଚେତନତା ବଢୁଛି ଏବଂ ନିଆଁ ଲଗା କମୁଛି। କିନ୍ତୁ ଦୁଃଖର ବିଷୟ ଲୋକଙ୍କର ବହୁ ବର୍ଷର ନିଆଁ ଲଗା ଅଭ୍ୟାସକୁ ସମ୍ପୂର୍ଣ ବନ୍ଦ କରାଯାଇପାରୁନାହିଁ। ଚଳିତ ବର୍ଷ ସାତୋଟି ବନଖଣ୍ଡର 114 ସ୍ଥାନର ନିଆଁକୁ ପ୍ରଶମିତ କରାଯାଇସାରିଛି। ପୋଡୁ ଚାଷ ପାଇଁ ନିଆଁ ଲାଗେ। ଆଦିବାସୀ ସମ୍ପ୍ରଦାୟ ତଥା ଜଙ୍ଗଲ ନିକଟସ୍ଥ ଗ୍ରାମର ନେତୃସ୍ଥାନୀୟ ବ୍ୟକ୍ତିଙ୍କ ଜରିଆରେ ଗ୍ରାମବାସୀଙ୍କୁ ନିଆଁ ନ ଲଗାଇବା ପାଇଁ ସେ ଅନୁରୋଧ କରିଛନ୍ତି । 



ବ୍ରହ୍ମପୁର ସର୍କଲର ଘଞ୍ଚ ଜଙ୍ଗଲରେ 6000 କିଲୋମିଟର ଫରେଷ୍ଟ ଫାୟାର ଲାଇନ ପ୍ରସ୍ତୁତି କରାଯାଇ ଲୋକକଳା, ବୈଠକ, ସାମାଜିକ ଗଣମାଧ୍ୟମ ଓ ଅନ୍ୟାନ୍ୟ ମାଧ୍ୟମରେ ଜନ ସଚେତନତାକୁ ବ୍ୟାପକ କରାଯାଇଛି । ଏହି ସାତୋଟି ବନଖଣ୍ଡ କର୍ମଚାରୀ, ବନ ସୁରକ୍ଷା ସମିତିର ସଦସ୍ୟଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଚଳିତ ବର୍ଷ ଜଙ୍ଗଲ ନିଆଁକୁ ତୁରନ୍ତ ପରାହତ କରିବା ପାଖାପାଖି 600ଟି ବ୍ରୋୟର, 42 ଟି ଯାନ, 408 ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ତା ସହିତ ସାତୋଟି ବନଖଣ୍ଡର କଣ୍ଟ୍ରୋଲ ରୁମର ଟେଲିଫୋନ ନମ୍ବର ଜାରି କରାଯାଇଛି। ଜଙ୍ଗଲରେ ନିଆଁ ଲାଗିଥିବା ଜାଣିବା କ୍ଷଣି ତୁରନ୍ତ ଜଣାଇବା ପାଇଁ ସଚେତନ ନାଗରିକମାନଙ୍କୁ ଶ୍ରୀ ନୀଳାନ୍ନଭର ଅନୁରୋଧ କରିଛନ୍ତି। 



ଜଙ୍ଗଲ ନିଆଁ ଜାଣିବାରେ ବିଭାଗକୁ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ(ଏସ୍ଏଆଇ) ଦ୍ୱାରା ପ୍ରସ୍ତୁତ ଫାୟାର ଆଲର୍ଟ ସିଷ୍ଟମ ବିଶେଷ ଉପଯୋଗୀ ସାବ୍ୟସ୍ତ ହେଉଛି। ତାସହିତ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମୁଖ୍ୟ କାର୍ଯ୍ୟାଳୟରୁ ସାଟାଲାଇଟ ପ୍ରାପ୍ତ ସୂଚନା ପାଇବା କ୍ଷଣି ନିଆଁକୁ ଯଥାଶୀଘ୍ର ପ୍ରଶମିତ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି। ଏହା ସହିତ ଜ଼ିଲ୍ଲାପାଳମାନଙ୍କ ନେତୃତ୍ୱରେ ଜ଼ିଲ୍ଲା ଫାୟାର ପ୍ଲାନ ପ୍ରସ୍ତୁତ କରାଯାଇ  ସମ୍ପୃକ୍ତ ଅଂଚଳରେ ଆବଶ୍ୟକତା ଅନୁଯାୟୀ ବିହିତ ପଦକ୍ଷେପ ନିଆଯାଉଛି ।


ବ୍ରହ୍ମପୁର ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ସନ୍ନି ଖୋଖର, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ସୌରଭ ପ୍ରଧାନ ଓ ବିଭାଗୀୟ ଅଧିକାରୀମାନେ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ।


ନିଆଁକୁ ଆୟତ୍ତ କରିବାକୁ ଯିବା ସମୟରେ ସୁରକ୍ଷିତ ପୋଷାକ ପରିଧାନ କରିବା ସହିତ ବ୍ରୋୟର ଓ ଫାୟାର ବଲ୍‌ର ସମୁଚିତ ବ୍ୟବହାର କରିବାକୁ ସମ୍ପୃକ୍ତ ସମସ୍ତଙ୍କୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS