ଆୟୁଷ ଛାତ୍ରଙ୍କ ନ୍ୟାର୍ଯ୍ୟ ଦାବିକୁ ସରକାରଙ୍କ ଅଣଦେଖା, ଆୟୁଷ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହତାଶାଭାବ
ସମ୍ବଲପୁର:
ସାରା ଓଡ଼ିଶାରେ ଆୟୁଷ ଛାତ୍ର ଆନ୍ଦୋଳନ ଦିନକୁ ଦିନ ବ୍ୟାପକ ହେଉଥିବା ବେଳେ ରାଜ୍ୟ ସରକାର ଚୁପ ବସିବାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖାଦେଇଛି। ଏହା ରାଜ୍ୟ ପାଇଁ ଶୁଭ ସୂଚନା ନୁହେଁ ବୋଲି ଆଜି ସମ୍ବଲପୁର ଠାରେ ଆନ୍ଦୋଳନକୁ ସମର୍ଥନ ଦେଇ ସରକାର ପିଲାଙ୍କ ଦାବିପ୍ରତି ସଦୟ ମନୋଭାବ ପୋଷଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ନିଖିଳ ଓଡିଶା ଆୟୁଷ ଛାତ୍ର ସଂଗଠନ ଦ୍ୱାରା ୮ ଦଫା ଦାବି ନେଇ ନଭେମ୍ବର ୬ ତାରିଖରୁ କଳା ବ୍ୟାଚ, ୨୪ ତାରିଖରୁ କଲେଜରେ ତାଲା ବନ୍ଦ ଓ ୩୦ ତାରିଖରୁ କଲେଜ ବାରଣ୍ଡାରେ ଦିବାରାତ୍ର ଧାରଣା ଦେଇ ଆନ୍ଦୋଳନକୁ ବ୍ୟାପକ କରୁଥିବା ବେଳେ ଆୟୁଷ ପ୍ରତି ସରକାର ନିରବଦ୍ରଷ୍ଟା ସାଜିବା ଆଦୌ ଠିକ ନୁହେଁ ବୋଲି ବିଚାର କରାଯାଉଛି। ଦାବି ମଧ୍ୟରେ ନୂତନ ଆୟୁଷ ଡାକ୍ତର ପଦବୀ ସୃଷ୍ଟି କରିବା, ଉଚ୍ଚଶିକ୍ଷା ନିମନ୍ତେ ଆସନ ବୃଦ୍ଧି, ଡାଇନାମିକ ଷ୍ଟାଇପେଣ୍ଡ ଦେବା, କଲେଜ ଗୁଡିକରେ ପରିଚାଳନା କମିଟି ପୁନଃ ଗଠନ କରିବା, କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ସମସ୍ତ ନିୟମାବଳୀ ପାଳନ କରାଯିବା, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାରେ ଆୟୁଷକୁ ଅନୁର୍ଭୁକ୍ତ କରିବା, ଆୟୁଷ ଚିକିତ୍ସା ପଦ୍ଧତିର ପ୍ରଚାର ପ୍ରସାର କରାଯିବା, ସ୍ବତନ୍ତ୍ର ଆୟୁଷ ମନ୍ତଣାଳୟ କାର୍ଯ୍ୟକାରୀ କରିବା ଭଳି ଯଥାର୍ଥ ଦାବି ରହିଥିବା ବେଳେ ସରକାର କାହିଁକି ଟାଳଟୁଳ ନୀତି ଆପଣେଇଛନ୍ତି ବୋଲି ଆନ୍ଦୋଳନକୁ ସମର୍ଥନ ଦେଇ ବରିଷ୍ଠ ଆୟୁର୍ବେଦ ଚିକିତ୍ସକ ନେତା ଡାକ୍ତର ରାଜାରାମ ଷଡ଼ଙ୍ଗୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଭାରତ ସରକାରଙ୍କ ଆୟୁଷ ପ୍ରତି ଗୁରୁତ୍ୱକୁ ରାଜ୍ୟ ସରକାର ଉପଲବ୍ଧି କରିପାରିନଥିବାରୁ ରାଜ୍ୟରେ ଆୟୁଷର ସବୁ ଭୁତ୍ତିଭୂମି ରହି ସୁଦ୍ଧା ତାହା ବିକଶିତ ହୋଇପାରୁନାହିଁ ବୋଲି ଆନ୍ଦୋଳନକୁ ସମର୍ଥନ ଜଣାଇ ଅନଶନରେ ବସିଥିବା ଓଡିଶା ସାମ୍ବାଦିକ ସଂଘର ପଶ୍ଚିମ ଓଡିଶା ପ୍ରାନ୍ତୀୟ ସମ୍ପାଦକ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ କ୍ଷୋଭ ପ୍ରକାଶ କରିଛନ୍ତି।ସେହିପରି ଅଲ ଓଡିଶା ସରକାରୀ ହୋମିଓପାଥି ସର୍ଭିସ ଆସୋସିଏସନର ପୂର୍ବତନ ସଭାପତି ଡା. ଗୋପାଳ ଚନ୍ଦ୍ର ବେହେରା ସମର୍ଥନ ଦେଇ ନ୍ୟାର୍ଯ୍ୟ ଦାବିକୁ ସରକାର ଅବିଳମ୍ଭେ ପୂରଣ କରିବାକୁ କହିଥିଲେ। ଏପରିକି ଆମକୁ ସୁଯୋଗ ଦିଅ ଆମେ ସୁସ୍ଥ ଓଡିଶା ଦେବୁ ବୋଲି ନିଖିଳ ଓଡିଶା ଆୟୁଷ ଛାତ୍ର ସଂଗଠନ ସରକାରଙ୍କ ଠାରେ ଅପିଲ କରିବା ପରେ ବି ସରକାର ଆୟୁଷ ଡାକ୍ତରଙ୍କ ଉପରେ ବିଶ୍ୱାସ ନକରିବା ଦୁର୍ଭାଗ୍ୟ ଜନକ ବିଷୟ କହି ରାଜ୍ୟର ସମସ୍ତ ପ୍ରାଥମିକ ଚିକିତ୍ସାଳୟଗୁଡିକୁ ଆୟୁଷ ଡାକ୍ତର ହାତରେ ଛାଡ଼ିଦେଇ ସିଏଚସି ଉପରକୁ ଏମବିବିଏସ ଓ ବିଶେଷଜ୍ଞ ଡାକ୍ତରଙ୍କ ଉପରେ ସରକାର ଦାୟିତ୍ୱ ନ୍ୟସ୍ତ କଲେ। ଆମକୁ ସୁଯୋଗ ଦିଅ ଆମେ ସୁସ୍ଥ ଓଡିଶା ଦେବୁ ସ୍ବପ୍ନ ସାର୍ଥକ ହେବ ବୋଲି ଡାକ୍ତର ଷଡ଼ଙ୍ଗୀ ସରକାରଙ୍କୁ ପୂର୍ଣ୍ଣ ବିଶ୍ୱାସ ଦେଇଥିବା ବେଳେ ଏହାର ଅନେକ ଉଦାହରଣକୁ ସରକାର ମନେ ପକାଇବାକୁ କହିଛନ୍ତି। ଅନ୍ୟ ପକ୍ଷରେ ରାଜ୍ୟରେ ୧୧୮୮ ମଧ୍ୟରୁ ଓଡ଼ିଶାରେ ୮୭୧ ଆୟୁଷ ଡାକ୍ତରଖାନା କାର୍ଯ୍ୟକରୁଛି। ୧୧୨ ଡାକ୍ତର ପଦବୀ ଖାଲି ପଡିଛି। ୧୭୯ ସହାୟକ ପଦବୀ ଖାଲି ପଡିଛି। ୪୦୪ ଡାକ୍ତରଖାନା ପାଇଁ ନିଜସ୍ୱ ଜମି ନାହିଁ। ୪୧୭ ଡାକ୍ତରଖାନାରେ ଜଳ ଯୋଗାଣ ବ୍ୟବସ୍ଥା ନଥିବା ବେଳେ ୨୯୭ ଟି ଡାକ୍ତରଖାନା ର ନିଜସ୍ୱ କୋଠା ନାହିଁ। ଏପରିକି ସବୁଠୁ ବଡ଼ ଦୁର୍ଭାଗ୍ୟର କଥା ୫୭୯ ଟି ଡାକ୍ତରଖାନାରେ ଶୌଚାଳୟ ନଥିବା ବେଳେ ୭୪୨ ଡାକ୍ତରଖାନାରେ ଆବାସ ସୁବିଧା ନାହିଁ। ରାଜ୍ୟ ସରକାର ଏଦିଗରେ ମଧ୍ୟ ଚିନ୍ତା କରିବା କଥା ବୋଲି ସେ ଚେତାଇ ଦେଇ ରାଜ୍ୟରେ ଆୟୁଷକୁ ମାରି କୌଣସି ସରକାର ତିଷ୍ଠି ନାହିଁ ବରଂ ଡବଲ ଇଞ୍ଜିନ ସରକାର ଆଉ ଗୋଟିଏ ଇଞ୍ଜିନ ଛାଡି ଗୋଟିଏ ଇଞ୍ଜିନରେ ଭରସା କଲେ ମାଆ ମାଟିକୁ ମାରିବା ସାର ହେବ ବୋଲି ଆନ୍ଦୋଳନକାରୀ ଚେତାଇ ଦେଇଛନ୍ତି। ଅନ୍ୟପଟେ ଆନ୍ଦୋଳନକାରୀ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଭେଟି ସମସ୍ୟା ଓ ଦାବି ବିଷୟରେ ଜଣାଇ ସମାଧାନ ପାଇଁ ଦାବି କରିଥିଲେ। ଅନ୍ୟପଟେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ଆୟୁଷ ଛାତ୍ରମାନଙ୍କ ଦାବିକୁ ସମର୍ଥନ ଦେଇ ବିଧାନସଭାରେ ଏହି ସମସ୍ୟା ଉଠାଇବେ ବୋଲି କହିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق