ନେତୃତ୍ୱକୁ ସଶକ୍ତ କରି ବିକାଶକୁ ତ୍ବରାନ୍ବିତ କରିବା ଆଦି କର୍ମଯୋଗୀ ଅଭିଯାନର ମୁଖ୍ୟ ଲକ୍ଷ୍ୟ
ସମ୍ବଲପୁର:
ଭାରତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ଆଦି କର୍ମଯୋଗୀ ଅଭିଯାନର କାର୍ଯ୍ୟକାରୀତା ନେଇ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇଛି। ସମ୍ବଲପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କୁଚିଣ୍ଡା ଉପଖଣ୍ଡରେ ଏହାର ପ୍ରଚଳନ ସହ ସମୂଦାୟ ୧୩୦ଟି ଗ୍ରାମକୁ ଚିହ୍ନଟ କରି ଗାନ୍ଧୀ ଜୟନ୍ତି ଦିନ ଏଥି ନିମନ୍ତେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଥିବା ଜିଲ୍ଲା ନୋଡାଲ ଅଫିସର ତଥା କୁଚିଣ୍ଡା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ହେମସାଗର ଭୋଇ ଏକ ବିବୃତିରେ ସୂଚନା ଦେଇଛନ୍ତି।ଉପଖଣ୍ଡର କୁଚିଣ୍ଡା ବ୍ଲକର ୨୮, ବାମରା ବ୍ଲକର ୫୯ ଏବଂ ଜମନକିରା ବ୍ଲକର ୪୩ ଗୋଟି ଗ୍ରାମକୁ ଚିହ୍ନଟ କରି ସ୍ୱତନ୍ତ୍ର ଗ୍ରାମସଭା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି। ଜନଜାତି ବହୁଳ ଗ୍ରାମର ସ୍ୱାସ୍ଥ୍ୟ, ଶିକ୍ଷା, ପରିମଳ, ରାସ୍ତାଘାଟ ସହ ସାମୂହିକ ବିକାଶକୁ ତ୍ବରାନ୍ବିତ କରିବା ଆଦି କର୍ମଯୋଗୀ ଅଭିଯାନ ଯୋଜନାର ମୂଳ ଲକ୍ଷ୍ୟ ବୋଲି ଶ୍ରୀଭୋଇ କହିଛନ୍ତି। ଏହି ଗ୍ରାମମାନଙ୍କରେ ସଂପ୍ରଦାୟର ଗତିଶୀଳତା, ଭବିଷ୍ୟତ ପରିକଳ୍ପନା, ବିଭିନ୍ନ ସଂଗଠନ ସୃଷ୍ଟି, ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ସହ ଜନସାଧାରଣଙ୍କୁ ସଚେତନ କରିଵା ନେଇ ଖସଡ଼ା ଚୂଡାନ୍ତ ହୋଇଛି। ମୁଖ୍ୟତଃ ଏସ୍ଏଚ୍ଜି ଗଠନ, ଜନଜାତୀୟ ମହିଳା ଓ ପୁରୁଷ ତଥା ଯୁବତୀ ଯୁବକଙ୍କ ଏହି କାର୍ଯ୍ୟକ୍ରମରେ ଯେଭଳି ସହଭାଗିତା ରହିବ ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ରହିଛି। ଏହାଛଡା ଧର୍ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ମାଧ୍ୟମରେ ଜନଜାତି ସଂପ୍ରଦାୟର ନେତୃତ୍ୱକୁ ଶକ୍ତିଶାଳୀ କରିବା ଲକ୍ଷ୍ୟ ରହିଛି। ଏଥିରେ ସାଂସ୍କୃତିକ ମୂଲ୍ୟବୋଧ, ସ୍ଥାନୀୟ ଆବଶ୍ୟକତା, ସାମାଜିକ ସମସ୍ୟାର ନିରାକରଣ, ଅର୍ଥନୈତିକ ସୃଦୃଢ଼, ସଂସ୍କୃତିର ପୁନରୁଦ୍ଧାର, କୃଷି, ଗୋପାଳନ, ବ୍ୟବସାୟ ଆଦି ଉପରେ ଫୋକସ୍ କରାଯାଇଛି। ପ୍ରତ୍ୟେକ ବ୍ଲକର ବିଡିଓମାନେ ବ୍ଲକ ନୋଡାଲ ଅଫିସର ଥିବା ବେଳେ ଏଥିରେ ଡବ୍ଲୁଇଓ ମାନେ ତାଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق