BREAKING
Loading...
:

ଗୁରୁ ସାକ୍ଷାତ ପରଂବ୍ରହ୍ମ କାର୍ଯ୍ଯକ୍ରମ, ୨ ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ,ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ

 ଗୁରୁ ସାକ୍ଷାତ ପରଂବ୍ରହ୍ମ କାର୍ଯ୍ଯକ୍ରମ, 

୨ ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ,ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ

 


  ଖଣ୍ଡପଡ଼ା ୫|୯ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ବ୍ଲକ ଅଧିନ ବନମାଳିପୁର ପ୍ରଭୁ ଶ୍ରୀସୋମନାଥଦେବଙ୍କ ପଞ୍ଚୁଦୋଳ ଯାତ୍ରା ପଡ଼ିଆରେ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ 'ମୋ ମାଟି ଭାପୁର' ପକ୍ଷରୁ ୪ର୍ଥ ବାର୍ଷିକ "ଗୁରୁ ସାକ୍ଷାତ ପରଂବ୍ରହ୍ମ" କାର୍ଯ୍ୟକ୍ରମ ଶିକ୍ଷାବିତ ରବୀନ୍ଦ୍ର ନାଥ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଭାପୁର ବ୍ଲକ ଉପାଧ୍ୟକ୍ଷ ତଥା ମୋ ମାଟି ଭାପୁର ଅନୁଷ୍ଠାନର ସଭାପତି ବେଣୁଧର ପ୍ରଧାନ ଗୁରୁମାନଙ୍କ ପାଦ ଧୋଇ ଆଶୀର୍ବାଦ କାମନା କରିଥିଲେ। ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗୁରୁ ଓ ଗୁରୁମା ମାନଙ୍କ ମଥାରେ ଫୁଲ, ଚନ୍ଦନ ଦେଇ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରାଣକୃଷ୍ଣ ମହାରଣା, ସବିତା ଶୁକ୍ଲା, ବାଣିକଣ୍ଠ ଶିଳ୍ପୀ ଯୁଧିଷ୍ଠିର ଖୁଣ୍ଟିଆ ପ୍ରମୁଖ ଭଜନ ପରିବେଷଣ କରିଥିବା ବେଳେ ଛାତ୍ରୀ ବଂଶୀକା ସାଇକୃପାଙ୍କ ଓଡ଼ିଶୀ ନୃତ୍ୟ ସମସ୍ତଙ୍କ ମନକୁ ଛୁଇଁଥିଲା। ପରେ ଅତିଥିମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଡ଼ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଯୁବ ଉପସ୍ଥାପକ ଅଂଶୁମାନ ଜେନା କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ସମସ୍ତ ଅତିଥିଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ମୁଦ୍ରିତ 'ବୁଝୁ ନ ବୁଝୁ ପଢ଼ ଗୀତା' ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଉପସ୍ଥିତ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀମାନଙ୍କୁ ଭାଗବତ ଗୀତା ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥିଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ  ଯୋଗଦେଇଥିଲେ। ସମ୍ମାନିତ ଅତିଥିଭାବେ ପୂର୍ବତନ ବିଧାୟକ ତଥା ଖଣ୍ଡପଡ଼ା ରାଜା ସିଦ୍ଧାର୍ଥ ଶେଖର ସିଂହ ମର୍ଦ୍ଦରାଜ, ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଜିତେନ୍ଦ୍ର ନାରାୟଣ ଦାଶ, ଶିକ୍ଷାବିତ ଡ଼ ପବିତ୍ର ସୁବୁଦ୍ଧି, ଶିକ୍ଷାବିତ ଡ଼ ଗଣେଶ୍ୱର ସ୍ବାଇଁ ,ବରିଷ୍ଠ ଉପସ୍ଥାପକ ଡ଼ ମୃତ୍ୟଞ୍ଜୟ ରଥ, ଶିକ୍ଷାବିତ ପ୍ରଫୁଲ୍ଲ କୁମାର ମହାନ୍ତି, ଖଣ୍ଡପଡ଼ା ବ୍ଲକ ଅଧ୍ୟକ୍ଷା ଉପମା ବେହେରା, ଜିଲ୍ଲା ପରିଷଦ ସଭ୍ୟ ରାମେଶ୍ୱର ଶତପଥୀ,ବରିଷ୍ଠ ନାଗରିକ ମଞ୍ଚର ରାଜ୍ଯ ସମ୍ପାଦକ ଯୁଗଳ କିଶୋର ସାହୁ ପ୍ରମୁଖ ଯୋଗଦେଇ ଗୁରୁ ପୂଜନର ମାହାତ୍ମ୍ୟ ଓ ବିକଶିତ ରାଷ୍ଟ୍ର ଗଠନରେ ଗୁରୁମାନଙ୍କର ଅବଦାନ ନେଇ ବକ୍ତବ୍ଯ ପ୍ରଦାନ କରିଥିଲେ।ସମଗ୍ର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରୁ ୨ ହଜାରରୁ ଉର୍ଦ୍ଧ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଶିକ୍ଷକ,ଶିକ୍ଷୟତ୍ରୀ କାର୍ଯ୍ୟକ୍ରମରେ     ଯୋଗଦେଇଥିଲେ। ପରିଶେଷରେ ମୋ ମାଟି ଭାପୁର ଅନୁଷ୍ଠାନର ସଭାପତି ଶ୍ରୀପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ଏ ଅବସରରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ମୋ ମାଟି ଭାପୁର ଅନୁଷ୍ଠାନର ସଦସ୍ୟଙ୍କ ସମେତ ଖଣ୍ଡପଡ଼ା ଓ ଭାପୁର ବ୍ଲକ ଅଞ୍ଚଳର  ଜନପ୍ରତିନିଧିମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS