ଖଣ୍ଡପଡ଼ାରେ ହନୁମାନ କାଠି ପର୍ବ ପାଳିତ
ଖଣ୍ଡପଡ଼ା ୧୫|୯ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଗଡଜାତ
ଖଣ୍ଡପଡା ଅଞ୍ଚଳରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ଯରେ ହନୁମାନକାଠି ପର୍ବ ଏକ ନିଆରା ପରମ୍ପରା ଭାବେ ଗତ ୩୦୦ ବର୍ଷରୁ ଉର୍ଦ୍ଧ ସମୟ ଧରି ପାଳିତ ହୋଇଆସୁଛି । ପ୍ରତିବର୍ଷ ପବିତ୍ର ଦ୍ଵିତୀୟା ଓଷା ତିଥିର ବିଳମ୍ବିତ ରାତିରେ ହନୁମାନ କାଠି ପର୍ବ ଖଣ୍ଡପଡ଼ାରେ ପାଳିତ ହୋଇଥାଏ।ଖଳିସାହି ସ୍ଥିତ ପ୍ରଭୁ ତୋଟା ହନୁମାନଙ୍କ ପୀଠ ପରିସରରେ ଏ ପରିପ୍ରେକ୍ଷୀରେ ରବିବାର ସଂନ୍ଧ୍ୟାରେ ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ପୂଜାପାଠର ଆୟୋଜନ କରାଯାଇଥିଲା। ଖଣ୍ଡପଡା ସହର ଗଡଭିତର ସାହିରେ ରହୁଥିବା ସେବକମାନେ ସଂନ୍ଧ୍ୟା ସମୟରେ ପ୍ରଭୁ ଶ୍ରୀ ତୋଟା ହନୁମାନଙ୍କ ପୀଠରେ ପହଞ୍ଚିବା ପରେ ସେଠାରେ ଷୋଡଷ ଉପଚାରରେ ହନୁମାନ ବିଗ୍ରହଙ୍କୁ ପୂଜାର୍ଚ୍ଚନା କରାଯିବା ସହ ଭୋଗ ଲାଗି କରାଯାଇଥିଲା । ପ୍ରଭୁ ତୋଟା ହନୁମାନଙ୍କ ଠାରୁ ଏକ ଆଜ୍ଞାମାଳ ପ୍ରାପ୍ତି ହେବା ପରେ ସେବାସୀମାନେ ହନୁମାନ କାଠି ଦିଅଁ ଓ ମୁଖାକୁ ଧରି ମନ୍ଦିରରୁ ବାହାରି ନିକଟସ୍ଥ ଖଳିସାହି, ଇଚ୍ଛାପୁର, ବରଡାବାରୀ ଆଦି ଗ୍ରାମ ପରିକ୍ରମା କରି ଖଣ୍ଡପଡା ସହରରେ ପହଁଚିଥିଲେ।ପରେ ହନୁମାନ କାଠି ଦିଅଁ ବିଳମ୍ବିତ ରାତିରେ ଖଣ୍ଡପଡା ସହର ପରିକ୍ରମା କରିବା ଅବସରରେ ପରିବାରର ଶୁଭ ମନାସି ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଦୁଆରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ବିଗ୍ରହଙ୍କୁ ଭୋଗଲାଗି କରିଥିଲେ। ପରେ ହନୁମାନ କାଠି ଦିଅଁ ଖଣ୍ଡପଡା ରାଜବାଟୀ ପରିସରସ୍ଥିତ ପର୍ବଘର ଠାରେ ନିଶାର୍ଦ୍ଧରେ ପହଞ୍ଚି ଥିଲେ।ପର୍ବଘରେ ହନୁମାନ କାଠି ଦିଅଁ ପହଁଚିବା ପରେ ରାଜ ପରିବାରର ସଦସ୍ୟମାନେ ବିଗ୍ରହଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏହି ନିଆରା ପର୍ବକୁ ଉପଭୋଗ କରିବା ପାଇଁ ଖଣ୍ଡପଡ଼ା ସହରରେ ଆଖପାଖ ଅଞ୍ଚଳରୁ ଶହଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ହନୁମାନ କାଠି ଦିଅଁ ସହର ପରିକ୍ରମା କରିବା ଅବସରରେ ହରିବୋଲ ହୁଳହୁଳି ଧ୍ଵନୀ ଯୋଗୁଁ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।ସୂଚନାଯୋଗ୍ଯ ରାଜରାଜୁଡା ଅମଳରୁ ହନୁମାନ କାଠି ପର୍ବ ଖଣ୍ଡପଡ଼ା ସହରରେ ପାଳିତ ହୋଇଆସୁଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment