ରାଜ୍ୟପାଳ ପୁରସ୍କାର ପାଇଲେ ସମାଜସେବୀ ସଦାଶିବ ମିଶ୍ର
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ତଥା ଜଣେ ଜଣାଶୁଣା ସମାଜସେବୀ ସଦାଶିବ ମିଶ୍ରଙ୍କୁ ମିଳିଛି ରାଜ୍ୟପାଳ ପୁରସ୍କାର । ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ରାଜ୍ୟପାଳ ହରିବାବୁ କମ୍ଭମପତି ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏକ ବର୍ଣ୍ଣାଢ଼୍ୟ ସମାରୋହରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ତାଙ୍କୁ ମାନପତ୍ର ସହିତ ଉପଢ଼ୌକନ ପ୍ରଦାନ କରିଛନ୍ତି ରାଜ୍ୟପାଳ । ସୂଚନା ଯୋଗ୍ୟ ଯେ ଶ୍ରୀ ମିଶ୍ର ରାଜନୈତିକ କ୍ଷେତ୍ରରେ ନିଜ ଅଞ୍ଚଳ ପାଇଁ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିସାରିଛନ୍ତି । ସେବା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ । ଗଣିଆ ଅଞ୍ଚଳରେ ଥିବା ଅନେକ ରୋଗୀଙ୍କୁ ସେ ବିଭିନ୍ନ ସ୍ବେଛାସେବୀ ସଂଗଠନ ମାଧ୍ଯମରେ ସହାୟତା ପ୍ରଦାନ କରିଆସୁଛନ୍ତି । କେବଳ ସ୍ବାସ୍ଥ୍ୟ ନୁହେଁ ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ସହାୟତା ସେ ପ୍ରଦାନ କରିଛନ୍ତି । ଶିକ୍ଷାରୁ ବଞ୍ଚିତ ହେଉଥିବା ଅବହେଳିତ ଛାତ୍ର ଛାତ୍ରୀ ମାନଙ୍କ ଉତ୍ତମ ଶିକ୍ଷା ପାଇଁ ସେ ସବୁବେଳେ ଚେଷ୍ଟା କରି ଆସୁଛନ୍ତି । ସମାଜସେବା ପାଇଁ ସବୁବେଳେ ସେ ତତ୍ପର । ଏହି ପୁରସ୍କାର ପାଇବା ପରେ ଶ୍ରୀ ମିଶ୍ରଙ୍କୁ ବିଧାୟକ ରମେଶ ଚନ୍ଦ୍ର ବେହେରା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ,ଗଣିଆ ବ୍ଳକ ବିଜୁ ଜନତା ଦଳର କର୍ମକର୍ତ୍ତା ତଥା ବୁଦ୍ଧିଜୀବୀଙ୍କ ତରଫରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।
ମଣିଭଦ୍ରା ଖବର, ଗଣିଆ
إرسال تعليق