ଦଶପଲ୍ଲା ବନାଂଚଳ କୁ ଭଗବାନ ଭରଷା ।।
ଦଶପଲ୍ଲା : - ( ମଣିଭଦ୍ରା ଖବର ) ଦଶପଲ୍ଲା ବନାଞ୍ଚଳର ୬ଟି ସେକ୍ସନ ମଧ୍ୟରେ ସବୁଠାରୁ ଅଧିକ ଗୁରୁତ୍ବ ବହନ କରୁଥିବା ଚଡ଼େୟାପଲ୍ଲୀ ସେକ୍ସନ କାର୍ଯ୍ୟାଳୟ ଏବେ ମୁକୁଳା ପଡ଼ିଛି । ୪ଟି ବିଟ୍କୁ ନେଇ ଗଠିତ ଏହି ସେକ୍ସନର ବନପାଳ ଜ୍ୟୋତିରଂଜନ ମାନସିଂହ କାର୍ଯ୍ୟରେ ଯୋଗ ଦେବାର କିଛିଦିନ ପରେ ଲମ୍ବା ଛୁଟିରେ ଯାଇଛନ୍ତି। ମୁଖ୍ୟତଃ ଏହି ସେକ୍ସନଟି ଚଡ଼େୟାପଲ୍ଲୀ ସଂରକ୍ଷିତ ଜଙ୍ଗଲ ୧୦ଟି କମ୍ପାର୍ଟମେଣ୍ଟ ଓ ନୂଆଗାଁ ସଂରକ୍ଷିତ ଜଙ୍ଗଲର ୨ଟି କମ୍ପାର୍ଟମେଣ୍ଟ ସମେତ ବାଲିବେରେଣା, ଚଡ଼େୟାପଲ୍ଲୀ ଏକ୍ସଟେନସନ୍ ଓ ଧୁନ୍ଦୁଗାଡ଼ିଆ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ଏବଂ ଶିଖରପଙ୍ଗା, କୁରାଢ଼ିନିଶା ଓ ନୂଆଗାଁ ଡିପିଏଫ୍କୁ ନେଇ ଗଠିତା ଏହି ସେକ୍ସନ ଅଧୀନରେ ଚଡ଼େୟାପଲ୍ଲୀ, ନୂଆଗାଁ, କାଳମ୍ବା ଓ ବଡ଼ ଶିଖରପଙ୍ଗା ଭଳି ୪ଟି ବିଟ୍ ରହିଥିବା ବେଳେ ମାତ୍ର ଜଣେ ବନରକ୍ଷୀ ରହିଛନ୍ତି । କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ଘୁମୁସର ବନଖଣ୍ଡକୁ ଏହି ସେକ୍ସନଟି ସଂଯୋଗ କରୁଥିବା ବେଳେ ସର୍ବଦା ଏହି ସେକ୍ସନ ଉପରେ ମାଫିଆ ଓ ଶିକାରୀଙ୍କ ଲୋଲୁପ ଦୃଷ୍ଟି ରହି ଆସୁଛି । ଏଭଳି ସ୍ଥିତିରେ ପ୍ରାୟ ୧ ମାସ ହେଲା ସେକ୍ସନରେ କୈାଣସି ବନପାଳ ନଥିବା ବେଳେ ଆବଶ୍ୟକ ସଂଖ୍ୟକ ବନରକ୍ଷୀ ନଥିବା ହେତୁ ବନ୍ୟଜନ୍ତୁ ଓ ଜଙ୍ଗଲର ସୁରକ୍ଷା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବଡ଼କଥା ହେଉଛି ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ପ୍ରାୟ ୧୫୨୪ ହେକ୍ଟର ସ୍ଥାନକୁ କଞ୍ଜରଭେସନ ରିଜର୍ଭ ଘୋଷଣା କରାଯାଇଥିବା ବେଳେ ଚଡ଼େୟାପଲ୍ଲୀର ଅଧିକାଂଶ ଅଞ୍ଚଳ ଏଥିରେ ଅନ୍ତର୍ଭୁକ୍ତ ରହିଛି | ସେହିଭଳି ଏହି ସେକ୍ସନରେ ଭଲ ଜଙ୍ଗଲ ରହିଛି । ଶାଳ, ପିଆଶାଳ, ଶିଶୁ, ଗମ୍ଭାରୀ ଭଳି ମୂଲ୍ୟବାନ ଗଛ ରହିଛି | ପ୍ରତିବର୍ଷ ଏହି ଜଙ୍ଗଲରୁ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ କାଠ ସଂଗ୍ରହ କରାଯାଇଥାଏ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଘଞ୍ଚ ଜଙ୍ଗଲ ତଥା ଜୈବବିବିଧତା କାରଣରୁ ଏହି ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ସଂଖ୍ୟା ଅଧିକ ରହିଛି। ବନ୍ୟପ୍ରାଣୀମାନେ କନ୍ଧମାଳ ଓ ଗଞ୍ଜାମର ଘୁମୁସର ବନଖଣ୍ଡ ମଧ୍ୟରେ ଚଳପ୍ରଚଳ କରିଥାନ୍ତି। ଏସବୁ କାରଣକୁ ନେଇ ଏହି ସେକ୍ସନ ଉପରେ ସର୍ବଦା ମାଫିଆ ଓ ଶିକାରୀଙ୍କ ନଜର ରହି ଆସିଛି ବିଗତ ଦିନରେ ବହୁ କାଠ ମାଫିଆ ଏହି ଜଙ୍ଗଲରୁ ଗିରଫ ହୋଇଥିବା ବେଳେ ବାଘ, ହାତୀ ଓ ବଜ୍ରକାପ୍ତା ଭଳି ପ୍ରାଣୀଙ୍କୁ ଶିକାର କରିଥିବା ଶିକାରୀଙ୍କୁ କାବୁ କରାଯାଇଛି। ଏନେଇ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଶ୍ରୀନିବାସ ଦାଶଙ୍କ କହିବା ଅନୁଯାୟୀ ବନପାଳଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ହେତୁ ସେ ଛୁଟିରେ ଅଛନ୍ତି। ପୋଖରୀଗୋଛା ସେକ୍ସନ ବନପାଳଙ୍କୁ ଏହାର ଅତିରିକ୍ତ ଦାୟିତ୍ବ ଦିଆଯାଇଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା କହିଛନ୍ତି ।
إرسال تعليق