BREAKING
Loading...
:

ସ୍ବଭାବ କବିଙ୍କ କବିତାରେ ଭାରତୀୟ ଆଧ୍ୟାତ୍ମିକ ଦର୍ଶନ ହିଁ ପ୍ରକାଶିତ

 ସ୍ବଭାବ କବିଙ୍କ କବିତାରେ ଭାରତୀୟ ଆଧ୍ୟାତ୍ମିକ ଦର୍ଶନ ହିଁ ପ୍ରକାଶିତ

 


ସମ୍ବଲପୁର:

 


ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ବିଭୂଚେତନାମୂଳକ କବିତାରେ ଭାରତୀୟ ଆଧ୍ୟାତ୍ମିକ ଦର୍ଶନ ହିଁ ପ୍ରକାଶିତ ହୋଇଛି। କବିଙ୍କ ବ୍ୟକ୍ତି ଜୀବନ ଓ କବି ଜୀବନ ମଧ୍ୟରେ କିଛି ପାର୍ଥକ୍ୟ ନ ଥିଲା। ତାଙ୍କର ଜୀବନ ଓ ସାହିତ୍ୟ ଅଭିନ୍ନ । ଏହି ଏକତ୍ଵ କାରଣରୁ ସେ ସମୟର ବହୁ ଗୁଣୀ ଜ୍ଞାନୀମାନେ କବିଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରୁଥିଲେ। ଗଙ୍ଗାଧର ବରପାଲିକୁ ତୀର୍ଥରେ ପରିଣତ କରିଛନ୍ତି ବୋଲି  କବିଙ୍କ ଜନ୍ମ ଗୃହ କବିଭବନ ଠାରେ ଗଙ୍ଗାଧର ସାହିତ୍ୟ ପରିଷଦ ପକ୍ଷରୁ ଆୟୋଜିତ ସାରସ୍ଵତ ସମାରୋହରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେପୁରରେ ସ୍ବଭାବ କବି ଗଙ୍ଗାଧରଙ୍କ ରହଣି ଓ କବିଙ୍କ ଅନନ୍ୟ ବ୍ୟକ୍ତିତ୍ଵ ସମ୍ପର୍କରେ  ଆଲୋଚନା କରିଥିଲେ । ଗଙ୍ଗାଧର ମେହେର ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ଡକ୍ଟର ଶିରୀଶ ଚନ୍ଦ୍ର ଜେନା ଓ ଡକ୍ଟର ରମାକାନ୍ତ ନାୟକ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଗଙ୍ଗାଧର ଓ  ଫକୀର ମୋହନ ଏବଂ ବରପାଲି ଓ ବାଲେଶ୍ଵରର ସାରସ୍ଵତ ସମ୍ପର୍କ ଗଭୀର ଭାବପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲେ । ଏ ସଭାରେ ମେହେର ସାହିତ୍ୟର ବିଶିଷ୍ଟ ଗବେଷକ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡକ୍ଟର କୁମୁଦ ରଞ୍ଜନ ପାଣିଗ୍ରାହୀ ଓ ଡକ୍ଟର ଅଶୋକ କୁମାର ଦାଶ ଏବଂ ସରକାରୀ ମହାବିଦ୍ୟାଳୟ ସୁନ୍ଦରଗଡ଼ର ପ୍ରାକ୍ତନ ପ୍ରାଧ୍ୟାପକ ଡକ୍ଟର କୁଳମଣି ବେହେରାଙ୍କୁ ଗଙ୍ଗାଧର ସାରସ୍ଵତ ସମ୍ମାନ ଅର୍ପଣ କରାଯାଇଥିଲା। ଶ୍ରୀଯୁକ୍ତ ମନୋରଞ୍ଜନ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ପ୍ରାଧ୍ୟାପକ ଡକ୍ଟର ଶୁକମୁନି ମେହେର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଡକ୍ଟର ଶେଷ ମେହେର। ଏହି କାର୍ଯ୍ୟକ୍ରମରେ ଡକ୍ଟର ଶେଷ ମେହେରଙ୍କ ଦ୍ବାରା ସଂପାଦିତ 'ଗଙ୍ଗାଧର ସ୍ମରଣିକା ', ପ୍ରଫେସର ଡକ୍ଟର କୁମୁଦ ରଞ୍ଜନ ପାଣିଗ୍ରାହୀଙ୍କ ରଚିତ 'ଅମୃତ ବିନ୍ଦୁ ଗଙ୍ଗାଧର ' ଓ ଡକ୍ଟର ଶୁକମୁନି ମେହେରଙ୍କ ରଚିତ 'ସ୍ବଭାବ କବି ଗଙ୍ଗାଧର ମେହେର ' ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ  କବିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ବଳନ କରାଯାଇଥିଲା। ବରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଦିତ୍ୟ ଗୋୟଲ ବରପାଲି ବାସୀଙ୍କ ସହ କବିଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କବିଭବନ ପରିଦର୍ଶନ କରିଥିଲେ ଏବଂ ଗଙ୍ଗାଧର ଅଡିଟୋରିୟମର ନିର୍ମାଣ ସଂପର୍କରେ ପଚାରି ବୁଝିଥିଲେ। କବି ଭବନରେ ମଧ୍ୟ କବିଙ୍କ ପ୍ରତିଛବି ଓ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।  ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ କବିଙ୍କ ପ୍ରତି ଆନ୍ତରିକ ଭକ୍ତି ଅର୍ପଣ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS