୧୫ ଦିନରେ ୫୪୭୪ କିଲୋମିଟର ଭ୍ରମଣ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସୀମାଞ୍ଚଳମ୍
ସମ୍ବଲପୁର (ମଣିଭଦ୍ରା ଖବର)
ଶାରୀରିକ ସ୍ତରରେ ଅକ୍ଷମ ଥିଲେ ମଧ୍ୟ ଅଦମ୍ୟ ସାହସ ଓ ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ବଳବାନ କରିଥାଏ । ଏହା ପ୍ରମାଣିତ କରି ଦେଖାଇଛନ୍ତି ବରପାଲି କେନାଲ ରୋଡ଼ ସ୍ଥିତ ସୀମାଞ୍ଚଳମ ଭୋଇ । କେବଳ ମାତ୍ର ୧୫ ଦିନରେ ୫ଟି ରାଜ୍ୟର ୫୪୭୪ କିଲୋମିଟର ସଡ଼କ ପଥରେ ପରିଭ୍ରମଣ କରି ଜଣେ ଶାରୀରିକ ଅକ୍ଷମ ଥିବା ଛାତ୍ର ଇଣ୍ଡିଆ ବୁକ ଅଫ ରେକର୍ଡସ୍ରେ ସ୍ଥାନ ପାଇ ବରପାଲି ତଥା ସମଗ୍ର ବରଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ବାପା ଧର୍ମେନ୍ଦ୍ର ଭୋଇ ଓ ମାତା ଡାକ୍ତର କଲ୍ୟାଣୀ କାଲସାଏଙ୍କ ପୁଅ ସୀମାଞ୍ଚଳମ୍ ପିଲାଟି ଦିନରୁ ଶାରୀରିକ ଭାବେ ଅକ୍ଷମ । ସେ ଚାଲି ପାରନ୍ତି ନାହିଁ । କିନ୍ତୁ କେବେହେଲେ ନିଜକୁ ସେଭଳି ଅନୁଭବ କରିନାହାଁନ୍ତି । ନିଜେ କିଛି କରି ଦେଖାଇବାର ଦୃଢ଼ ପ୍ରୟାସ ମନ ମଧ୍ୟରେ ରଖିଥିଲେ। ନୂଆଁ ନୂଆଁ ଜାଗା ବୁଲିବା, ଲୋକଙ୍କ ସହ ମିଶିବା, ଆମୋଦ ପ୍ରଣୋଦିତ ହେବା ତାଙ୍କର ଭାରି ପସନ୍ଦ । ତାଙ୍କର୍ ସେହି ପ୍ରୟାସ ଯୋଗୁଁ ସେ ଭାରତର ଏକ ଗୌରବମୟ ରେକର୍ଡ ସୃଷ୍ଟି କରିପାରିଛନ୍ତି । ଏଥିପାଇଁ ସେ କୁହନ୍ତି ଯେ, ଭଗବାନ ଓ ପରିବାରରେ ନିଜ ମାତା ପିତାଙ୍କ ଉପରେ ଅତୁଟ ବିଶ୍ୱାସ ରହିଛି । ତେଣୁ ସେ ସବୁ ଲକ୍ଷ୍ୟ ହାସଲ କରିପାରୁଛନ୍ତି ବୋଲି କହିଛନ୍ତି। ସବୁ ଶ୍ରେୟ ତାଙ୍କ ପିତାମାତାଙ୍କ ବୋଲି ଅଶ୍ରୁଳ ନୟନରେ ପ୍ରକାଶ କରିଛନ୍ତି। ରେକର୍ଡ ସମ୍ପର୍କରେ ସେ ଆହୁରି କହିଛନ୍ତି ଯେ, ସେ ଗତ ନଭେମ୍ବର ୨ରୁ ନଭେମ୍ବର ୧୭ ତାରିଖ ଯାଏଁ ଦୀର୍ଘ ୧୫ ଦିନ ଧରି ଓଡିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ ଭଳି ରାଜ୍ୟର ପ୍ରମୁଖ ତୀର୍ଥସ୍ଥଳୀ ଓ ଜ୍ୟୋତିର୍ଲିଙ୍ଗ ପରିଭ୍ରମଣ କରିଥିଲେ । ଏଥିପାଇଁ ସେ ପୂର୍ବରୁ ରୁଟ ପ୍ଲାନ କରିଥିଲେ । ଏହି ଯାତ୍ରା ପାଇଁ ପରିବାରରୁ ମାଆବାପା ସହଯୋଗ କରିଥିଲେ ବୋଲି ସେ କହିଛନ୍ତି । ତେବେ ଏହି ପୁରସ୍କାର ତାଙ୍କୁ ପ୍ରେରଣା ଦେବା ସହ ଆଗକୁ ବଢ଼ିବାରେ ସହଯୋଗ କରିବ ଓ ଆଗକୁ ନିଶ୍ଚିତ ବଡ଼ ରେକର୍ଡ ଦିଗରେ କାର୍ଯ୍ୟ କରିବି ବୋଲି ମତବ୍ୟକ୍ତ କରିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق