ଘୁଡୁକାଟିକିରା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବୁର୍ଲା ସଂକୁଳ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ
ସମ୍ବଲପୁର/ଗୋଡଭଗା:
ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ୍ କଳାମାଟି ପଞ୍ଚାୟତ ଅନ୍ତର୍ଗତ ଘୁଡୁକାଟିକିରା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବୁର୍ଲା ସଂକୁଳ ସ୍ତରୀୟ ବିଜ୍ଞାନମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ସଂକୁଳ ସ୍ତରୀୟ ବିଜ୍ଞାନମେଳାରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସଂଯୁକ୍ତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଆୟୋଜିତ ମେଳାର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସଂକୁଳ ସଂଯୋଜକ ଦେବରାଜ ତ୍ରିପାଠୀ ବିଜ୍ଞାନମେଳାର ଉଦ୍ଦେଶ୍ୟ କଥନ ପୂର୍ବକ ଅଂଶଗ୍ରହଣକାରୀ ୭ଟି ବିଦ୍ୟାଳୟର ପ୍ରାୟ ୩୦୦ ଜଣ ଛାତ୍ରଛାତ୍ରୀଙ୍କୁ ନାନା ଉଦାହରଣ ଦେଇ ଭବିଷ୍ୟତରେ ଭାରତୀୟ ଭାଷା, ପରମ୍ପରା, ଇତିହାସ, ସଂସ୍କୃତିର ରକ୍ଷାକବଚର ଜଣେ ଜଣେ ନିଃସ୍ୱାର୍ଥପର ସେବକ ହେବାକୁ ପରାମର୍ଶ ଦେଇଥିଲେ। ସ୍ଥାନୀୟ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ପ୍ରଦୀପ କର୍ଣ୍ଣଙ୍କ ସଭାପତିତ୍ବରେ ଉଦ୍ଦିଷ୍ଟ ସଭାରେ ସଂକୁଳ ପ୍ରମୁଖ ଆଜାଦ ଶେଖର ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ପାଠପଢାରେ ମନୋନିବେଶ କରିବା ସହିତ ସମାଜର ଉପଯୁକ୍ତ ସମାଜସେବୀ ଭାବରେ ପରିଗଣିତ ହେବାକୁ ଆହ୍ୱାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ପ୍ରଧାନ ନିଜ ପିଲାଛୁଆଙ୍କ ଉଜ୍ବଳ ଭବିଷ୍ୟତ ସକାଶେ ଅଭିଭାବକ ଓ ବିଦ୍ୟାଳୟର ଗୁରୁଜୀ/ଗୁରୁ ମାଆମାନେ ଗୁରୁତ୍ୱ ଦେବାକୁ ନିଜ ସଂକ୍ଷିପ୍ତ ବକ୍ତବ୍ୟରେ କହିଥିଲେ। ଏହି ସଂକୁଳ ସ୍ତରୀୟ ବିଜ୍ଞାନମେଳାରେ ବିଭିନ୍ନ ବିଦ୍ୟାଳୟରୁ ଯୋଗଦେଇଥିବା ୨୧ ଜଣ ଗୁରୁଜୀ/ଗୁରୁ ମାଆ ତଥା ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ/ସଦସ୍ୟା ଏବଂ ଅଭିଭାବକଙ୍କ ଉପସ୍ଥିତିରେ ଅତିଥି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର ବିଶ୍ୱାଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଗୁରୁଜୀ ଅବିନାଶ ଶତପଥୀ, ଅରୁଣ ଦନ୍ତା, ଦୀପା ପଶାୟତ ଓ ରୁକ୍ମିଣୀ କମ୍ପଙ୍କ ସୁପରିଚାଳନାର ପରିଚାଳିତ ମେଳାରେ ବୁର୍ଲା, ହୀରାକୁଦ, ଘୁଡୁକାଟିକିରା, ଗୋବିନ୍ଦପାଲି, ଲପଙ୍ଗା, କତରବଗା ଓ ମାଝିପାଲିର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି କ୍ରମରେ ଛାତ୍ରଛାତ୍ରୀମାନେ ବିଜ୍ଞାନ, ଗଣିତ, ସଂସ୍କୃତି ଜ୍ଞାନ ଓ ପତ୍ର ବାଚନ ଆଦି ବିଭିନ୍ନ ବିଷୟବସ୍ତୁ ଉପରେ ପରୀକ୍ଷା ଦେଇଥିଲେ। ଏସବୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଆଗାମୀ ସମୟରେ ହେବାକୁ ଥିବା ବିଭାଗ ସ୍ତରୀୟ ବିଜ୍ଞାନମେଳାରେ ଯୋଗଦେବେ ବୋଲି ଆୟୋଜକ କମିଟି ସୂତ୍ରରୁ ପ୍ରକାଶ। ଭଵ୍ୟ ଢଙ୍ଗରେ ଆୟୋଜିତ ଏହି ମେଳାରେ ବିଚାରକ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ ପୂର୍ଣ୍ଣଚନ୍ଦ୍ର ପଣ୍ଡା, କୈଳାସ ମହାରଣା, ସୁଶୀଲ ପଧାନ, ପ୍ରଫୁଲ୍ଲ ଦଳପତି, ରାଜେଶ୍ୱର ପ୍ରଧାନ, ଅନାମିକା ପାଣିଗ୍ରାହୀ, ନୀତା ବାଗ, ବେଣୁଧର ବେହେରା, ଡୋଲାମଣି ସାହୁ, ଆଲୋକ ସାହୁ ଓ କୃଷ୍ଣଚନ୍ଦ୍ର କର୍ଣ୍ଣ। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଗୁରୁଜୀ/ଗୁରୁମା/ସେବକ/ସେବିକା ତଥା ପରିଚାଳନା କମିଟିର ସମସ୍ତ ସଭ୍ୟ/ସଭ୍ୟା ସକ୍ରୀୟ ଭୂମିକା ତୁଲାଇଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment