ଚାଷୀ ଙ୍କୁ ଅବହେଳା କରୁଛି ସରକାର
ଜଳସେଚନ ପ୍ରକଳ୍ପ ସୁବିଧା ନାହିଁ କହିଲା କଂଗ୍ରେସ ।
ଛତ୍ରପୁର : ମଣିଭଦ୍ରା ଖବର
ଛତ୍ରପୁର : ରାଜ୍ୟରେ ଶାସନ ଭାର ବହନ କରୁଥିବା ରାଜନୈତିକ ଦଳ ଓ ସରକାର ରାଜ୍ୟର ଚାଷୀଙ୍କ ପାଇଁ ସମ୍ବେଦନଶୀଳ ନୁହଁନ୍ତି ବୋଲି କଂଗ୍ରେସ ନେତା ତଥା ଦଳର ଗଞ୍ଜାମ ଜିଲ୍ଲା ପରିଚାଳନା କମିଟି ଉପସଭାପତି ରଶ୍ମୀରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଗଞ୍ଜାମ ଜିଲ୍ଲାର ୭୮% ଜନସାଧାରଣ ଆର୍ଥିକ ଦୃଷ୍ଟିରୁ ସିଧାସଳଖ କୃଷିକ୍ଷେତ୍ର ଉପରେ ନିର୍ଭରଶୀଳ ଥିବା ବେଳେ ଜଳସେଚନ ସୁବିଧା ନ ଥିବା ହେତୁ କୃଷିକ୍ଷେତ୍ରରୁ ଚାଷୀ ଆଶାନୁରୂପକ ସଫଳତା ପାଇ ନ ପାରି ଚାଷରୁ ମୁହଁ ଫେରାଇ ନେଉଛନ୍ତି। ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ କୃଷକ ବୀମା ଯୋଜନା ସ୍ଥାନରେ ରାଜନୈତିକ ଦଳ ବେସରକାରୀ ବୀମା କମ୍ପାନୀମାନଙ୍କ ସହ ମିଳିତ ହୋଇ କୃଷକଙ୍କୁ ଠକିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଗଞ୍ଜାମର ଏକ ଲକ୍ଷ ପାଞ୍ଚ ହଜାର ଚାଷୀଙ୍କ ଠାରୁ ପନ୍ଦର କୋଟି ଟଙ୍କାର ବୀମା ପ୍ରିମିୟମ ନେଇଥିବା ବେଳେ କ୍ଷତିଗ୍ରସ୍ତ ଚାଷୀଙ୍କୁ ପାଞ୍ଚ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ପଛାଉଛନ୍ତି ବୋଲି କୃଷକ ସେଲର ରାଷ୍ଟ୍ରୀୟ ସଂଯୋଜକ ଅମୀୟ ରଂଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଖରିଫ ଫସଲ ବୀମା ପାଇଁ ଚଳିତ ଜୁଲାଇ ୩୧ ପର୍ଯ୍ୟନ୍ତ ଥିବା ସମୟସୀମାକୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବଢାଇବାକୁ ଦାବୀ କରାଯିବା ସହ ପଞ୍ଚାୟତ ବଦଳରେ ରାଜ୍ୟକୁ ଏକ ଏକକ ଭାବେ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି। ଗଞ୍ଜାମ ଜିଲ୍ଲାରୁ ଦାଦନ ଶ୍ରମିକ ସମସ୍ୟା ହଟାଇବା ପାଇଁ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଏକମାତ୍ର ପଥ ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ସାଧାରଣ ନିର୍ବାଚନ ସମୟରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିକା ଚିନି ଶିଳ୍ପ ର ପୁନରୁଦ୍ଧାର ପାଇଁ ଯେଉଁ ପ୍ରତିଶୃତି ପ୍ରଦାନ କରିଥିଲେ ତାହାକୁ ପୂରଣ କରିବାକୁ ଆହ୍ବାନ ଦେଇଛନ୍ତି। ଚାଷୀଙ୍କୁ ବିଳମ୍ବିତ ସହାୟତାକୁ ତୀବ୍ର ସମାଲୋଚନା କରିବା ସହ ସ୍ଵତନ୍ତ୍ର କୃଷିନୀତି ପ୍ରଣୟନ ପାଇଁ କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି। ଚାଷୀ ଙ୍କୁ ଉପଲବ୍ଧ କରିବାପାଇଁ ସରକାର କାହିଁକି ଚାଷୀ ଙ୍କ ପ୍ରତି ଅବହେଳା କରୁଛନ୍ତି କଂଗ୍ରେସ ଅଭିଯୋଗ କରିଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଚିକିଟିର କୃଷକ ନେତା ସୁବାଷ ରାଉତ, ଦିଗପହଣ୍ଡିର ବୃନ୍ଦାବନ ଖଟେଇ, ହିଞ୍ଜିଳିର ପଦ୍ମଚରଣସାହୁ, ଗୋପାଳପୁରର ଶ୍ୟାମ ସୁନ୍ଦର ସାହୁ, ଛତ୍ରପୁର ଉଦୟ ପାତ୍ର, ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ଅଶୋକ ପଟ୍ଟନାୟକ ଙ୍କ ସମେତ ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق