କୁମ୍ଭାରପଡା ସ୍ୱାସ୍ଥ୍ୟକେନ୍ଦ୍ରରେ ମିଳୁନି ଔଷଧ, ରୋଗୀସେବା ବ୍ୟାହତ
ଖଣ୍ଡପଡା( ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡା ବ୍ଲକ ଅଧିନ କୁମ୍ଭାରପଡା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ଓ ଆଖପାଖ ଅଞ୍ଚଳର ଜନସାଧାରଣ ନିର୍ଭର କରିଥାନ୍ତି।ମାତ୍ର ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ଓୌଷଧ ଉପଲବ୍ଧ ହେଉନଥିବାରୁ ଅଞ୍ଚଳବାସୀଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି।ସମସ୍ତ ବର୍ଗର ଜନସାଧାରଣଙ୍କ ସୁବିଧା ନିମନ୍ତେ
କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନା ଲାଗୁ କରିଛନ୍ତି।ସେହିପରି ହାତ ପାହାନ୍ତାରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ପ୍ରତ୍ୟେକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକର ଭିତ୍ତିଭୂମିର ବିକାଶ କରାଯାଇଛି।ସେହିପରି ରୋଗୀମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଜରିଆରେ ମାଗଣାରେ ଔଷଧ ବଣ୍ଟନର ବ୍ଯବସ୍ଥା କରାଯାଇଛି। କୁମ୍ଭାରପଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଉଚ୍ଚ ରକ୍ତଚାପ ଓ ମଧୁମେହରେ ଆକ୍ରାନ୍ତ ରୋଗୀମାନଙ୍କ ନିମନ୍ତେ ଆନୁସଙ୍ଗିକ ଔଷଧ ଉପଲବ୍ଧ ହେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ କୋସ୍କା, ବଳଭଦ୍ରପ୍ରସାଦ, କୁମ୍ଭାରପଡା ପ୍ରଭୃତି ୩ଟି ପଞ୍ଚାୟତର ଜନସାଧାରଣ ନିର୍ଭର କରୁଥିବା ଜଣାପଡିଛି। ସେହିପରି ଗତ ୧୫ ଦିନ ହେଲା କୁମ୍ଭାରପଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ଔଷଧ ମିଳୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଫଳରେ ରୋଗୀମାନେ ବାଧ୍ଯ ହୋଇ ବଜାରରୁ ଔଷଧ କିଣି ଅଯଥାରେ ଖର୍ଚ୍ଚାନ୍ତ ହେଉଥିବା ଜଣାପଡିଛି।
ଏବେ ବର୍ଷାଦିନ ହୋଇଥିବାରୁ ପ୍ରତ୍ୟେକ ଗାଁ ରେ ଶହଶହ ଜନସାଧାରଣ ଝାଡାବାନ୍ତି ,ଜ୍ଵର ପରି ବିଭିନ୍ନ ସଂକ୍ରାମକ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଅଞ୍ଚଳବାସୀଙ୍କ ହିତକୁ ଦୃଷ୍ଟିରେ ରଖି କୁମ୍ଭାରପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପର୍ଯ୍ୟାପ୍ତ ପରିମାଣର ଆନୁସଙ୍ଗିକ ଔଷଧ ଓ ବିଭିନ୍ନ ସ୍ଥାନରେ ପକାଇବା ନିମନ୍ତେ ବ୍ଲିଚିଙ୍ଗ ପାଉଡର ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ


Post a Comment