BREAKING
Loading...
:

ବଳଙ୍ଗା ନାବାଳିକା ପୋଡି ଘଟଣାରେ ଟ୍ୱିଷ୍ଟ, ବୟାନ ରେକର୍ଡ ବେଳେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ*

 *ବଳଙ୍ଗା ନାବାଳିକା ପୋଡି ଘଟଣାରେ ଟ୍ୱିଷ୍ଟ, ବୟାନ ରେକର୍ଡ ବେଳେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ*



ପୁରୀ ବଳଙ୍ଗା ନାବାଳିକା ପୋଡି ଘଟଣାରେ ସାମ୍ନାକୁ ଆସିଲା ସାଂଘାତିକ ଖୁଲାସା । ବୟାନ ରେକର୍ଡ ବେଳେ ପୋଲିସ ଆଗରେ ମୁହଁ ଖୋଲିଛନ୍ତି ନାବାଳିକା । ଦିଲ୍ଲୀ ଏମ୍‌ସରେ ରେକର୍ଡ ହୋଇଛି ବୟାନ । ପୀଡ଼ିତା ଜଣକ ଶେଷରେ ମୁହଁ ଖୋଲିଛନ୍ତି । ଏମ୍‌ସର ଜଣେ ଡାକ୍ତର, ସ୍ଥାନୀୟ ମାଜିଷ୍ଟ୍ରେଟ, ପରିବାର ସଦସ୍ୟ, କ୍ରାଇମବ୍ରାଞ୍ଚ ଅଧିକାରୀ ଓ ବଳଙ୍ଗା ଥାନାର ମହିଳା ଏସ୍‌ଆଇଙ୍କ ଉପସ୍ଥିତିରେ ସେ ଘଟଣାଦିନର ସାଂଘାତିକ ସତ ବଖାଣିଛନ୍ତି । 


ପୀଡ଼ିତାଙ୍କ ବୟାନ ପରେ ପୋଲିସର ତଦନ୍ତର ଦିଗ ସମ୍ପୂର୍ଣ୍ଣ ଓଲଟିଯାଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ମୁତାବକ, ପୀଡ଼ିତା ଜଣକ କିଛି ଦିନ ଧରି ମାନସିକ ଅବସାଦରେ ରହୁଥିଲେ । ସେ କେଉଁ କାରଣ ପାଇଁ ଚିନ୍ତାରେ ରହୁଥିଲେ, ସେନେଇ ବିଶେଷ ତଥ୍ୟ  ଦେଇନାହାନ୍ତି । ସମ୍ପର୍କୀୟଙ୍କ ଘରକୁ ଯାଉଛନ୍ତି ବୋଲି  କହି ସେ ଘଟଣାଦିନ ସକାଳୁ ଘରୁ ବାହାରିଥିଲେ । କିନ୍ତୁ  ସମ୍ପର୍କୀୟଙ୍କ ଘରକୁ ଯାଇନଥିଲେ । ବରଂ ଅଧାରାସ୍ତାରେ  ଏହି ବୀଭତ୍ସ କାଣ୍ଡ ଘଟିଥିଲା । 


ସେପଟେ ଉଦ୍ଧାର କରିଥିବା ଦୁଃଖୀଶ୍ୟାମ ସେନାପତିଙ୍କ କହିବା ଅନୁସାରେ ପୀଡ଼ିତା ଜଣକ ସମ୍ପର୍କୀୟଙ୍କ ଘରୁ ଫେରୁଥିବା ବେଳେ ୩ ଦୁର୍ବୃତ୍ତ ତାଙ୍କୁ ଘେରିଯାଇଥିଲେ । ୨ଜଣଙ୍କ  ବୟାନରେ ତାଳମେଳ ରହୁନଥିବାରୁ ପୁଲିସ ଶୁକ୍ରବାର  ପୁଣି ଦୁଃଖୀଶ୍ୟାମଙ୍କୁ ଥାନାକୁ ଡାକି ଜେରା କରିଛି । ଘଟଣାଦିନ ପୀଡି଼ତା ଘରୁ ଚାଲିକି ଯିବା ବେଳେ  ହାତରେ କିଛି ଧରିଥିବା ସ୍ଥାନୀୟ ବାସିନ୍ଦା ଦେଖିଥିଲେ । ୨ଜଣ ବାସିନ୍ଦା ପୁଲିସ ସାମ୍ନାରେ ବୟାନ ବି ଦେଇଛନ୍ତି । 


ଏହି ତଥ୍ୟ ଆଧାରରେ ଶୁକ୍ରବାର ଏମ୍‌ସରେ ପୀଡି଼ତାଙ୍କୁ  ଏକାଧିକ ପ୍ରଶ୍ନ ପଚରା ଯାଇଥିଲା । ସେ ଦେଇଥିବା  ତଥ୍ୟକୁ ତର୍ଜମା କରୁଛି ପୁଲିସ । କିଏ ସତ କହୁଛି? କିଏ ତଥ୍ୟ ଲୁଚାଉଛି? ସେନେଇ ତଦନ୍ତ ଚାଲିଛି ।  ପୀଡ଼ିତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କ  ବୟାନର ଭିଡିଓ ରେକର୍ଡିଂ କରାଯାଇଛି । ଯେହେତୁ  ପୀଡି଼ତା ହିଁ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ, ତେଣୁ ତାଙ୍କ ବୟାନ ଆଧାରରେ ହିଁ ତଦନ୍ତ ଆଗେଇଛି । ତଦନ୍ତ ଚୂଡ଼ାନ୍ତ  ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ଅନ୍ୟ ସାକ୍ଷୀଙ୍କ  ବୟାନକୁ ନେଇ ତର୍ଜମା ଚାଲିଛି । 


ଏପଟେ ତଦନ୍ତକାରୀ ଟିମ୍‌ ଅପରାହ୍ଣରେ ପୀଡ଼ିତାଙ୍କ  ଘରକୁ ଯାଇ ପରିବାର ଲୋକଙ୍କୁ ପୁଣି ପଚରାଉଚରା  କରିଛି । ଅପରାଧସ୍ଥଳରୁ ମିଳିଥିବା ରୁପା ମୁଦି ନେଇ  ବଳଙ୍ଗାର କ୍ରିଷ୍ଣା ଜୁଏଲାରୀ ଦୋକାନୀକୁ ପୁଲିସ ଜେରା  କରିଛି । ପୀଡ଼ିତାର ସାଙ୍ଗ ମୁଦି କିଣିଥିଲେ ବୋଲି  ଦୋକାନୀ କୁନୁ ସାହୁ ପୁଲିସକୁ ତଥ୍ୟ ଦେଇଥିଲେ ।  ସାଙ୍ଗଜଣକ ମୁଦିଟିକୁ କିଣିବା ପରେ ପୀଡି଼ତାକୁ  ଦେଇଥିବା ପୁଲିସ ଜାଣିବାକୁ ପାଇବା ପରେ ତଦନ୍ତକାରୀ  ଟିମ ପୀଡ଼ିତାଙ୍କ ସାଙ୍ଗ ଘରକୁ ଯାଇ ପଚରାଉଚରା କରିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS