କିଏ ହେବ ବିଜେଡି ଗଣିଆ ବ୍ଳକ ସଭାପତି ? ପ୍ରତୀକ୍ଷାର ଅନ୍ତ ଘଟିବ କେବେ .....
ଗଣିଆ (ମଣିଭଦ୍ରା ଖବର) ଦୀର୍ଘ ୨୪ ବର୍ଷ ଧରି ରାଜ୍ୟରେ ଶାସନ ଭାର ଗ୍ରହଣ କରିଥିବା ବିଜୁ ଜନତା ଦଳ ଚଳିତ ନିର୍ବାଚନରେ ପରାଜୟ ଲାଭ କରି ମୁଖ୍ୟ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଛି । ତେବେ ବିଜୁ ଜନତା ଦଳର ସମସ୍ତ ସାଂଗଠନିକ ପଦ ପଦବୀକୁ ଭାଙ୍ଗି ଦିଆଯାଇଥିବା ବେଳେ ନୂତନ ଭାବେ ସଂଗଠନ ଦାୟିତ୍ବ ବଣ୍ଟନ କରାଯିବ । ଏଥିପାଇଁ ଦଳ ତରଫରୁ ପ୍ରକ୍ରିୟା ଜାରି ରହିଛି । ତେବେ ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକରେ ବିଜୁ ଜନତା ଦଳ ସଭାପତି ପଦବୀ ପାଇଁ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇଵାକୁ ଲାଗିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ସଂଗଠନକୁ ମଜବୁତ କରିବାକୁ ହେଲେ ଜଣେ ଦକ୍ଷ ସଂଗଠକର ଆବଶ୍ୟକତା ରହିଛି । ଗଣିଆରେ ବିଜୁ ଜନତା ଦଳର ସଂଗଠନ ଦିନକୁ ଦିନ ଦୁର୍ବଳ ହେଉଥିବାରୁ ଜଣେ ଏଭଳି ବ୍ୟକ୍ତିକୁ ଦାୟିତ୍ବ ଦେବା ଦରକାର ଯାହା ପାଖରେ ଦଳକୁ ଆଗକୁ ନେବାପାଇଁ ସମସ୍ତ ପ୍ରକାର ଦକ୍ଷତା ଥିବ । ଶାସକ ଦଳ ସହିତ କଡ଼ା ଟକ୍କର ଦେବାକୁ ହେଲେ ନିଜ ଭିତରେ ଥିବା ମନୋମାଳିନ୍ୟକୁ ଭୂଲି ସମସ୍ତେ ଏକତ୍ରିତ ହେବା ନିହାତି ଆବଶ୍ୟକ । ଗଣିଆ ବ୍ଳକ ସଭାପତି ପଦବୀ ପାଇଁ ଅନେକ ଆଶାୟୀ ଥିବା ବିଶେଷ ସୂତ୍ରରୁ ଜଣାପଡିଛି । ସେମାନେ ଭିତିରିଆ ଲବି କରିବା ମଧ୍ୟ ଆରମ୍ଭ କରି ସାରିଲେଣି । ତେବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରିଥିବା ବେଳେ ଗଣିଆରେ ସଂଗଠନକୁ କିଏ ଆଗକୁ ନେଇପାରିବେ ସେ ଭଲ ଭାବେ ଜାଣିଛନ୍ତି । ତେବେ ବିଜୁ ଜନତା ଦଳର କର୍ମୀମାନଙ୍କ ସହିତ ଯିଏ ହାତକୁ ହାତ ମିଶାଇ ଆଗକୁ ଚାଲିବ ସେଭଳି ବ୍ୟକ୍ତି ସଭାପତି ହେବା ଆବଶ୍ୟକ ବୋଲି ବରିଷ୍ଠ ବିଜେଡ଼ି କର୍ମୀମାନେ ପ୍ରକାଶ କରିଛନ୍ତି । ଯଦି ତରବରିଆ ଭାବେ ଯାହାକୁ ନାହିଁ ତାକୁ ଦାୟିତ୍ବ ଦିଆଯାଏ ନିଶ୍ଚୟ ଦଳକୁ ଏହାର ପରିଣାମ ଭୋଗିବାକୁ ପଡିବ ଏଥିରେ ସନ୍ଦେହ ନାହିଁ । ତେବେ ଦଳ କାହା ଉପରେ ଆସ୍ଥା ପ୍ରକଟ କରୁଛି ଦେଖିବାକୁ ବାକି ରହିଲା ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର


إرسال تعليق