ଖେଳ ମଝିରେ କାହିଁକି ବନ୍ଦ ହେଲା ଫ୍ଲଡ ଲାଇଟ୍? ୧୦ ଦିନରେ ଉତ୍ତର ରଖିବା ପାଇଁ OCAକୁ ନୋଟିସ |
କଟକ (ମାନସ କୁମାର ସାହୁ) ବାରବାଟୀ ଷ୍ଟାଡିୟମରେ ବ୍ୟାପକ ଅବ୍ୟବସ୍ଥା ବିଶ୍ୱ କ୍ରିକେଟ ମାନଚିତ୍ରରେ ଭାରତ ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି। ଅନ୍ତର୍ଜାତୀୟ ମ୍ୟାଚ୍ରେ ଫ୍ଲଡ ଲାଇଟ୍ ଅଚଳ ହୋଇ ଅଧଘଣ୍ଟା ପର୍ଯ୍ୟନ୍ତ ମ୍ୟାଚ୍ ସ୍ଥଗିତ ରହିବା କେବଳ ବାରବାଟୀ ଷ୍ଟାଡିୟମ୍ ନୁହେଁ, ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି। ଓସିଏ କର୍ତ୍ତୃପକ୍ଷଙ୍କ ବେପରୁଆ କାର୍ଯ୍ୟ, ପ୍ରଶାସନିକ ଅପାରଗତା ଯୋଗୁଁ ଭାରତ-ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ୩୦ମିନିଟ ଧରି ଗୋଟିଏ ଫ୍ଲଡ ଲାଇଟ ଜଳିଲା ନାହିଁ। ଫଳରେ ତାରକା ଖେଳାଳି ରୋହିତ ଶର୍ମା ଓ ଶୁଭମନ୍ ଗିଲି କ୍ଷୁବ୍ଧ ହୋଇ ପଡ଼ିଆ ଛାଡ଼ି ଚାଲିଯାଇଥିଲେ। ପ୍ରାୟ ୩୭ ମିନିଟ୍ ପରେ ଆଲୋକ ଆସିବାରୁ ପୁଣି ଖେଳ ଆରମ୍ଭ ହୋଇଥିଲା। ଦେଶବ୍ୟାପୀ ଏହି ଘଟଣାକୁ ନିନ୍ଦା କରିବା ସହ ଓସିଏ କର୍ତ୍ତୃପକ୍ଷଙ୍କୁ ତୀବ୍ର ସମାଲୋଚନା କରାଯାଇଛି।
ଆଉ ଏହି ଘଟଣା ପରେ ଓଡ଼ିଶା ଅର୍ଥାତ ବାରବାଟୀକୁ ଆଉ କ୍ରିକେଟ ମ୍ୟାଚ୍ ମିଳିବ କି ନାହିଁ ତାହା ନେଇ ସନ୍ଦେହ ଦେଖା ଦେଇଛି। ଏହି ଘଟଣା ଓଡ଼ିଶା ପାଇଁ ଏକ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି। ଯାହାକୁ ନେଇ ଓସିଏ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି କ୍ରୀଡ଼ା ବିଭାଗ। କାହିଁକି ମ୍ୟାଚ ମଝିରେ ବିଜୁଳି କାଟ ହେଲା, ସେ ନେଇ ୧୦ ଦିନ ଭିତରେ ଉତ୍ତର ରଖିବାକୁ ନୋଟିସ ଜାରି ହୋଇଛି।ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) କୁ ଏହି ବ୍ୟାଘାତର କାରଣ ପାଇଁ ଏକ ବିସ୍ତୃତ ବ୍ୟାଖ୍ୟା ଦାଖଲ କରିବା ଏବଂ ଏପରି ତ୍ରୁଟି ପାଇଁ ଦାୟୀ ବ୍ୟକ୍ତି/ଏଜେନ୍ସିଗୁଡ଼ିକୁ ଚିହ୍ନଟ କରିବାକୁ କୁହାଯାଇଛି। ଏଥି ସହିତ ଭବିଷ୍ୟତରେ ସମାନ ଘଟଣା ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ରୂପରେଖା ପ୍ରସ୍ତୁତ କରିବାକୁ କ୍ରୀଡ଼ା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ସେପଟେ ବାରବାଟୀ ଅବ୍ୟବସ୍ଥାକୁ ନେଇ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ମ୍ୟାଚ ଦାୟିତ୍ୱରେ ଅନେକ ସବ କମିଟି ଥିଲେ। ବିଦ୍ୟୁତ ଦାୟିତ୍ୱ ବି ଗୋଟେ କମିଟି ନେଇଥିଲା। କିଏ ସେହି ସଂସ୍ଥା ଓ କେଉଁ କମିଟି ଦାୟିତ୍ୱରେ ଥିଲା, OCA ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୦ ଦିନ ଭିତରେ ସେମାନେ ଜବାବ ରଖିବେ। DG ଡ୍ରାଇଭର କି ବ୍ୟାକଅପ ଡ୍ରାଇଭର କାହିଁକି ନଥିଲା? ବିଦ୍ୟୁତ କାଟ ବଡ଼ କଥା ନୁହେଁ, ବିଳମ୍ବ ହେବା ବଡ଼ କଥା। ୨୦ ସେକେଣ୍ଡରେ ବିଦ୍ୟୁତ ପୁନଃ ସୁଯୋଗ ହୋଇ ପାରିଥାନ୍ତା। ନ ହେବାରୁ ଏହା ସମସ୍ତଙ୍କୁ ଆଘାତ ଦେଇଛି। ମୁଁ DCPଙ୍କୁ ସେହି ବ୍ୟକ୍ତିଙ୍କୁ ଗିରଫ କରିବାକୁ କହିଥିଲି। କେଉଁ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ଦାୟିତ୍ୱ ନେଇଥିଲେ। ଖୋଲତାଡ଼ ହେବା ଦରକାର। ମୁଁ ଆଶ୍ୱାସନା ଦେଉଛି ଓଡ଼ିଶାକୁ ଆହୁରି ମ୍ୟାଚ ଆସିବ ବୋଲି କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।
ମଣିଭଦ୍ରା ଖବର, କଟକ


إرسال تعليق