BREAKING
Loading...
:

ଗ୍ରାମସଭାର ବିନା ଅନୁମତିରେ ବିଦ୍ୟୁତ ବିଭାଗକୁ ଜମି ହସ୍ତାନ୍ତର ବିରୁଦ୍ଧରେ ଗ୍ରାମବାସୀଙ୍କ ପ୍ରତିବାଦ ରାଲି

 *ଗ୍ରାମସଭାର ବିନା ଅନୁମତିରେ ବିଦ୍ୟୁତ ବିଭାଗକୁ ଜମି ହସ୍ତାନ୍ତର ବିରୁଦ୍ଧରେ ଗ୍ରାମବାସୀଙ୍କ ପ୍ରତିବାଦ ରାଲି।*

*ନିର୍ମାଣକାର୍ଯ୍ୟ ତୁରନ୍ତ ବନ୍ଦ କରାଯିବା ସହିତ ତଦନ୍ତ କରିଯିବା ନେଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ।*


ରାଇରଙ୍ଗପୁର( ମଣିଭଦ୍ରା ଖବର) ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବଡ ସାଦମ ଗ୍ରାମରେ ବେଆଇନ ଭାବେ ବିଦ୍ୟୁତ୍ ବିତରଣ ବିଭାଗ ନେସ୍କୋ କୁ ଜମି ହସ୍ତାନ୍ତର କରାଯାଇଥିବା ଅଭିଯୋଗରେ ଗ୍ରାମବାସୀ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ତିରିଂ ତହସିଲଦାରଙ୍କୁ ତଦନ୍ତ ପୂର୍ବକ ଜମି ଫେରସ୍ତ କରାଯିବା ନେଇ ଦାବିପତ୍ର ପ୍ରଦାନ କରିଛନ୍ତି।

           ବଡସାଦମ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ପଞ୍ଚମ ଅନୁସୂଚିତ ଅଞ୍ଚଳରେ ଲାଗୁ ହେଉଥିବା ସ୍ବତନ୍ତ୍ର ଆଇନ୍ ବ୍ୟବସ୍ଥାବଳୀ ପେସା ଆଇନ୍ ୧୯୯୬ ର ଉଲ୍ଲଂଘନ କରାଯାଇ ଗ୍ରାମସଭାର ବିନା ଅନୁମତିରେ ବିଦ୍ୟୁତ ବିତରଣ ବିଭାଗର ନେସ୍କୋ କମ୍ପାନୀ କୁ ୬୪ ଡେସିମିଲ ଜମି ହସ୍ତାନ୍ତର କରାଯାଇଛି। ଗ୍ରାମବାସୀଙ୍କ ଅଜାଣତରେ ବଡସାଦମ ଗ୍ରାମ ଅନ୍ତର୍ଗତ ଖାତା ନଂବର ୧୦୦, ପ୍ଲଟ ନଂବର ୫୪୯, ରକବା ୬୪ ଡେସିମିଲ ଜମିକୁ ୨୦୧୮ ମସିହାରେ ନେସ୍କୋ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାଇରଙ୍ଗପୁରଙ୍କୁ ୯୯ ବର୍ଷ ପାଇଁ ଜାଲିଆତି କରାଯାଇ ଲିଜ ପ୍ରଦାନ କରାଯାଇଥିବା ନେଇ ଅଭିଯୋଗରେ ଦର୍ଶା ଯାଇଛି। 

ଉକ୍ତ ଜମି ଲିଜ୍ ପ୍ରଦାନ ବେଳେ ସେତେବେଳର ସରପଞ୍ଚଙ୍କ ଦ୍ବାରା ଅନାପତ୍ତି ପ୍ରମାପତ୍ର (NOC) ପ୍ରଦାନ କରାଯାଇ ନଥିବାବେଳେ ଗଚର ଜମିର ପତିତ ଜମିକୁ ଗ୍ରାମସଭା ରେ ଆଲୋଚନା କରା ନଯାଇ କିସମ ପରିବର୍ତ୍ତନ କରାଯାଇଥିବା। ଉକ୍ତ ୫୪୯ ନଂ ଜମିକୁ ଲିଜ୍ ପଟ୍ଟା ପ୍ରଦାନ ବେଳେ ଚାରି ପାଞ୍ଚ ଜଣ ବ୍ୟକ୍ତିଙ୍କ ଜାଲ ଦସ୍ତଖତ କରାଯାଇଥିବା ଇତ୍ୟାଦି ଅଭିଯୋଗ ହୋଇଛି। ଏସବୁ ଅଭିଯୋଗର ତଦନ୍ତ କରାଯିବା ସହିତ ଉକ୍ତ ଜମିକୁ ଫେରସ୍ତ କରାଯିବା ନେଇ ଦାବି ଜଣାଇଛନ୍ତି ଗ୍ରାମବାସୀ। 

    ତେବେ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟଟି ବ୍ୟକ୍ତିଗତ ଜମି ଉପରେ ନିର୍ମାଣ ହୋଇଥିବା ଯୋଗୁଁ ତାହାର ଉନ୍ନତ୍ତି କରଣ କାର୍ଯ୍ୟ ହୋଇ ପାରୁ ନାହିଁ। ତେଣୁ ଉକ୍ତ ବିଦ୍ୟାଳୟ କୁ ସେହି ୫୪୯ ନଂ ପ୍ଲଟ ଉପରେ ନିର୍ମାଣ କରାଯିବା ନେଇ ଗ୍ରାମବାସୀ ପ୍ରୟାସ କରୁଥିବାବେଳେ ଉକ୍ତ ଜମି ନେସ୍କୋ କମ୍ପାନୀ ନାମରେ ଥିବା ଜାଣିବାକୁ ପାଇଥିଲେ। ଏହା ପୂର୍ବରୁ ସେହି ୫୪୯ ନଂ ପ୍ଲଟ ସମ୍ମୁଖ ପାର୍ଶ୍ବରେ ଥିବା ୬୧୦/୬୯୬ ନଂ ପ୍ଲଟରେ ଥିବା ୩୬ ଡେସିମିଲ ଜାଗାରେ ଥିବା ଗ୍ରାମବାସୀଙ୍କ ସ୍ମଶାନ କୁ ମଧ୍ୟ ବେଆଇନ ଭାବେ ଉଚ୍ଛେଦ କରାଯାଇ ନେସ୍କୋ ସବ୍ ଷ୍ଟେସନ ନିର୍ମାଣ କରାଯାଇଛି। 

         ଦାବିପତ୍ର ପ୍ରଦାନ କରାଯିବା ସହିତ ୨୦୦୯ ମସିହା ଠାରୁ ୨୦୨୪ ମଧ୍ୟରେ ପ୍ରଦାନ କରାଯାଇଥିବା ଉକ୍ତ ଲିଜ୍ ପ୍ରକ୍ରିୟାର ଯାଞ୍ଚ କରାଯିବା ସହିତ ୭ ଦିନ ମଧ୍ୟରେ ୫୪୯ ନଂ ପ୍ଲଟ ଉପରେ ନେସ୍କୋ ଲିଜ୍ ସର୍ତ୍ତାବଳୀ ରଦ୍ଧ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି ଜଣାଇଛନ୍ତି। ଏହା ସହିତ ଉକ୍ତ ପ୍ଲଟ ଉପରେ ଟାଟା ପାଓ୍ବାର ପକ୍ଷରୁ ଚାଲିଥିବା ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରାଯିବା କୁ ଦାବି ଜଣାଇଛନ୍ତି ନଚେତ ଗ୍ରାମବାସୀ ନିଜେ ବଳ ପ୍ରୟୋଗ ପୂର୍ବକ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। 

        ଏହି ପ୍ରତିବାଦ ଶୋଭାଯାତ୍ରା ବଡ ସାଦମ ମାଝୀବାବା ଦୁର୍ଗା ମାର୍ଣ୍ଡିଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୨୦ ନଂ ଜୋନ ଜିଲ୍ଲା ପରିଷଦ ପରେଶ ମୁଣ୍ଡା, ପାରାନିକ ବାବା ଗୁରୁବା ସୋରେନ୍, ନାରାନପୁର ସରପଞ୍ଚ ଲିଟା ଟୁଡୁ, ବଡନାରଗି ପୂର୍ବତନ ସରପଞ୍ଚ ଛଟରାୟ ଟୁଡୁ, ମାଘୁଆ ଜଗ ପାରଗାନା କରୁଣାକର ମାର୍ଣ୍ଡି ଏବଂ ଗଡେତ କର ବାସ୍କେଙ୍କ ସମେତ ଗ୍ରାମର ମହିଳା, ପୁରୁଷ ହାତରେ ବିଭିନ୍ନ ସ୍ଲୋଗାନ ଲିଖିତ ପ୍ଲାକାଡ ଧରି ପାରମ୍ପାରିକ ବେଶରେ ଶୋଭାଯାତ୍ରାରେ ଭାଗ ନେଇଥିଲେ। ଏହି ଶୋଭାଯାତ୍ରା ବଡ ସାଦମ ଗ୍ରାମରୁ ତିରିଂ ତହସିଲ କାର୍ଯାଳୟ ପର୍ଯ୍ୟନ୍ତ ପାଖାପାଖି ପାଞ୍ଚ କିଲୋମିଟର ରାସ୍ତା ବିଭିନ୍ନ ସ୍ଲୋଗାନ ଦେଇ ପହଞ୍ଚିଥିଲେ। ତହସିଲ କାର୍ଯ୍ୟାଳୟରେ ତହସିଲଦାର ମଧୁସୂଦନ ପାଢୀଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ଅଭିଯୋଗର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଣାଇଥିଲେ। ଏହା ସହିତ ତିରିଂ ଥାନା ଅଧିକାରୀ ଏବଂ ତିରିଂ ବିଡିଓ ଭାଗବତ ମହାପାତ୍ରଙ୍କୁ ଦାବିପତ୍ରର ଏକକିତା ନକଲ ପ୍ରଦାନ କରାଯାଇଥିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS