୪୦ କୋଟିରେ ବିକ୍ରି ହେଲା ଦୁନିଆର ସବୁଠାରୁ ମହଙ୍ଗା ଗାଈ
କଟକ (ମାନସ କୁମାର ସାହୁ) ଆନ୍ଧ୍ରପ୍ରଦେଶର ନେଲୋର ପ୍ରଜାତିର ଏକ ଗାଈ ବ୍ରାଜିଲରେ ୪୦ କୋଟି ଟଙ୍କାରେ ନିଲାମ ହୋଇ ବିକ୍ରି ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିଶ୍ବର ସବୁଠାରୁ ଦାମୀ ଗାଈ ଭାବେ ଏହି ପ୍ରଜାତିର ଗାଈ ୪.୮ ନିୟୁତ ଡଲାର ବା ପ୍ରାୟ ୪୦ କୋଟି ଟଙ୍କାରେ ବିକ୍ରି ହେବା ପରେ ବିଶ୍ବର ସବୁଠୁ ଦାମୀ ଗାଈ ଭାବେ ରେକର୍ଡ ସୃଷ୍ଟି କରିଛି। ନିକଟରେ ବ୍ରାଜିଲର ମିନାସ୍ ଗେରିସ୍ରେ ଗାଈ ନିଲାମ ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେବେ ଏଠାକୁ ଆସିଥିବା ବିଭିନ୍ନ ପ୍ରଜାତିର ଗାଈ ମଧ୍ୟରେ ବ୍ରାଜିଲରେ ରହୁଥିବା ଏହି ନେଲୋର ପ୍ରଜାତିର ଗାଈ ବିଶ୍ବର ସବୁଠାରୁ ମହଙ୍ଗା ଗାଈର ମାନ୍ୟତା ହାସଲ କରିଥିଲା।
ଏଥିସହ ସବୁଠାରୁ ମହଙ୍ଗା ଗାଈ ଭାବେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ କରିଛି। ‘ ଭାୟାସିନା-୧୯’ ନାମରେ ନାମିତ ହୋଇଥିବା ଏହି ଗାଈର ଓଜନ ମଧ୍ୟ ଢେର ଅଧିକ ରହିଛି । ଏହାର ଓଜନ ୧୧୦୧ କେଜି । ଏହି ପ୍ରଜାତିର ଅନ୍ୟ ଗାଈ ମାନଙ୍କ ତୁଳନାରେ ଅପେକ୍ଷା ଏହାର ଓଜନ ମଧ୍ୟ ଦୁଇ ଗୁଣ ଅଧିକ ରହିଛି । ଏହି ପ୍ରଜାତିର ଗାଈ ମୁଖ୍ୟତଃ ଆନ୍ଧ୍ର ପ୍ରଦେଶର ଓଙ୍ଗୋଲ ଅଞ୍ଚଳରେ ଦେଖିବାକୁ ମିଳିଥାଏ। ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲା ଅନୁସାରେ ଏହି ଗାଈଙ୍କ ପ୍ରଜାତିର ନାମକରଣ କରାଯାଇଥାଏ । ଚାମ୍ପିୟନ୍ସ ଅଫ ଦ ୱାର୍ଲ୍ଡ ଚାମ୍ପିୟନସିପରେ ଏହି ଗାଈଟି ମିସ ସାଉଥ ଆମେରିକା ଟାଇଟଲ ହାସଲ କରିଥିଲା। ଏହି ଗାଈ ଅତ୍ୟଧିକ ତାପମାତ୍ରାରେ ମଧ୍ୟ ବଞ୍ଚି ରହିବାର କ୍ଷମତା ରଖିଥାଏ। ଏହି କାରଣରୁ ବ୍ରାଜିଲକୁ ଭାରତରୁ ୧୮୦୦ ଶତାବ୍ଦୀରେ ଏହି ପ୍ରଜାତିର ଗାଈ ପ୍ରଥମ ଥର ଯାଇଥିଲା। ପରବର୍ତ୍ତୀ ସମୟରେ ଓଙ୍ଗଲ କ୍ୟାଟେଲରୁ ଏହାର ନାମ ପରିବର୍ତ୍ତନ କରାଯାଇ ନେଲୋର କ୍ୟାଟେଲ କରାଯାଇଥିଲା।
ମଣିଭଦ୍ରା ଖବର, କଟକ


Post a Comment