BREAKING
Loading...
:

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏନ୍‍.ସି.ସି. ମହାନିର୍ଦ୍ଦେଶକ

 ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏନ୍‍.ସି.ସି. ମହାନିର୍ଦ୍ଦେଶକ

ଓଡ଼ିଶାରେ ତିନୋଟି କାଡେଟ୍‍ ଟ୍ରେନିଙ୍ଗ୍ ସେଣ୍ଟର ପ୍ରତିଷ୍ଠା ହେବ



ଓଡ଼ିଶାରେ କାଡେଟ୍‍ ସଂଖ୍ୟା ୬୦ ହଜାରରୁ ୯୦ ହଜାରକୁ ବୃଦ୍ଧି ପାଇବ



ଝାରସୁଗୁଡ଼ାରେ ଏୟାରପୋର୍ଟରେ ହ୍ୟାଙ୍ଗର ପ୍ରତିଷ୍ଠା ହେବ,ଏନ୍‍.ସି.ସି. କାଡେଟମାନେ ବିମାନ ଉଡାଣ ପ୍ରଶିକ୍ଷଣ ପାଇବେ



ଭୁବନେଶ୍ୱର



ଏନ୍‍.ସି.ସି. ମହାନିର୍ଦ୍ଦେଶକ ଲେଫ୍‍ଟନାଣ୍ଟ ଜେନେରାଲ ଗୁରୁବୀର ପାଲ୍‍ ସିଂହ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡ଼ିଶାରେ ଏନ୍‍.ସି.ସି.ର ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା କରିଛନ୍ତି ।


ଆଲୋଚନାରୁ ଜଣାଯାଇଛି ଯେ, ଓଡ଼ିଶାରେ ଏନ୍‍.ସି.ସି.ର କାଡେଟ୍‍ ସଂଖ୍ୟା ୬୦ ହଜାର ରହିଛି । ଏହାକୁ ୯୦ ହଜାରକୁ ବୃଦ୍ଧି କରାଯିବ । ଏଥିପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ସହିତ ରାଜ୍ୟର ଅନ୍ୟାନ୍ୟ ବିଦ୍ୟାଳୟରେ ମଧ୍ୟ ଏନ୍‍.ସି.ସି. ଶାଖା ପ୍ରତିଷ୍ଠା କରାଯିବ । 


ରାଜ୍ୟରେ ଏନ୍‍.ସି.ସି. ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ କଟକ, ବ୍ରହ୍ମପୁର ଓ ସମ୍ୱଲପୁରରେ ତିନୋଟି ଟ୍ରେନିଙ୍ଗ୍ ସେଣ୍ଟର ପ୍ରତିଷ୍ଠା କରାଯିବ । କଟକ ଓ ବ୍ରହ୍ମପୁରରେ ଏଥିପାଇଁ ୫ ଏକର ଲେଖାଏଁ ଜମି ଉପଲବ୍‍ଧ ଥିବାବେଳେ, ସମ୍ୱଲପୁରରେ ଏଥିପାଇଁ ୧୦ ଏକର ଜମି ଯୋଗାଇ ଦିଆଯିବ । 



ଏହା ସହିତ କୋରାପୁଟରେ ଏନ୍‍.ସି.ସି.ର ଗ୍ରୁପ୍‍ ହେଡ୍‍କ୍ୱାଟର୍ସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକାରୀ ଓ କର୍ମଚାରୀ ମଧ୍ୟ ଯୋଗାଇ ଦିଆଯିବ । 


ଝାରସୁଗୁଡ଼ା ଏୟାରପୋର୍ଟରେ ଏନ୍‍.ସି.ସି. ପିଲାମାନଙ୍କୁ ବିମାନ ଉଡାଣ ପ୍ରଶିକ୍ଷଣ ଦେବାପାଇଁ ମଧ୍ୟ ନିଷ୍ପତ୍ତି କରାଯାଇଛି । ଏଥିପାଇଁ ସେଠାରେ ଏକ ହ୍ୟାଙ୍ଗର ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧.୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏନ୍‍.ସି.ସି. ହେଉଛି ଦେଶର ଏକ ପ୍ରତିଷ୍ଠିତ ସଂସ୍ଥା । ଛାତ୍ର ଓ ଯୁବଶକ୍ତିର ସମ୍ଭାବନାକୁ ବିକଶିତ କରି ଦେଶର ସେବାରେ ନିୟୋଜିତ କରିବା କ୍ଷେତ୍ରରେ ଏହାର ତୁଳନା ନାହିଁ । ତେଣୁ ଓଡ଼ିଶାରେ ଏହି ସଂସ୍ଥାର ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । 


ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଏବଂ ଏନ୍‍.ସି.ସି.ର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ ।  


ଏଥିପାଇଁ ଏନ୍‍.ସି.ସି. ପକ୍ଷରୁ ଡାଇରେକ୍ଟର କର୍ଣ୍ଣେଲ ସାଗର ମହାନ୍ତି ଓ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଏନ୍‍.ସି.ସି. ଓ ରାଜ୍ୟ ସରକାର ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି ନିଷ୍ପତ୍ତି ଗୁଡ଼ିକର ରୂପାୟନକୁ ତ୍ୱରାନ୍ୱିତ କରିବା ପାଇଁ ସ୍ଥିର ହୋଇଛି ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS