ମାଘରେ ବାଘ ଭଳି ଖରା ଦେଖି ଡରିଲେଣି ଲୋକ : ଏବେରୁ ଏତେ ଆଗକୁ କ’ଣ ହେବ…..୧୫ ପରେ ସ୍ଥିତି ହେବ ଅସମ୍ଭାଳ
କଟକ (ମାନସ କୁମାର ସାହୁ) ଗତ ମାସ ୨୭ ତାରିଖରେ କୋରାପୁଟର ତାତି ଦୀର୍ଘ ୫୨ ବର୍ଷର ରେକର୍ଡ ଭାଙ୍ଗିଛି। ଜାନୁଆରୀ ମାସରେ କୋରାପୁଟ ତାତି ୩୩.୪ ଡିଗ୍ରୀରେ ପହଞ୍ଚିଛି। ୧୯୭୩ ପରେ ପ୍ରଥମ ଥର ପାଇଁ ଜାନୁଆରୀରେ ଏଭଳି ତାତି ଅନୁଭୂତ ହୋଇଛି। ଜାନୁଆରୀ ୩୧ରେ ଭବାନୀପାଟଣାରେ ରେକର୍ଡ ୩୪ ଡିଗ୍ରୀ ତାପମାତ୍ରା ଅନୁଭୂତ ହୋଇଛି। ୫୨ ବର୍ଷ ପରେ ଭବାନୀପାଟଣାରେ ଜାନୁଆରୀ ମାସ ଗରମ ମାସ ଭାବରେ ସାବ୍ୟସ୍ତ ହୋଇଛି। ସେହିପରି ଜାନୁଆରୀ ୩୧ରେ ଝାରସୁଗୁଡ଼ାରେ ୩୪.୫ ଡିଗ୍ରୀ ରେକର୍ଡ ହୋଇଛି। ଜାନୁଆରୀ ଯାଉଯାଉ ରାଜଧାନୀର ତାତି ୩୪.୯ ଡ଼ିଗ୍ରୀରେ ଯାଇ ପହଞ୍ଚିଲାଣି। ୨୧ ବର୍ଷ ପରେ ଫେବୃଆରୀର ରାଜଧାନୀ ତାତି ୩୫ ଡିଗ୍ରୀ ପାଖାପାଖି ରହିଛି। ସାଧାରଣତଃ ଫେବୃଆରୀ ତୃତୀୟ ସପ୍ତାହରେ ତାପମାତ୍ରା ବୃଦ୍ଧି ଆରମ୍ଭ ହେଉଥିବା ବେଳେ ଚଳିତ ବର୍ଷ ଫେବୃଆରୀ ପୂର୍ବରୁ ତାପମାତ୍ରା ବୃଦ୍ଧି ସମସ୍ତଙ୍କୁ ଚକିତ କରିଛି।
୨୦୦୫ ଫେବୃଆରୀ ୧ରେ ସର୍ବୋଚ୍ଚ ଦିନ ତାପମାତ୍ରା ୨୫.୭ ଡିଗ୍ରୀ ରହିଥିଲା। ଚଳିତ ବର୍ଷ ଏହା ୩୩.୬ ଡିଗ୍ରୀ ଅର୍ଥାତ ପାଖାପାଖି ୭.୬ ଡିଗ୍ରୀ ଅଧିକ ରହିଛି। ଗତ ବର୍ଷ ଏପ୍ରିଲ ମାସରେ ଭୁବନେଶ୍ୱରରେ ତାତି ଲଗାତାର ୧୬ ଦିନ ଧରି ୪୦ ଡିିଗ୍ରୀ ରୁ ଅଧିକ ରହିଥିଲା। ୭୮ ବର୍ଷରେ ପ୍ରଥମ ଥର ପାଇଁ ଲଗାତାର ଭାବେ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା। ୨୦୨୩ ଏବଂ ୨୦୨୪ରେ ଲଗାତାର ଭାବେ ବିଶ୍ୱରେ ଉତ୍ତପ୍ତ ବର୍ଷ ପାଲଟିଛି। ବିଶ୍ୱତାପନର ପ୍ରଭାବ ଦିନକୁ ଦିନ ତୀବ୍ରତର ହେଉଥିବା ବେଳେ ୨୦୨୪ରେ ପୃଥିବୀର ହାରହାରି ତାପମାତ୍ରା ପ୍ରଥମ ଥର ପାଇଁ ୧.୫ ଡିଗ୍ରୀ ଅତିକ୍ରମ କରିଛି। ଏହାର ସିଧାସଳଖ ପ୍ରଭାବ ସ୍ଥାନୀୟ ପାଣିପାଗରେ ଦେଖିବାକୁ ମିଳିଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି।
ଚଳିତ ବର୍ଷ ଜାନୁଆରୀ ମାସ ଅଧାରୁ ଶୀତ ଗାଏବ। ଏହା ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବର ପ୍ରତିଫଳନ ବୋଲି କୁହାଯାଉଛି।ଆଇଏମଡି ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବା ଅନୁଯାୟୀ ମେରୁ ବଳୟ (ପୋଲାର-ଭୋର୍ଟେକ୍ସ) ଦୁର୍ବଳ ହେବା ଫଳରେ ପଶ୍ଚିମା ଝଡ଼ର ବାରମ୍ୱାରତା ବୃଦ୍ଧି ପାଉଛି। ଏଥିପାଇଁ ଶୀତ ଗାଏବ ହେଉଛି ଏବଂ ତାତିର ପ୍ରଭାବ ବୃଦ୍ଧି ପାଉଛି। ରାଜଧାନୀ ଭୁବନେଶ୍ୱର ଭଳି ସହରର ତାତି ସ୍ଥାନୀୟ ପାରିପାଶ୍ୱର୍କ ସ୍ଥିତିରେ ମଧ୍ୟ ପ୍ରଭାବିତ ହେଉଛି। ମୁଖ୍ୟତଃ ୪ ପାଶ୍ୱର୍ରେ ସୃଷ୍ଟି ହେଉଥିବା କଂକ୍ରିଟ୍ ଜଙ୍ଗଲ ଏଠାରେ ଉଷ୍ମଦ୍ୱୀପ ପୁଞ୍ଜ ଭଳି ସ୍ଥିତି ସୃଷ୍ଟି କରୁଥିବା ସେ କହିଛନ୍ତି। ଅନ୍ୟପଟେ ଚଳିତ ବର୍ଷ ମାଘ ମାସରେ ରାଜଧାନୀ ପାଣିପାଗ ରାଜ୍ୟରେ ତାପମାତ୍ରାରେ ଏହିପରି ବ୍ୟତିକ୍ରମ ଆଗାମୀ ଦିନରେ ଖଟିଖିଆ, ଉଠାଦୋକାନୀ ଓ ସାଧାରଣ ଲୋକଙ୍କ ପାଇଁ ବଡ଼ ଆହ୍ୱାନ ସାଜିବା ନେଇ ଆଶଙ୍କା କରାଯାଇଛି।
ମଣିଭଦ୍ରା ଖବର, କଟକ


إرسال تعليق