ବାହାଘର ପରେ ବେଦି ମୁହଁ ପୋଡ଼ା,ସରିଗଲା ବିଶ୍ଵଶାନ୍ତି ମହାଯଜ୍ଞ, ପଡ଼ି ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ମଣିଭଦ୍ରା ପାହାଡ ପାଦଦେଶରେ ବିରାଜିତ ମା କଳାପାଟ ଠାକୁରାଣୀଙ୍କ ପୀଠରେ ଗତ ୪ ତାରିଖରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ମଣିଭଦ୍ରା ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ମହାଯଜ୍ଞରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଲୋକେ ଏହି ମେଳାକୁ ଉପଭୋଗ କରିଥିଲେ । ତେବେ ଏହି ମେଳାରେ ବ୍ୟବସାୟ କରିବାକୁ ଆସିଥିବା ବ୍ୟବସାୟୀ ମାନେ ଯିବା ପରେ ଜରି,ଠୁଙ୍ଗା,ଖଲି,କାଗଜପତ୍ର ଆଦି କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ସେଠାରେ ପଡ଼ି ରହି ପୂର୍ତ୍ତଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ସେଠାର ପରିବେଶ ଅତ୍ୟନ୍ତ ଅପରିଷ୍କାର, ଅପରିଚ୍ଛନ୍ନ ଦେଖା ଯାଉଛି ।
ମେଳା ସମୟରେ ଅନେକ ସ୍ବେଛାସେବୀ ସେଠାରେ ସହଯୋଗ କରୁଥିବା ବେଳେ ମେଳା ସରିଗଲା ପରେ ଅଳିଆ ଉଠାଇବାକୁ କେହି ବି ଆଗଭର ହେଉ ନାହାନ୍ତି । ମେଳା ସମୟରେ ଦୋକାନୀ ମାନଙ୍କ ଠାରୁ ମୋଟା ଅଙ୍କର ରାଜସ୍ବ ଆଦାୟ କରାଯାଉଥିଲେ ମଧ୍ୟ ଏହି ସ୍ଥାନର ସ୍ବଛତା ସମ୍ପର୍କରେ କେହି ବି ଚେଷ୍ଟା କରୁନାହାନ୍ତି । ଏବେ ପର୍ଯ୍ୟଟନ ଋତୁ ଚାଲିଥିବାରୁ ଏଠାରେ ପ୍ରତିବର୍ଷ ଭୋଜିଭାତ କରିବାକୁ ଅନେକ ପର୍ଯ୍ୟଟକ ଆସିଥାନ୍ତି । ତେବେ ଏଠାକାର ପରିବେଶ ଏଭଳି ଦେଖି ସେମାନେ ନାକ ଟେକୁଛନ୍ତି । ତେବେ ତୁରନ୍ତ ଉକ୍ତ ଅଳିଆ ଆବର୍ଜ୍ଜନା ପରିସ୍କାର କରିବାକୁ ସାଧାରଣରେ ଦାବି ହେଉଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର



إرسال تعليق