ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ଫେରିଯିବ
ଭୁବନେଶ୍ୱର (ମଣିଭଦ୍ରା ଖବର) ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ଫେରିଯିବ। ସେଥିପାଇଁ ପାଗ ଅନୁକୂଳ ହୋଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ମୌସୁମୀ ଫେରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାରରୁ ସମ୍ପୂର୍ଣ୍ଣ ଫେରିଯିବ। ମହାରାଷ୍ଟ୍ର, ଛତିଶଗଡ଼ର କିଛି ଅଞ୍ଚଳ ସମେତ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ସିକିମ୍ର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ।ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୁକୂଳ ରହିଛି। ଚଳିତବର୍ଷ ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁଥିଲା। କେରଳ ଛୁଇଁବାର ୮ ଦିନ ପରେ ଓଡ଼ିଶାରେ ପ୍ରବେଶ କରିଥିଲା। ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ। ପାଗ ଅନୁକୂଳ ଥିବାରୁ ପ୍ରଥମେ କୋରାପୁଟ, ମାଲକାନଗିରି, ରାୟଗଡା, ଗଞ୍ଜାମ, ଗଜପତି ଜିଲାରୁ ମୌସୁମୀ ଫେରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଚଳିତବର୍ଷ ରାଜ୍ୟରେ ସ୍ବାଭାବିକ ମୌସୁମୀ ବର୍ଷା ହୋଇଛି। ଜୁନ୍ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ୧୧ଟି ଲଘୁଚାପ କ୍ଷେତ୍ର ସୃଷ୍ଟିହୋଇଛି। ଜୁନ୍ ୧ରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ରାଜ୍ୟରେ ୧୦୯୨ ମିଲିମିଟର ବର୍ଷା ହୋଇଛି। ସ୍ବାଭାବିକଠାରୁ ମାତ୍ର ୫ ପ୍ରତିଶତ କମ୍ ବର୍ଷା ହୋଇଛି। ମାଲକାନଗିରିରେ ସ୍ବାଭାବିକଠାରୁ ୫୬ ପ୍ରତିଶତ ଓ ନୂଆପଡ଼ାରେ ୧୩ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। ୨୪ ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୪ଟି ଜିଲାରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇଛି।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق