BREAKING
Loading...
:

କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ବିଭିନ୍ନ ନୀତି

କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ବିଭିନ୍ନ ନୀତି

ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ସାଧାରଣତଃ ଆଶ୍ଵିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣିମା ପର୍ଯ୍ୟନ୍ତ ମାସ ନୀତି ପାଳନ କରାଯାଇଥାଏ । ଏହି ମାସରେ ଦୈନନ୍ଦିନ ନୀତି ବ୍ୟତୀତ ସ୍ବତନ୍ତ୍ର ଭାବେ ଶ୍ରୀବିଗ୍ରହମାନଙ୍କର ରାଧା ଦାମୋଦର ବେଶ, ପଞ୍ଚୁକ ବେଶ, ବାଳଧୂପ, ଦିବା ପହୁଡ଼ ଇତ୍ୟାଦି ଅନୁଷ୍ଠିତ ହୋଇଥାଏ । ଉକ୍ତ ମାସର ବିଶେଷ ନୀତି ଓ ବେଶ ସଂପର୍କରେ ନିମ୍ନରେ ଉଲ୍ଲେଖ କରାଗଲା ।


 ରାଧା ଦାମୋଦର ବେଶ : ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ରନ୍‌ସିଂହାସନାଧୂଷ୍ଠିତ ଶ୍ରୀବିଗ୍ରହମାନଙ୍କର ଆକର୍ଷଣୀୟ ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ । ଦୈନିକ ଅବକାଶ ନୀତି ପରେ ଏହି ବେଶ କରାଯାଏ ।


ଭକ୍ତମାନଙ୍କୁ ମାୟା ବନ୍ଧନରୁ ମୁକ୍ତ କରିବାପାଇଁ ବିଷ୍ଣୁ ଏହି ମାସରେ ‘ହୟଶୀର୍ଷ ପଞ୍ଚରାତ୍ର’ ମତ ଅନୁଯାୟୀ ଦାମୋଦର ଭାବେ ପରିଗୃହୀତ ହୁଅନ୍ତି । ବିଷ୍ଣୁ ଓ ଶ୍ରୀଜଗନ୍ନାଥ ଯେହେତୁ ଏକ ଓ ଅଭିନ୍ନ, କାର୍ତ୍ତିକ ମାସରେ ଶ୍ରୀଜଗନ୍ନାଥଙ୍କୁ ‘ଦାମୋଦର’ ଭାବେ ଆରାଧନା କରାଯାଇଥାଏ । ବିଷ୍ଣୁ ସହସ୍ରନାମ ଓ ଅମରକୋଷ ପ୍ରଭୃତିରେ ବିଷ୍ଣୁଙ୍କର ଅନ୍ୟ ନାମ ‘ଦାମୋଦର’ ରୂପେ ବର୍ଣିତ ହୋଇଛି ।


ଦୀର୍ଘ ଏକମାସ ଧରି ଶ୍ରୀମନ୍ଦିରରେ ପାଳିତ ରାଧା ଦାମୋଦର ବେଶରେ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ତ୍ରିକଚ୍ଛ ବସ୍ତ୍ର ପରିଧାନ କରିଥାନ୍ତି । ଶ୍ରୀହସ୍ତରେ ସୁବର୍ଣ୍ଣ ନଳୀଭୁଜ ଲାଗି ହୋଇଥାଏ । ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ ‘ତ୍ରିମୁଣ୍ଡି’ ଶ୍ରୀମସ୍ତକ ଉପରେ ରହିଥାଏ ଏବଂ ଚୂଳର ଅଗ୍ରଭାଗରେ ଚନ୍ଦ୍ରିକା ଶୋଭା ପାଇଥାଏ । କର୍ଣ୍ଣ ଦେଶରେ କୁଣ୍ଡଳ, କଟିତଟରେ ଓଡ଼ିଆଣୀ, ମସ୍ତକରେ ତଡ଼ଗୀ, ଚନ୍ଦ୍ର, ସୂର୍ଯ୍ୟ ଏବଂ ଚିତା ଇତ୍ୟାଦି ସ୍ଵର୍ଣ୍ଣ ଅଳଙ୍କାରରେ ପ୍ରଭୁ ଭୂଷିତ ହୋଇଥାନ୍ତି । ଏତଦ୍‌ବ୍ୟତୀତ ଶ୍ରୀବିଗ୍ରହମାନେ ବିଭିନ୍ନ ପୁଷ୍ପ ଅଳଙ୍କାର, ବାରଲାଗି ପାଟ ଶାଢ଼ି, ଫୁଟା, ଶିରକପଡ଼ା, ପହରଣ, ବଳା, ଅଧର ଓ ଉତ୍ତରୀୟ ବସ୍ତ୍ରରେ ସଜ୍ଜିତ ହୋଇଥାଏ । ଏହି ମନଲୋଭା ବେଶ ଦର୍ଶନ କରିବାକୁ ଶ୍ରୀମନ୍ଦିର ଜଗମୋହନରେ ପ୍ରବଳ ଜନସମାଗମ ହୋଇଥାଏ । ଶ୍ରୀବିଗ୍ରହମାନଙ୍କ ରାଧା ଦାମୋଦର ବେଶ ଥାଇ ବାଳଧୂପ ନୀତି ଅନୁଷ୍ଠିତ ହୋଇଥାଏ । ସକାଳ ଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡ଼ିଆ ଖୁଦି, ଚାଉଳିଆ, ସେଓ, କମଳା, କଦଳୀ, କାକୁଡି, ପଇଡ ଇତ୍ୟାଦି ଭୋଗ ହୋଇଥାଏ । ବାଳଧୂପ ସମୟରେ ପରମ୍ପରା ଅନୁଯାୟୀ ବଡ଼ଛତା ମଠ ତରଫରୁ ବାଦ୍ୟ, ପାରମ୍ପରିକ ସଙ୍ଗୀତ ଗାନ ସମେତ ରାଧାକାନ୍ତ ମଠ ତରଫରୁ ସଂକୀର୍ତନ କରାଯାଇଥାଏ ।


ଏହି ବାଳଭୋଗ ଖଞ୍ଜା ପୁରୀ ଶ୍ରୀନଅର ସମେତ ସୁପ୍ରତିଷ୍ଠିତ ଥିବା କେତେକ ମଠ ମଧ୍ୟରେ ରାଘବଦାସ ମଠ, ବଡ଼ ଓଡ଼ିଆ ମଠ, ରାଧାକାନ୍ତ ମଠ, ଦକ୍ଷିଣପାର୍ଶ୍ଵ ମଠ, ଏମାର ମଠ, ତ୍ରିମାଳି ମଠ, ବଡ଼ସନ୍ଥ ମଠ, ଜଗନ୍ନାଥବଲ୍ଲଭ ମଠ, ରେବେସା ମଠ, ଉତ୍ତର ପାର୍ଶ୍ଵ ମଠମାନଙ୍କ ତରଫରୁ ବାଳଧୂପ ପାଇଁ ଅମୁଣିଆ ଭୋଗ ଦ୍ରବ୍ୟ ଶ୍ରୀମନ୍ଦିରକୁ ଆସିଥାଏ ।


ଅଖଣ୍ଡ ଦୀପ : କାର୍ତ୍ତିକ ମାସ ଉପଲକ୍ଷେ ଶ୍ରୀକ୍ଷେତ୍ର ଦୁଇ ପ୍ରମୁଖ ମଠର ଶ୍ରୀମନ୍ଦିରରେ 'ନିୟମ ସେବା’ ରହିଅଛି । ଏହି ସେବା ନିମନ୍ତେ ମଠର ଦୁଇ ଦୁଇ ଜଣ ବୈଷ୍ଣବ ଶ୍ରୀମନ୍ଦିରର  ଜୟବିଜୟ ଦ୍ୱାରର ଦୁଇ ପାର୍ଶ୍ଵରେ ଦିବାରାତ୍ର ଅଖଣ୍ଡ ଦୀପ ଜଳାଇ ଥାନ୍ତି ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS