ଆବାସ ଯୋଜନା ମହା ଦୁର୍ନୀତି , ଖାଇଗଲେ ପ୍ରୋତ୍ସାହନ ରାଶି ।
ଦଶପଲ୍ଲା : - (ଶିବାନୀ ଦୀପାଞ୍ଜଳୀ) ସମସ୍ତ ଘର ହେବ ଛାତଘର । ସମସ୍ତେ ସୁରକ୍ଷିତ ଭାବରେ ରହିବା ମକାଶେ , ସରକାର ଆବାସ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବାସ ଯୋଜନାରେ ଘର ନିର୍ମାଣ କରୁଥିବା ହିତାଧିକାରୀଙ୍କୁ ସରକାର ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି | ହେଲେ ଦଶପଲ୍ଲା ବ୍ଲକ୍ରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଘର କରିଥିବା ହିତାଧିକାରୀଙ୍କ ପରିବର୍ତ୍ତେ ଏସବୁ ପ୍ରୋତ୍ସାହନ ରାଶିକୁ ହଡ଼ପ କରି ନେଇଛନ୍ତି ସରକାରୀ ବାବୁ। ଯାହାକି ଏହି ଘଟଣାରେ ଏକ ବଡ଼ଧରଣର ଘୋଟାଲା ହୋଇଥିବା ନେଇ ଅଭିଯୋଗ ହେବାପରେ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇଛି। ଅଭିଯୋଗ ପରେ ଏହାର ତଦନ୍ତ ଆରମ୍ଭ ହୋଇଥିବା ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ (ପିଡି) ଦେବଦତ୍ତ ପଣ୍ଡା କହିଛନ୍ତି। ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଯିଏ ଦୋଷୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ବ୍ଲକ୍ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ପାଲଟିଛି | ବଡ଼କଥା ହେଉଛି, ସରକାର ଗରିବ ଗୁରୁବାଙ୍କ ପାଇଁ ଆବାସ ଯୋଜନାରେ ଘର ଯୋଗାଇ ଦେଉଛନ୍ତି। ନିର୍ଦ୍ଧାରିତ ସମୟରେ ଘର ନିର୍ମାଣ କରିବା ତଥା ଯୋଜନାର ସଫଳ ରୂପାୟନ ପାଇଁ ହିତାଧିକାରୀଙ୍କୁ ଏହି ପ୍ରୋତ୍ସାହନ ରାଶି ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଯେଉଁ ହିତାଧିକାରୀ ୪ ମାସ ମଧ୍ୟରେ ଘର ନିର୍ମାଣ କାର୍ଯ୍ୟ ଶେଷ କରିବେ ୨୦ ହଜାର ଏବଂ ୬ ମାସ ମଧ୍ୟରେ ଶେଷ କଲେ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବାର ବ୍ୟବସ୍ଥା ରହିଛି। ମାତ୍ର ଏହି ପ୍ରୋତ୍ସାହନ ରାଶିକୁ ଜନୈକ ବିଭାଗୀୟ ଅଧିକାରୀ ଏହାକୁ ତଞ୍ଚକତା କରି ହଡ଼ପ କରିଥିବା ଜଣାପଡ଼ିଛି। ଯେଉଁ ଘଟଣାରେ ପଞ୍ଚାୟତ ଓ ଜିଲ୍ଲାସ୍ତରର କିଛି କର୍ମଚାରୀଙ୍କ ସମ୍ପୃକ୍ତି ଥିବା ମଧ୍ୟ ଅଭିଯୋଗ ହେଉଛି।ବିଶେଷତଃ ହିତାଧିକାରୀମାନେ ଘର କରିବା ପୂର୍ବରୁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଦେଇଥାନ୍ତି। ସେହି ଆକାଉଣ୍ଟରେ ବିଲ୍ ଅର୍ଥ ପୈଠ କରାଯାଇଛି | ପରବର୍ତ୍ତୀ ସମୟରେ ପ୍ରୋତ୍ସାହନ ରାଶିକୁ ହଡ଼ପ କରିବା ପାଇଁ ତଞ୍ଚକତା କରାଯାଇ ହିତାଧିକାରୀଙ୍କ ନାମରେ ଅନ୍ୟଏକ ଆକାଉଣ୍ଟ ଖୋଲାଯାଇ ସେସବୁ ଅର୍ଥକୁ ଆତ୍ମସାତ୍ କରାଯାଇଛି । ଯେଉଁ ଘଟଣାରେ ମଧ୍ୟ କିଛି ବ୍ୟାଙ୍କ କର୍ମଚାରୀଙ୍କ ସମ୍ପୃକ୍ତି ଥିବା କୁହାଯାଉଛି। ଏଭଳି ଦଶପଲ୍ଲା ବ୍ଲକ୍ର ବିଭିନ୍ନ ପଞ୍ଚାୟତରୁ ହିତାଧିକାରୀଙ୍କ ନାମରେ ଲକ୍ଷଲକ୍ଷ ଟଙ୍କାକୁ ଅଧିକାରୀମାନେ ମିଳିମିଶି ଚଳୁ କରି ଦେଇଥିବା ବେଳେ ଆଗକୁ ଜିଲ୍ଲା ପ୍ରଶାସନ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା ।
ମଣିଭଦ୍ରା ଖବର


Post a Comment